କନକ ବ୍ୟୁରୋ : ବିହାରରେ ଏନଡିଏ ସରକାର ମଧ୍ୟରେ ଚାଲିିଥିବା ଟଣା ଓଟରା ଭିତରେ ବିଜେପି ସାଂସଦ ଛେଦି ପାଶୱାନ ମୁଖ୍ୟମନ୍ତ୍ରୀ ନିତୀଶ କୁମାରଙ୍କ ଉପରେ ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ଦିଲ୍ଲୀରେ ଗଣମାଧ୍ୟମ ସହ ସାକ୍ଷାତକାର ବେଳେ ଛେଦି ପାଶୱାନ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣି କହିଛନ୍ତି କି ବିଜେପି ବିହାରରେ ନିତୀଶ କୁମାରଙ୍କ ସହ ମେଣ୍ଟ କରି ଭୁଲ କରିଛି । ଏନେଇ ଏବେ ବିହାରର ସମସ୍ତ ବିଜେପି କାର୍ଯ୍ୟକର୍ତ୍ତା ଓ ନେତା ପଶ୍ଚାତାପ କରୁଛନ୍ତି । କେବଳ ସେତିକି ନୁହେଁ ଛେଦି କହିଛନ୍ତି କି ବିଶେଷ ରାଜ୍ୟ ପ୍ରସଙ୍ଗଳ ଜାତୀୟ ଜନଗଣନା ପ୍ରସଙ୍ଗ ସହ ଅନେକ ମୁଦ୍ଦା ଉପରେ ଜେଡିୟୁ ବିଜେପିକୁ ବ୍ଲାକମେଲିଂ କରୁଛି ।

Advertisment

ସବୁଠାରୁ ବଡ କଥା କି ଗଣମାଧ୍ୟମ ସାମ୍ନାରେ ଛେଦି କହିଛନ୍ତି କି କେବଳ ବିଜେପି ନୁହେଁ କ୍ଷମତା ହାସଲ କରିବାକୁ ନିତୀଶ ଆତଙ୍କବାଦୀ ଦାଉଦ ଇବ୍ରାହିମ ସହ ମେଣ୍ଟ କରିପାରିବେ । ଅନ୍ୟପଟେ ସେ କହିଛନ୍ତି କି, ୨୦୨୦ ବିଧାନସଭା ନିର୍ବାଚନରେ ବିଜେପି ଏକାକୀ ବିଧାନସଭା ନିର୍ବାଚନ ଲଢିଥିଲେ ବହୁମତ ହାସଲ କରିବାରେ ସଫଳ ହୋଇଥାନ୍ତା । ବିଜେପି ସାଂସଦଙ୍କ ଏଭଳି ବୟାନକୁ ନେଇ ବିହାର ରାଜନୀତି ସରଗରମ ହେବାରେ ଲାଗିଛି । ଗୋଟିଏ ପଟେ ବିଜେପିର କିଛି ନେତା ସାଂସଦ ଛେଦିଙ୍କ ବୟାନ ବିରୋଧ କରୁଥିବା ବେଳେ ଏହାର ଫାଇଦା ନେଇ ବିରୋଧୀମାନେ ଉଭୟ ବିଜେପି ଓ ଜେଡିୟୁକୁ ଉପହାସ କରିବାରେ ଲାଗିଛନ୍ତି ।

ଏହି କ୍ରମରେ ବିହାରର ମୁଖ୍ୟ ବିରୋଧୀଦଳ ଆରଜେଡି ନେତା ଜଗଦାନନ୍ଦ ସିଂ କହିଛନ୍ତି କି ହୋଇପାରେ ମେଣ୍ଟରେ ସରକାର ଥିବାରୁ ବିଜେପି ସାଂସଦଙ୍କ ପାଖରେ ନିତୀଶ କୁମାରଙ୍କ ଅଧିକ ତଥ୍ୟ ଥାଇପାରେ ।