କନକ ବ୍ୟୁରୋ : ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ କନ୍ଧମାଳ ଲୋକସଭା କ୍ଷେତ୍ରରେ ପହଞ୍ଚି ବିଭିନ୍ନ ବିଧାନସଭା ମଣ୍ଡଳୀ ବୁଲିଛନ୍ତି । ବୁଥ୍ ସ୍ତରୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ ମନ୍ତ୍ରୀ । ମୋଦୀ ସରକାରର ୯ ବର୍ଷର ବିକାଶ କଥା କିପରି ଲୋକଙ୍କ ପାଖରେ ପହଞ୍ଚିବ ସେନେଇ କର୍ମୀଙ୍କୁ କହିଥିଲେ । ରାଜ୍ୟ ସରକାର ଆୟୁଷ୍ମାନ ଯୋଜନା ଲାଗୁ ନକରିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ମନ୍ତ୍ରୀ ।

Advertisment

ତେବେ ପ୍ରଥମ ଦିନରେ ସେ ଦଶପଲ୍ଲା, ବୌଦ୍ଧ, କଣ୍ଟାମାଳ ବିଧାନସଭା ମଣ୍ଡଳୀରେ ସଞ୍ଚାଳନ ଓ କୋର କମିଟିରେ ଉପସ୍ଥିତ ରହିଥିବା ବେଳେ ଆଜି ଘୁ.ଉଦୟଗିରି ଓ ବାଲିଗୁଡ଼ା ବିଧାନସଭା ମଣ୍ଡଳୀରେ ଥିବା ସଞ୍ଚାଳନ ଓ କୋର କମିଟି ବୈଠକରେ ଯୋଗ ଦେଇଥିଲେ । ଜିଲ୍ଲା ସଭାପତି ଜଗନ୍ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେନ୍ଦ୍ରମନ୍ତ୍ରୀଙ୍କ ସମେତ ରାଜ୍ୟ ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର, ଲୋକସଭା କ୍ଷେତ୍ର ପ୍ରଭାରୀ ନିରଞ୍ଜନ ମିଶ୍ର, ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ, ବନ ମହାନ୍ତି, ଦେବେନ୍ଦ୍ର କୁଦେଇ, ପଦ୍ମଚରଣ ଦାଶ ସମେତ ବିଭିନ୍ନ ମଣ୍ଡଳ ଓ ବୁଥ୍‌ର କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ଦେଶରେ ୨୦୨୪ ସାଧାରଣ ନିର୍ବାଚନକୁ ନେଇ ଏବେ ଠାରୁ ରାଜନୀତି ପ୍ରସ୍ତୁତ ଜୋରଦାର ହୋଇଥିବା ବେଳେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଦୁଇଦିନିଆ କନ୍ଧମାଳ ଲୋକସଭା କ୍ଷେତ୍ରରେ ଆସି ପହଞ୍ଚିବା ଅଧିକ ଗୁରୁତ୍ୱ ବହନ କରୁଛି ।