କନକ ବ୍ୟୁରୋ: କଥାରେ ଅଛି ଦୃଢ଼ ଇଚ୍ଛା ଶକ୍ତି ଥିଲେ କିଛି ବି ସମ୍ଭବ । ଠିକ୍ ଏମିତି କିଛି କରି ଦେଖାଇଛନ୍ତି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ଅନନ୍ତା ଗ୍ରାମର ନିବେଦିତା ବରାଳ । ନିପଟ ମଫସଲରେ ରହୁଥିବା ନିବେଦିତା ନିଜକୁ ସ୍ୱାବଲମ୍ବୀ କରିବା ସହ ଜଣେ ସଫଳ ଚାଷୀ ଭାବେ ପରିଚିତ ହୋଇଛନ୍ତି । ଦିନେ ନିବେଦିତାଙ୍କ ଆର୍ଥିକ ସ୍ଥିତି ଅତି ଦୟନୀୟ ଥିଲା । ନିଜ ପାଖରେ ଜଣ୍ଡି ଖଣ୍ଡିକ ଛଡ଼ା ଆଉ କିଛି ନଥିଲା । ସ୍ୱାମୀ ଯାହା ରୋଜଗାର କରନ୍ତି, ସେଥିରେ ଚଳିବା କଷ୍ଟକର ହୋଇପଡ଼ୁଥିଲା । ଏମିତିକି ପିଲାମାନଙ୍କ ପାଠପଢ଼ା ମଧ୍ୟ ପ୍ରଭାବିତ ହେଉଥିଲା । ପରିବାରର ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ନିବେଦିତା ମହିଳା ସ୍ୱୟଂସହାୟକ ଗୋଷ୍ଠୀରୁ କିଛି ଋଣ ଆଣି ଦୁଇଟି ଗାଈ କିଣିଥିଲେ । ସେହି ଋଣ ସୁଝି ପରେ ଆଉ କିଛି ଗାଈ, ମେଣ୍ଢା ଓ ଛେଳି ସହିତ କୁକୁଡ଼ା ଚାଷ କରିବାକୁ ଲାଗିଲେ । ଆଉ ଏବେ ମାଛ ଚାଷ ସହିତ ପରିବା ଚାଷ ମଧ୍ୟ ମଧ୍ୟ ଆରମ୍ଭ କରିଦେଇଛନ୍ତି ନିବେଦିତା ।

Advertisment

ଭୋର୍ ୪ଟାରୁ ଉଠି ନିତ୍ୟକର୍ମ ସାରି ପ୍ରଥମେ ଗାଈ ଗୁହାଳ ସଫା କରିବା ଗୋରୁ ସେବା କରିଥାନ୍ତି ନିବେଦିତା । ଏହାପରେ ଛେଳି ଗୁଡ଼ିକୁ ଖାଇବାକୁ ଦେଇ ବାହାରେ ବାନ୍ଧି ଦିଅନ୍ତି । ଆଉ ପରେ କୁକୁଡ଼ାଙ୍କୁ ଖାଦ୍ୟ ଓ ପାଣି ଦେବାକୁ ପଡ଼ିଥାଏ । ଏହାଛଡ଼ା ନିବେଦିତା ସବୁ ଘର କାମ ଯଥା ରୋଷେଇ ସାରି ନିଜ ପିଲାମାନଙ୍କୁ ଖାଇବାକୁ ଦେଇଥାନ୍ତି । ଏସବୁ କାମ ସରିବା ପରେ ପୋଖରୀ ଯାଇ ମାଛ ଚାଷ କରିଥିବା ପୋଖରୀରେ ମାଛଗୁଡ଼ିକୁ ଦାନା ଦେବାକୁ ପଡ଼ିଥାଏ । ବାଡ଼ିରେ ପନିପରିବା ଫସଲରେ ପାଣି ଦେବା ସହ ଘାସ ବାଛିବା ବଗିଚାକୁ ସଫା କରିବାକୁ ଭୁଲନ୍ତି ନାହିଁ ନିବେଦିତା । ସମୟ ପାଇଲେ କପଡ଼ା ସିଲେଇ କରିବାକୁ ବସିଯାଆନ୍ତି । ଏସବୁ କାମ କରି ମାସକୁ ଭଲ ଦି ପଇସା ରୋଜଗାର କରିବା ସହ ନିଜ ପିଲାମାନଙ୍କୁ ମଧ୍ୟ ଭଲ ପାଠ ପଢ଼ାଇ ପାରୁଛନ୍ତି ନିବେଦିତା । ଏହି କାମ କରି ନିବେଦିତା ଅସ୍ତରଙ୍ଗ ଅଞ୍ଚଳରେ ଜଣେ ସଫଳ ଚାଷୀ ଭାବେ ନିଜକୁ ପ୍ରତିଷ୍ଠିତ କରାଇ ପାରିଛନ୍ତି ।