ଭୀଷଣ ବାତ୍ୟା ରୂପ ନେବ ‘ନିଭାର’ : ୧୦୦ରୁ ୧୧୦ କିମି ବେଗରେ ବହିବ ପବନ; ୨୭ ଯାଏ କୋହଲା ରହିବ ପାଗ

11,589

କନକ ବ୍ୟୁରୋ : ଭୀଷଣ ବାତ୍ୟାର ରୂପ ନେବ ‘ନିଭାର୍‌’ । ୨୫ ତାରିଖ ଅପରାହ୍‌ଣରେ ତାମିଲନାଡ଼ୁ ଓ ପୁଡୁଚେରି ଉପକୂଳ ଅତିକ୍ରମ କରିବା ବେଳେ ପବନର ବେଗ ୧୦୦ରୁ ୧୧୦ କିମି ମଧ୍ୟରେ ରହିବ । ସ୍ଥଳବିଶେଷରେ ୧୨୦ କିମି ବେଗରେ ପବନର ଝଟ୍‌କା ଅନୁଭୂତ ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

କେନ୍ଦ୍ରର ନିର୍ଦ୍ଦେଶକ କହିଛନ୍ତି ଯେ ଗତକାଲି ବଙ୍ଗୋପସାଗରରେ ସ୍ପଷ୍ଟଚିହ୍ନିତ ଲଘୁଚାପ ବଳୟଟି ଘନୀଭୂତ ହୋଇ ଅବପାତର ରୂପ ନେଇଛି । ଏହା ଧୀରେ ଧୀରେ ଉତ୍ତର-ପଶ୍ଚିମ ଆଡ଼କୁ ଗତି କରୁଛି । ଅବପାତ ପୁଡୁଚେରିଠାରୁ ୫୫୦ କିମି ଓ ଦକ୍ଷିଣପୂର୍ବ ଚେନ୍ନାଇଠାରୁ ୫୯୦ କିମି ଦୂରତାରେ ରହିଥିଲା । ଆସନ୍ତା ୨୪ ଘଣ୍ଟା‌‌‌ରେ ଏହା ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବ । ପରେ ଉତ୍ତର-ପଶ୍ଚିମ ଆଡ଼କୁ ଗତି କରି ୨୫ ତାରିଖ ଅପରାହ୍‌ଣ ସୁଦ୍ଧା କରାଇକାଲ୍‌ ଓ ମାମାଲ୍ଲାପୁରମ୍‌ ମଧ୍ୟ ଦେଇ ‘ଭୀଷଣ ବାତ୍ୟା’ ରୂପରେ ତାମିଲନାଡ଼ୁ ଓ ପୁଡୁଚେରି ଉପକୂଳ ଦେଇ ଅତିକ୍ରମ କରିବ । ବାତ୍ୟା ପ୍ରଭାବରେ ୨୫ ତାରିଖ ଦିନ ମାଲକାନଗିରି, ରାୟଗଡ଼ା, ଗଜପତି, କୋରାପୁଟ, ଗଞ୍ଜାମ ଓ କନ୍ଧମାଳ ଆଦି ଜିଲ୍ଲାରେ କେ‌ତେକ ଅଞ୍ଚଳ ସହ ରାଜ୍ୟର ବାକି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ୨୬ ତାରିଖକୁ ବର୍ଷା ପରିମାଣ ବଢ଼ିପାରେ । ଗଜପତି, ଗଞ୍ଜାମ, ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ନବରଙ୍ଗପୁର ଆଦି ଜିଲ୍ଲାର ଅଧିକାଂଶ ସ୍ଥାନରେ ବର୍ଷା ହେବ ।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ‘ନିଭାର’ ପ୍ରଭାବରେ ୨୪ ତାରିଖ ସଂଧ୍ୟାରୁ ରାଜ୍ୟରେ ପାଗ ପରିବର୍ତନ ହେବ । ୨୭ ଯାଏ କୋହଲା ପାଗ ରହିବ । ଦକ୍ଷିଣ ଉପକୂଳ ଜିଲ୍ଲାଗୁଡ଼ିକ ଯଥା ଜଗତସିଂହପୁର, ଖୋର୍ଧା, ପୁରୀ ଓ ଗଞ୍ଜା‌ମ ସହ ଆଭ୍ୟନ୍ତରୀଣ ଦକ୍ଷିଣ ସମ୍ବଲପୁରଠାରୁ ପଶ୍ଚିମକୁ ଥିବା ଜିଲ୍ଲାମାନଙ୍କରେ ଏହାର ପ୍ରଭାବ ପଡ଼ିବ । ୨୬ ତାରିଖ ଦିନ ବିକ୍ଷୀପ୍ତ ବର୍ଷା ହେବ । ବର୍ଷାର ପରିମାଣ ହାଲ୍‌କାରୁ ସ୍ପଳ୍ପ ରହିବ । ୨୪ ତାରିଖରୁ ରାତିର ତାପମାତ୍ରା ବଢ଼ିବ। ଫଳ‌ରେ ଶୀତ କମିବ । ତେବେ ୨୮ ତାରିଖଠାରୁ ରାତିର ତାପମାତ୍ରା କ୍ରମଶଃ କମିବା ଯୋଗୁଁ ଶୀତ ପଡ଼ିବା ଆରମ୍ଭ ହୋଇଯିବ ବୋଲି ଡ. ପଶୁପାଳକ କହିଛନ୍ତି ।

ଗତ ୨୪ ଘଣ୍ଟାରେ କେନ୍ଦୁଝର ଜିଲ୍ଲା ଘଟଗାଁଠାରେ ୬.୪ ମିମି ବର୍ଷା ହୋଇଯାଇଛି । ରାଜ୍ୟର ବାକି ସବୁ ଜିଲ୍ଲାରେ ପାଗ ଶୁଖିଲା ରହିଥିଲା। ରାଜ୍ୟର ୭ ସହର ତାପମାତ୍ରା ୧୫ଡିଗ୍ରୀ ତଳକୁ ଖସିଛି । ରାଜ୍ୟର ସୋନପୁରଠାରେ ୧୧.୨ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ‌ରେକର୍ଡ ହୋଇଛି। ଭୁବନେଶ୍ୱରଠାରେ ସର୍ବନିମ୍ନ ତାପମାତ୍ରା ୧୮.୧ ଡିଗ୍ରୀ ରହିଥିବା ଜଣାପଡ଼ିଛି । ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ସ୍ୱାଭାବିକଠାରୁ ୨-୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମ୍‌ ରହିଛି । ବାକି ସମସ୍ତ ଜିଲ୍ଲାର ତାପମାତ୍ରା ସ୍ୱାଭାବିକ ରହିଛି । ଆସନ୍ତା ୨୪ ଘଣ୍ଟାରେ ସର୍ବନିମ୍ନ ତାପମାତ୍ରା ସାମାନ୍ୟ କମିପାରେ ।