ଇଣ୍ଡିଆ ମେଣ୍ଟ ନୀତିଶଙ୍କୁ ଦେଇଥିଲା ପ୍ରଧାନମନ୍ତ୍ରୀ ପଦ ଅଫର, କିନ୍ତୁ… । ଜେଡିୟୁ ନେତା ଦେଲେ ବଡ ବୟାନ ।

8,468

କନକ ବ୍ୟୁରୋ : ଏନଡିଏର ନେତା ଭାବେ ନିର୍ବାଚିତ ହେବା ପରେ ରବିବାର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦୀ । ଚଳିତ ନିର୍ବାଚନରେ ବିଜେପିକୁ ସ୍ପଷ୍ଟ ବହୁମତ ମିଳିନଥିବା ବେଳେ ଏନଡିଏର ସହଯୋଗୀ ଦଳକୁ ନେଇ ସରକାର ଗଢିବେ ମୋଦୀ । କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିନଥିବା ବେଳେ ଇଣ୍ଡିଆ ମେଣ୍ଟ ମଧ୍ୟ ସରକାର ଗଢିବାକୁ ପ୍ରୟାସ କରିଥିଲା । ଯାହାର ଖୁଲାସା କରିଛନ୍ତି ଜେଡିୟୁର ବରିଷ୍ଠ ନେତା କେସି ତ୍ୟାଗୀ ।

ଜାତୀୟ ଗଣମାଧ୍ୟମରେ କେସି ତ୍ୟାଗୀ ଦେଇଥିବା ପ୍ରତିକ୍ରିୟାରେ କହିଛନ୍ତି, ଆମ ଦଳର ନେତାଙ୍କୁ ଅନେକ ଅଫର ମିଳିଥିଲା କିନ୍ତୁ ଏହାକୁ ପ୍ରତ୍ୟାଖାନ କରିଥିଲେ ନୀତିଶ । ଏପରିକି ପ୍ରଧାନମନ୍ତ୍ରୀ ହେବାକୁ ମଧ୍ୟ ଅଫର ଆସିଥିଲା । ଏଭଳି ଅଫର ସେଭଳି ଲୋକଙ୍କ ଠାରୁ ଆସିଥିଲା ଯେଉଁମାନେ ଇଣ୍ଡିଆ ମେଣ୍ଟରେ ନୀତିଶଙ୍କୁ ସଂଯୋଜକ କରିବାକୁ ମଧ୍ୟ ମନା କରିଥିଲେ । ଇଣ୍ଡିଆ ମେଣ୍ଟର ଆମେ ସୃଷ୍ଟିକର୍ତ୍ତା ଥିଲୁ । କଂଗ୍ରେସ ଦଳକୁ ନେଇ ଅନ୍ୟ ଦଳ ମଧ୍ୟରେ ଥିବା ଦୂର କରିଥିଲେ ନୀତିଶ । ଅଖିଳେଶ ଯାଦବ, କେଜ୍ରିୱାଲ, ମମତା ବାନାର୍ଜୀ କଂଗ୍ରେସ ସହ ମଞ୍ଚ ସେୟାର କରିବାକୁ ମଧ୍ୟ ପ୍ରସ୍ତୁତ ନଥିଲେ ।

ଆମ ଦଳ ଓ ନେତାଙ୍କ ସହ ଯେଉଁଭଳି ବ୍ୟବହାର କରାଗଲା ତାହାର ଫଳସ୍ୱରୂପ ଆମେ ଇଣ୍ଡିଆ ମେଣ୍ଟରୁ ବାହାରି ଏନଡିଏରେ ଯୋଗ ଦେଇଥିଲୁ । ନିର୍ବାଚନ ଫଳାଫଳ ଆସିବା ପରେ ଇଣ୍ଡିଆ ମେଣ୍ଟର ଅନେକ ଶୀର୍ଷ ନେତୃତ୍ୱ ନୀତିଶଙ୍କ ସହ ଯୋଗାଯୋଗ କରିବାକୁ ଚାହୁଁଥିଲେ । କିନ୍ତୁ ଦଳ ପକ୍ଷରୁ ପଛକୁ ଫେରିବାର ପ୍ରଶ୍ନ ଉଠୁନଥିଲା । ଏବେ ଆମେ ମୋଦୀଙ୍କ ନେତୃତ୍ୱରେ ଏନଡିଏକୁ ଶକ୍ତିଶାଳୀ କରିବୁ ।