ତାମିଲନାଡ଼ୁ, ପୁଡ଼ୁଚେରୀରେ ‘ନିଭାର’ର ତାଣ୍ଡବ : ପ୍ରବଳ ବର୍ଷାରେ ଚେନ୍ନାଇ ଉବୁଟୁବୁ; ଜରୁରୀ ସ୍ଥିତି ମୁକାବିଲା ପାଇଁ ଯୁଦ୍ଧଜାହାଜ ମୁତୟନ

236

ତାମିଲନାଡ଼ୁ ଏବଂ ପୁଡୁଚେରୀରେ ଆତଙ୍କ ଖେଳାଇଛି ବାତ୍ୟା ‘ନିଭାର’ । ବାତ୍ୟା ପ୍ରଭାବରେ ଚେନ୍ନାଇରେ ପ୍ରବଳ ବର୍ଷା ଲାଗି ରହିଛି ଏବଂ ଚେନ୍ନାଇର ବିଭିନ୍ନ ଅଂଚଳ ଜଳମଗ୍ନ ହୋଇଯାଇଛି । ବର୍ଷା ସାଙ୍ଗକୁ ପ୍ରବଳ ପବନ ବହିବା ମଧ୍ୟ ଆରମ୍ଭ ହୋଇଯାଇଛି । ଏହାଦ୍ବାରା ଲୋକମାନଙ୍କ ମଧ୍ୟରେ ଭୟ ବଢ଼ିଯାଇଛି । ଆଜି ସନ୍ଧ୍ୟା ୭ରୁ ସକାଳ ୭ ପର୍ଯ୍ୟନ୍ତ ଚେନ୍ନାଇ ବିମାନବନ୍ଦରରୁ କୌଣସି ବିମାନ ଉଡ଼ାଣ କରିବନି କି ଅବତରଣ କରିବନି । ମେଟ୍ରୋ ସେବା ମଧ୍ୟ ବନ୍ଦ ରହିବ । ଶକ୍ତିଶାଳୀ ବାତ୍ୟା ‘ନିଭାର’ ଅତି ଭୟଙ୍କର ରୂପ ଧାରଣ କରିଛି । ପୁଡ଼ୁଚେରୀ ନିକଟସ୍ଥ ଉପକୂଳରେ ବାତ୍ୟା ମାଡ଼ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ବାତ୍ୟା ପ୍ରଭାବ ଚେନ୍ନାଇରେ ଅଧିକ ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ଯୋଗୁଁ ଚେନ୍ନାଇର ପ୍ରମୁଖ ଅଂଚଳଗୁଡ଼ିକ ଜଳବନ୍ଦୀ ହୋଇଯାଇଛି । ଅସ୍ଥାୟୀ ଭାବେ କେତେକ ରାସ୍ତାକୁ ବନ୍ଦ କରିଦିଆଯାଇଛି ।

ତାମିଲନାଡ଼ୁର ମମଲ୍ଲାପୁରମ୍‌ ଏବଂ ପୁଡ଼ୁଚେରୀର କରିକଲ୍‌ରେ ବାତ୍ୟା ମାଡ଼ ହେବ ଏବଂ ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ପ୍ରାୟ ୧୪୫ କିମି ରହିବ । ପ୍ରବଳ ବର୍ଷା ଯୋଗୁଁ ଚେନ୍ନାଇ ବାହାରେ ଥିବା ଚେମ୍ବରମ୍ବକ୍କମ ହ୍ରଦରେ ଜଳସ୍ତର ବୃଦ୍ଧି ପାଇଛି । ହ୍ରଦରୁ ୧୦୦୦ କ୍ୟୁସେକ୍‌ ଅତିରିକ୍ତ ଜଳ ଖାଲି କରାଯିବ । ଏହାଦ୍ବାରା ଚେନ୍ନାଇର ଅଡୟାର ନଦୀରେ ଜଳସ୍ତର ବୃଦ୍ଧି ପାଇବ । ତେଣୁ ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ଖାଲି କରାଯାଇଛି । ରାଜ୍ୟରେ ୧ ଲକ୍ଷ ୨୫ ହଜାର ଲୋକଙ୍କୁ ଏବେ ସରକାରୀ ରିଲିଫ୍‌ ସେଣ୍ଟରରେ ରଖାଯାଇଛି । ତାମିଲନାଡ଼ୁରେ ୧୨୦୦ ଏନ୍‌ଡିଆରଏଫ୍‌ ସଦସ୍ୟ ମୁତୟନ ହୋଇଛନ୍ତି । ଯେ କୌଣସି ଜରୁରୀ ସ୍ଥିତି ପାଇଁ ଯୁଦ୍ଧ ଜାହାଜ ମଧ୍ୟ ମୁତୟନ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଇକେ ପଲାନିସ୍ବାମୀ ଏବଂ ପୁଡ଼ୁଚେରୀ ମୁଖ୍ୟମନ୍ତ୍ରୀ ନାରାୟଣସ୍ବାମୀଙ୍କ ସହ ବାତ୍ୟା ମୁକାବିଲା ଓ ସହାୟତା ସଂପର୍କରେ ଆଲୋଚନା କରିଛନ୍ତି ।