ବଢ଼ିଲା ଏକାମ୍ର କ୍ଷେତ୍ରର ବିକାଶ ଆଶା : ଏକାମ୍ର ସଂରକ୍ଷଣ ଯୋଜନାକୁ ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷଙ୍କ ଏନଓସି

76

କନକ ବ୍ୟୁରୋ : ଏକାମ୍ର କ୍ଷେତ୍ରର ବିକାଶ ଆଶା ବଢ଼ିଲା । ଏକାମ୍ର ସଂରକ୍ଷଣ ଯୋଜନାକୁ ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷଙ୍କ ଏନଓସି । ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱର ବିକାଶ ସହ ଖୁବଶୀଘ୍ର ୯ଟି ମେଗା ପ୍ରକଳ୍ପ ଆରମ୍ଭ ହେବ । ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଚତୁଃପାର୍ଶ୍ବକୁ ନେଇ ଏକାମ୍ର ସଂରକ୍ଷଣ ଯୋଜନା ରାଜ୍ୟ ସରକାର ଆରମ୍ଭ କରିଥିଲେ । ଏକାମ୍ର କ୍ଷେତ୍ରର ବହୁ ଐତିହ୍ୟସ୍ଥଳୀକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଥିଲା । ପ୍ରକଳ୍ପର ଅଂଶ ଭାବେ କିଛି କାମ ବି ଆରମ୍ଭ ହୋଇଥିଲା। ତେବେ ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷଙ୍କ ବାଇ-ଲ’କୁ ଉଲ୍ଲଂଘନ କରାଯାଇ କାମ କରାଯାଉଥିବା ନେଇ ଆପତ୍ତି ଉଠିଥିଲା । ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଏହାର ପ୍ରତିବାଦ କରିଥିଲେ। ରାଜ୍ୟ ସରକାର ନିୟମ ଉଲ୍ଲଂଘନ କରି କାମ କରୁଥିବାର ସେ ଅଭିଯୋଗ କରିଥିଲେ । ଏମିତି ବାଦ ବିବାଦ ଭିତରେ ପ୍ରକଳ୍ପଟି ଆଗେଇ ପାରି ନଥିଲା । ଦୀର୍ଘ ଦିନ ବ୍ୟବଧାନ ପରେ ଏବେ ପ୍ରକଳ୍ପର ଆଶା ଉଜ୍ବଳ ହୋଇଛି ।

ପୂର୍ବରୁ ଏକାମ୍ର ବିକାଶ ଯୋଜନାରେ ୯ଟି ମେଗା ପ୍ରକଳ୍ପ ହାତକୁ ନିଆଯାଇଥିଲା। ଏଥିରେ ତାଳେଶ୍ୱର ଛକରୁ ବଢ଼େଇବାଙ୍କକୁ ବାହ୍ୟ ସଂଯୋଗ ରାସ୍ତାର ବିକାଶ ଓ ଡ୍ରେନ୍‌ ସଂପ୍ରସାରଣ କାମ ରହିଥିଲା। ‌ଯୋଜନାର ଏକ ମୁଖ୍ୟ ପ୍ରକଳ୍ପ ଥିଲା ଲିଙ୍ଗରାଜ ଏଣ୍ଟ୍ରି ପ୍ଲାଜା । ଏହି ପ୍ରକଳ୍ପ କାମ ଅନେକ ବାଟ ଆଗେଇଛି । କିନ୍ତୁ ବହୁ କାମ ବାକି ରହିଛି । ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଏଠାରେ ଅନେକ ବ୍ୟବସ୍ଥା ରହିବ । ମୁକ୍ତାକାଶ ଥିଏଟର ସହ କଳିଙ୍ଗର ବୀର ଗାଥା, କଳାକୃତିକୁ ଏଠାରେ ସ୍ଥାନ ଦେବାକୁ ଯୋଜନା ରହିଛି। ଏହା ବାଦ୍ ବିନ୍ଦୁସାଗର ଚାରିପାଖକୁ ସୌନ୍ଦର୍ଯ୍ୟୀକରଣ କରାଯିବ । ପଥଚାରୀଙ୍କ ପରିକ୍ରମା ପାଇଁ ଚାରିପଟରେ ଚଲାପଥ ରହିବ। ଏକାମ୍ର ବନ ଭଳି ବିନ୍ଦୁସାଗର କୂଳର ଆଉ କେତେକ ସ୍ଥାନରେ ଲ୍ୟାଣ୍ଡସ୍କେପିଂ ହେବ ।

ତାଳେଶ୍ୱର ଛକ ପାଖ ତଥା କେଦାରଗୌରୀ ରାସ୍ତା ପାଖରେ ଲିଙ୍ଗରାଜ ହେରିଟେଜ୍‌ ପ୍ରକଳ୍ପ ଯୋଜନା ରହିଛି। ଏହି ପ୍ରକଳ୍ପରେ ଲିଙ୍ଗରାଜ-ବିନ୍ଦୁସାଗର-ଦେବୀପାଦହରାକୁ ଚଲାପଥ ସହ କେଦାରଗୌରୀ ରାସ୍ତା, ଜ୍ଞାନୀ ଜୈଲ ସିଂ ରୋଡ୍‌ ଓ ରଥରୋଡ୍‌ର ଉନ୍ନତୀକରଣ ପାଇଁ ଯୋଜନା ରହିଛି । ତାଳେଶ୍ୱର ଛକ ପାଖରେ ପ୍ରସ୍ତାବିତ ହେରିଟେଜ୍‌ ଇଣ୍ଟରପ୍ରଟେସନ ପ୍ରକଳ୍ପ, ଲିଙ୍ଗରାଜ ମନ୍ଦିର ପାର୍ଶ୍ବରୁ ହଟିଥିବା ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଜାଗା ଚିହ୍ନଟ ହୋଇଛି । ମାତ୍ର ମନ୍ଦିର ପାଖରେ ଥିବା ଏହି ଖାଲି ଜାଗାରେ ସରକାରୀ ଦପ୍ତର ନିର୍ମାଣ ହୋଇପାରି ନଥିଲା । ସେହିପରି ଜମି ହରାଇଥିବା ଦୋକାନୀଙ୍କୁ ଦୋକାନ ପାଇଁ ଜମି ପ୍ରଦାନ ସହ ଉଠା ଦୋକନୀଙ୍କୁ ଥଇଥାନ କରାଯିବ। ଏପରି ବହୁ କାମ ଏବେ ତ୍ବରାନ୍ବିତ ହୋଇପାରିବ ବୋଲି ଆଶା କରାଯାଉଛି । ଏଏସ୍‌ଆଇ ତତ୍ତ୍ବାବଧାନରେ କାମ କରିବାକୁ ଏନ୍‌ଏମ୍‌ଏ ପକ୍ଷରୁ ସର୍ତ୍ତ ରଖାଯାଇଛି । ତେଣୁ ରାଜ୍ୟ ସରକାର ଓ ଏଏସ୍‌ଆଇ ମଧ୍ୟରେ କିପରି ସମନ୍ବୟ ରହୁଛି, ତାହା ଆଗକୁ ଜଣାପଡ଼ିବ।