ବିହାରରେ ଭାଙ୍ଗିବ କି ଆରଜେଡି-ଜେଡିୟୁ ମେଣ୍ଟ? ପୁଣି ବିଜେପି ସହ ମେଣ୍ଟ କରିବେ କି ନୀତିଶ?

199

କନକ ବ୍ୟୁରୋ: ବିହାରରେ ଭାଙ୍ଗିଯିବ କି ମହାମେଣ୍ଟ ସରକାର? ମୁଖ୍ୟମନ୍ତ୍ରୀ ଆସନରୁ ହଟିବେ କି ନୀତିଶ କୁମାର? ବଦଳୁଥିବା ସମୟ ସହ ବିହାର ରାଜନୀତି ମଧ୍ୟ ଏବେ କଡ ଲେଉଟାଇବା ଆରମ୍ଭ କରିଛି । ଆଉ କୁହାଯାଉଛି ଖୁବଶୀଘ୍ର ବିହାରରେ କିଛି ବଡ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଏପରିକି ନୀତିଶ କୁମାର ଆରଜେଡି ସହ ସମ୍ପର୍କ ଭାଙ୍ଗି ବିଜେପି ସହ ପୁଣି ଥରେ ମେଣ୍ଟ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଲାଲୁ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ସୋସିଆଲ୍ ମିଡିଆରେ ନୀତିଶଙ୍କୁ ଟାର୍ଗେଟ କରି ଏକ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟ ପରେ ବିହାର ରାଜନୀତିରେ ଏବେ ସବୁକିଛି ଠିକ୍ ଚାଲିନଥିବା ସ୍ପଷ୍ଟ ହେଇଯାଇଛି । କୁହାଯାଉଛି ଆରଜେଡି ସହ ସମ୍ପର୍କ ଛିନ୍ନ କରି ନୀତିଶ ପଦ୍ମ ସହ ପୁଣି ମେଣ୍ଟ କରିପାରନ୍ତି । ଅନ୍ୟପଟେ ବିଜେପିର କହିବା କଥା, ନୀତିଶଙ୍କୁ ସେ ସେତେବେଳେ ସାଙ୍ଗରେ ନେବେ, ଯେତେବେଳେ ସେ ମୁଖ୍ୟମନ୍ତ୍ରୀ ପଦ ଛାଡିବେ ।

ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ନୀତିଶ କୁମାର ଯଦି ମୁଖ୍ୟମନ୍ତ୍ରୀ ପଦ ଛାଡି ବିଜେପି ସହ ମେଣ୍ଟ କରିବେ, ତେବେ ଯାଇ ବିଜେପି ନୀତିଶଙ୍କୁ ଗ୍ରହଣ କରିପାରେ । ଏପରି ସ୍ଥଳେ ମେଣ୍ଟ ସରକାରରେ ବିଜେପି ନିଜର ମୁଖ୍ୟମନ୍ତ୍ରୀ ବାଛିବ । ଯଦି ସେପରି ନହୁଏ ତେବେ ବିଧାନସଭା ଭାଙ୍ଗିବା ହିଁ ଏକମାତ୍ର ବିକଳ୍ପ ରହିବ । ଏପରି ହେଲେ, ବିହାରରେ ଲୋକସଭା ନିର୍ବାଚନ ସହିତ ବିଧାନସଭା ନିର୍ବାଚନ ମଧ୍ୟ ଦେଖିବାକୁ ମିଳିପାରେ ।

ସୂଚନାଯୋଗ୍ୟ ଯେ, ବିହାରରେ ଏବେ ମହାମେଣ୍ଟ ସରକାର ଭେଣ୍ଟିଲେଟରରେ ଥିବା ଭଳି ମନେ ହେଉଛି । ବୁଧବାର ନୀତିଶ କୁମାର ଲାଲୁ ଯାଦବଙ୍କ ନାଁ ନନେଇ ପରିବାରବାଦକୁ ଟାର୍ଗେଟ କରଥିଲେ । ଏହାପରେ ଲାଲୁଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ମଧ୍ୟ ସମାନ ଢଙ୍ଗରେ ନୀତିଶ କୁମାରଙ୍କୁ ତେରେଛା ତୀର ମାରିଥିଲେ । ଯାହାପରେ ବିହାରରେ ଜେଡିୟୁ-ଆରଜେଡି ମେଣ୍ଟରେ ଫାଟ ସୃଷ୍ଟି ହେଇଥିବା କଥା ପକ୍କା ହେଇଯାଇଥିଲା ।

ଏହାପୂର୍ବରୁ ବିଜେପି ପ୍ରଦେଶ ଅଧ୍ୟକ୍ଷ ସମ୍ରାଟ ଚୌଧୁରୀ କହିଥିଲେ ଯେ, ନୀତିଶ କୁମାର ଯାହା ସହ ରୁହନ୍ତି, ତା ବିରୋଧରେ ହିଁ ଷଡଯନ୍ତ୍ର କରନ୍ତି । ନୀତିଶ କୁମାର କେବଳ ନିଜ ପାଇଁ ହିଁ ଜିଅନ୍ତି । ପରିବାରବାଦ ବିଷୟରେ ଜାଣି ମଧ୍ୟ ସେ ଲାଲୁଙ୍କ ସହ ରହିଛନ୍ତି । ତାଙ୍କର ଏହା ହେଉଛି ଦୋଗଲାପଣ । ନୀତିଶ କୁମାରଙ୍କର ନିଜସ୍ୱ କୌଣସି ରାଜନୈତିକ ଚରିତ୍ର ଏବଂ ବିଚାରଧାରା ନାହିଁ ବୋଲି ସେ କହିଛନ୍ତି ।