ଦୀପାବଳି ପରେ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ କୁମାର : ହେଲେ ସବୁ ଓଲଟାଇଦେଲା ନିର୍ବାଚନୀ ଫଳାଫଳ, ବଡଭାଇରୁ ନିତୀଶ ପାଲଟିଗଲେ ସାନଭାଇ

ଏପଟେ ଦିଲ୍ଲୀ ବିଜୟ ଉତ୍ସବରେ ମୋଦି କହିଲେ, ଗଣତନ୍ତ୍ର ପାଇଁ ବିପଦ ପରିବାର ନିୟନ୍ତ୍ରଣରେ ଥିବା ଦଳ

315

କନକ ବ୍ୟୁରୋ : ବିହାରରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ନୀତିଶ କୁମାର । ରାଜ୍ୟରେ ଏନଡିଏକୁ ସ୍ପଷ୍ଟ ବହୁମତ ମିଳିଛି । ତେଣୁ ଦୀପାବଳି ପରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ । ଖବର ଅନୁସାରେ, ୧୬ ନଭେମ୍ବରରେ ନୀତିଶଙ୍କ ଶପଥଗ୍ରହଣ ସମାରୋହ ହୋଇପାରେ । ସପ୍ତମ ଥର ଲାଗି ନୀତିଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ହେବେ । ୨ ହଜାର ମସିହାରୁ ସେ ବିହାରର ମୁଖ୍ୟମନ୍ତ୍ରୀ ରହିଆସିଛନ୍ତି । ବିହାରରେ ଏନଡିଏ ମେଂଟରେ ବିଜେପି ସବୁଠାରୁ ବଡ ଦଳ ହେବା ପରେ ଅନୁମାନ କରାଯାଉଥିଲା ବିଜେପି ମୁଖ୍ୟମନ୍ତ୍ରୀ ପଦ ଦାବି କରିପାରେ ।

କିନ୍ତୁ ଗତକାଲି ବିଜେପି ମୁଖ୍ୟାଳୟରେ କର୍ମୀଙ୍କୁ ସମ୍ବୋଧନ ବେଳେ ମୋଦି ସ୍ପଷ୍ଟ କରିଥିଲେ ଯେ, ନୀତିଶଙ୍କ ନେତୃତ୍ୱରେ ହିଁ ବିହାରରେ ଏନଡିଏ ସରକାର ହେବ । ଗତକାଲି ସନ୍ଧ୍ୟାରେ ନିର୍ବାଚନ ଫଳାଫଳ ନେଇ ନୀତିଶ ପ୍ରତିକ୍ରିୟା ଦେଇଥିଲେ । ସେ ବିଜୟ ପାଇଁ ବିହାରବାସୀ ଓ ମୋଦିଙ୍କୁ ଧନ୍ୟବାଦ ଦେଇଥିଲେ । ଏଥର ବିହାର ବିଧାନସଭାରେ ଏନଡିଏକୁ ୧୨୫ ଆସନ ମିଳିଛି । ପ୍ରାୟ ଦୁଇଦଶକ ପରେ ଜେଡିୟୁକୁ ପଛରେ ପକାଇ ବିଜେପି ବଡ ଦଳ ହୋଇଛି । ବିଜେପିକୁ ୭୪ ଆସନ ମିଳିଥିବାବେଳେ ଜେଡିୟୁକୁ ୪୩ ଆସନ ମିଳିଛି । ବିଜେପି ମନ୍ତ୍ରିମଣ୍ଡଳରେ ଅଧିକ ଭାଗ ଦାବି କରିପାରେ ।

ନିର୍ବାଚନୀ ସଫଳତା ପରେ ଏନ୍ଡିଏର ସମସ୍ତ କର୍ମକର୍ତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି-ଦେଶର ବିକାଶ ଓ ଲୋକଙ୍କ ବିକାଶକୁ ଲକ୍ଷ୍ୟରେ ରଖି ଏନ୍ଡିଏ ଅଗ୍ରସର ହେଉଛି । ଏବେ ଦେଶରେ ସେମାନଙ୍କୁ ସେବା କରିବାର ସୁଯୋଗ ମିିଳିବ ଯେଉଁମାନେ ଦେଶର ବିକାଶକୁ ଲକ୍ଷ୍ୟରେ ରଖି ନିଷ୍ଠାପର ଓ ସ୍ୱଚ୍ଛ ନୀତିରେ କାମ କରିବେ । ଦେଶରେ ପରିବାର ଗୁଡ଼ିକରେ ଥିବା ଦଳ ଗଣତନ୍ତ୍ର ପାଇଁ ବିପଦ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ କହିଛନ୍ତି ।

କଂଗ୍ରେସକୁ ସମାଲୋଚନା କରିବା ସହ ବିଜୟରେ ଉତ୍ସାହିତ ଏବଂ ପରାଜୟରେ ଅବସୋସ ଭାବ ନରଖି କାମ କରିବା ଆମର ମୁଳମନ୍ତ୍ର ହେବା ଆବଶ୍ୟକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ବିହାର ବିଜୟ ପରେ ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଜୟ ଉତ୍ସବ ପାଳନ କରିଛି । ହଜାର ହଜାର ସଂଖ୍ୟାରେ କର୍ମୀ ଓ ଦଳର ତୁଙ୍ଗ ନେତା ବିଜୟ ଉତ୍ସବରେ ସାମିଲ ହୋଇଥିଲେ । ଏହି ବିଜୟୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସମେତ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହା ସାମିଲ ହୋଇଥିଲେ ।