କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନରେ ମୋଦୀଙ୍କୁ କ୍ଷମତାଚ୍ୟୁତ କରିବାକୁ ନୀତୀଶଙ୍କ ଫର୍ମୁଲା । ମୋଦୀ ବିରୋଧୀଙ୍କୁ ଏକାଠି କରିବା ପାଇଁ ଜୋରଦାର ଉଦ୍ୟମ ଚଳାଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ । ହେଲେ ବିଭିନ୍ନ ରାଜନୈତିକ ଦଳରେ ବିଚାରଗତ ବିଭେଦ ଥିବରୁ ସମସ୍ତେ ଏକାଠି ହୋଇପାରୁ ନାହାନ୍ତି । ପ୍ରସଙ୍ଗ ଭିତ୍ତିରେ ମତଭେଦ ଦେଖାଦେଉଛି । ତେଣୁ ଆଗାମୀ ସାଧାରଣ ନିର୍ବାଚନରେ ବିରୋଧୀ କେମିତି ଏକାଠି ହୋଇ ବିଜେପି ଓ ମୋଦୀଙ୍କ ବିରୋଧରେ ଲଢିବେ, ସେଥିପାଇଁ ଏକ ଫର୍ମୁଲା ବାହାର କରିଛନ୍ତି ନୀତୀଶ କୁମାର ।
ନୀତୀଶଙ୍କ ଫର୍ମୁଲା
- ସହମତି ଭିତ୍ତିରେ ବିଜେପି ବିରୋଧରେ ପ୍ରାର୍ଥୀ ଦେବାକୁ ପ୍ରସ୍ତାବ
- ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ଅପିଲ
- ସ୍ଥାନ ବିଶେଷରେ ଆଞ୍ଚଳିକ ଦଳର ପ୍ରାର୍ଥୀ ଦିଆଯାଇପାରେ
- ମୋଦୀ ବିରୋଧୀ ଦଳ ପରସ୍ପର ବିରୋଧରେ ନଲଢିବାକୁ ପ୍ରସ୍ତାବ
- ପରସ୍ପର ବିରୋଧରେ ଲଢି଼ଲେ ଭୋଟ୍ ଭାଗ ହୋଇଯିବା ଆଶଙ୍କା
- ବିରୋଧୀ ଏକାଠି ହୋଇ ଲଢିଲେ ବିଜେପିକୁ ହରାଇବା ସମ୍ଭବ ହେବ
- ବିହାରରେ ବିଜେପିକୁ କ୍ଷମତାରୁ ଦୂରେଇ ରଖିବାରେ ସଫଳ ହୋଇଥିଲା ମହାଗଠବନ୍ଧନ
ବିଜେପି ଭୋଟ୍ ଗଣିତ
- ୨୦୧୯ ଲୋକସଭା ନିର୍ବାଚନରେ ବିଜେପିକୁ ମିଳିଥିଲା ୩୮% ଭୋଟ୍
- ବିଜେପି ଓ ଏନଡିଏ ମେଣ୍ଟ ମିଶି ପାଇଥିଲେ ୪୫% ଭୋଟ୍
- ପୂର୍ବ ଲୋକସଭା ନିର୍ବାଚନରେ ଏନଡିଏ ମେଣ୍ଟକୁ ମିଳିଥିଲା ୬୨% ଭୋଟ୍
- ଏବେ ଏନଡିଏ ମେଂଟରେ ନାହାନ୍ତି ଶିରୋମଣି ଅକାଳି ଦଳ ଓ ଉଦ୍ଧବ ଗୋଷ୍ଠୀ
- ତେଣୁ ୨୦୨୪ରେ ବିଜେପି ଭୋଟ୍ ଆହୁରି କମିବା ଆଶଙ୍କା
- ବିହାର, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଦିଲ୍ଲୀରେ ବିଜେପିକୁ ରୋକିବା ସମ୍ଭବ ହୋଇପାରେ
ଜାତୀୟ ରାଜନୀତିରେ ମୋଦୀଙ୍କ ପ୍ରଭାବ କମାଇବା ପାଇଁ ମୋର୍ଚ୍ଚା ବାନ୍ଧିବାକୁ ବାରମ୍ବାର ପ୍ରୟାସ ହେଉଛି । ପ୍ରଥମେ କେସିଆର, ପରେ ମମତା, ଷ୍ଟାଲିନ ଓ ଏବେ ନୀତୀଶ କୁମାର ଏହାର ମଙ୍ଗ ଧରିଛନ୍ତି । ହେଲେ ବିରୋଧୀ ଗୋଷ୍ଠୀରେ ବିଭିନ୍ନ ପ୍ରସଙ୍ଗରେ ଅସହମତି ମଧ୍ୟ ରହିଛି । ଆଉ ବିରୋଧୀ ଏକତାରେ ଫାଟ ବିଜେପିକୁ ଅଧିକ ବଳ ଯୋଗାଉଛି ।