୧୯ ମହାସମରରେ ଆଜି ଶେଷ ପର୍ଯ୍ୟାୟ ଭୋଟିଂ। ଦେଶର ଲମ୍ୱା ମତଦାନ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଲେ ନୀତିଶ। କହିଲେ, ଫେବୃଆରୀ, ମାର୍ଚ୍ଚ କିମ୍ବା ଅକ୍ଟୋବରରେ ହେଉ ନିର୍ବାଚନ

172

କନକ ବ୍ୟୁରୋ: ଆଜି ଦେଶରେ ଚାଲିଛି ସାଧାରଣ ନିର୍ବାଚନର ଶେଷ ତଥା ସପ୍ତମ ପର୍ଯ୍ୟାୟ ମତଦାନ । ଏଭଳି ସମୟରେ ଦେଶର ଲମ୍ୱା ମତଦାନ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତିଶ କୁମାର । ଦେଶରେ ଅପ୍ରେଲ ଓ ମେ ମାସରେ ୭ ଟି ପର୍ଯ୍ୟାୟରେ ଭୋଟ୍ କରାଯିବାକୁ ନେଇ ଖାସ କରି ସେ ପ୍ରଶ୍ନ କରିଛନ୍ତି । ପ୍ରବଳ ଖରାରେ ଏପରି ମତଦାନ ପ୍ରକ୍ରିୟା ଭୋଟରଙ୍କୁ ଅନେକ ସମସ୍ୟାରେ ପକାଉଛି । ଯେତେବେଳେ ପ୍ରବଳ ଖରାରେ ବାହାରିବା ମୁସ୍କିଲ୍ ହୋଇଯାଉଛି , ଲୋକେ କେମିତି ପଦାକୁ ଆସି ଭୋଟ୍ ଦେବେ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏହାକୁ ନେଇ ଦେଶର ନିର୍ବାଚନ କମିଶନଙ୍କୁ ପରାମର୍ଶ ଦେଇଛନ୍ତି ନୀତିଶ । କହିଛନ୍ତି ଏତେ ଲମ୍ୱା ନିର୍ବାଚନ ଅବଧି ନକରି ଏହାକୁ ଛୋଟିଆ କରାଗଲେ ଭଲ ହୁଅନ୍ତା । ଦେଶର ସମସ୍ତ ରାଜନୈତିକ ଦଳ ଏନେଇ ଏକାଠି ବସି ବିଚାର କରିବା ଆବଶ୍ୟକ । ଭୋଟକୁ ଫ୍ରେବ୍ରୁଆରୀରୁ ମାର୍ଚ କିମ୍ୱା ଅକ୍ଟୋବର – ନଭେମ୍ୱର ମାସରେ କରାଇଲେ ଏହା ସାଧାରଣ ଲୋକଙ୍କ ପାଇଁ ସୁବିଧା ଜନକ ହେବ ବୋଲି ସେ କହିଛନ୍ତି । ଏହା ସହିତ ସେ କହିଛନ୍ତି ନିର୍ବାଚନ ସରିବା ପରେ ପରେ ସେ ଦେଶର ସମସ୍ତ ରାଜନୈତିକ ଦଳ ଗୁଡିକୁ ଏହା ଉପରେ ବିଚାର କରିବାକୁ ଚିଠି ଲେଖିବେ ବୋଲି କହିଛନ୍ତି । ପୁରା ନିର୍ବାଚନକୁ ୩ରୁ ୪ ଟି ପର୍ଯ୍ୟାୟରେ ଶେଷ କରିବାକୁ ପ୍ରସ୍ତାବ ରଖିଛନ୍ତି ନୀତିଶ କୁମାର ।

ସବୁଠାରୁ ରୋଚକ କଥା ହେଉଛି ଚଳିତ ଥର ବିରୋଧୀ ଦଳ ଗୁଡିକ ମଧ୍ୟ ନିର୍ବାଚନ ପ୍ରକ୍ରିୟାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠାଇଛନ୍ତି । କିଛି ଦଳ ମଧ୍ୟ ରମଜାନ୍ ମାସରେ ଭୋଟ୍ ରଖାଯିବାକୁ ନେଇ ପ୍ରଶ୍ନ ଉଠାଇଥିଲେ । ତେବେ ଏହା ପ୍ରଥମ ଥର ଯେ ବିଜେପିର ସହଯୋଗୀ ଦଳ ଦେଶର ନିର୍ବାଚନ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛି ।