କନକ ବ୍ୟୁରୋ: କର୍ଣ୍ଣାଟକ ନିର୍ବାଚନ ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ‘ଅପରେସନ୍ ବିରୋଧୀ’କୁ ଆହୁରି ମଜଭୁତ କରିବା ପାଇଁ ଆଉ ପାଦେ ଆଗେଇଛନ୍ତି । କିଛି ଦିନ ତଳେ ଓଡ଼ିଶା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରେ ଏବେ ନୀତୀଶ ମୁମ୍ବାଇରେ ପହଂଚିଛନ୍ତି । ସେଠାରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟିଛନ୍ତି ନୀତୀଶ କୁମାର ଓ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ । ଉଦ୍ଧବଙ୍କୁ ଭେଟିବା ପରେ ସିଧାସଳଖ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିଛନ୍ତି ବିହାର ମୁଖ୍ୟମନ୍ତ୍ରୀ । ସାକ୍ଷାତ କରିସାରିବା ପରେ ନୀତୀଶ କହିଛନ୍ତି,

ଆଜି ଯିଏ କେନ୍ଦ୍ରରେ ଅଛନ୍ତି, ସେ ଦେଶ ପାଇଁ କିଛି କାମ କରୁନାହାନ୍ତି
କେନ୍ଦ୍ର ସରକାର ବିରୋଧରେ ସବୁ ବିରୋଧୀ ଏକାଠି ହେବା ଦରକାର
ବିରୋଧୀ ଏକାଠି ହେଲେ, ୨୦୨୪ରେ ବିଜୟ ସୁନିଶ୍ଚିତ
କାହାର କାହା ବିରୋଧରେ କୌଣସି ବିବାଦ ନରହିବା ଦରକାର
ଅଲଗା-ଅଲଗା ରାଜ୍ୟରେ ଅନ୍ୟ ଦଳର ସରକାର ଅନେକ ବିକାଶମୂଳକ କାମ କରୁଛନ୍ତି
କିନ୍ତୁ ଏହା ଉପରେ କେବେବି ଆଲୋଚନା ହେଉନାହିଁ

ସେପଟେ ନୀତୀଶଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖିଛନ୍ତି ଉଦ୍ଧବ ଓ ଶରଦ ପାୱାର । ଉଦ୍ଧବ କହିଛନ୍ତି, ଏବେ ଅସଲ ଲଢ଼େଇ ଆରମ୍ଭ ହୋଇସାରିଛି । ଜନପ୍ରତିନିଧିଙ୍କ ପାଇଁ ଲଢ଼ିବା ମୋ କାମ । ଆମେ ସମସ୍ତେ ମିଶି ଲଢ଼ିବା ଏବଂ ଯେଉଁମାନେ ଦେଶକୁ କ୍ରୀତଦାସ କରୁଛନ୍ତି, ସେମାନଙ୍କୁ ଖୁବଶୀଘ୍ର ଜେଲ୍ ପଠାଯିବ । ସେହିପରି ଏନସିପି ମୁଖ୍ୟ ଶରଦ ପାୱାର ମଧ୍ୟ ସମାନ କଥା ଦୋହରାଇଛନ୍ତି । କହିଛନ୍ତି, ଦେଶର ଗଣତନ୍ତ୍ର ରକ୍ଷା କରିବା ପାଇଁ ଆମ ସମସ୍ତଙ୍କୁ ମିଳିମିଶି କାମ କରିବାର ଆବଶ୍ୟକ ରହିଛି । ସେପଟେ ନୀତୀଶଙ୍କୁ କଟାକ୍ଷ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ । କହିଛନ୍ତି, ନୀତୀଶ କୁମାର କେବଳ ନିଜକୁ ପ୍ରଧାନମନ୍ତ୍ରୀ ଚେହେରା ଭାବେ ଦେଖାଇବା ପାଇଁ ବିରୋଧୀ ଏକତ୍ରିତ କରିବା କଥା କହୁଛନ୍ତି ।

ଗତବର୍ଷ ବିଜେପି ସହ ମେଂଟ ଭାଙ୍ଗିଥିବା ନୀତୀଶ କୁମାର ଆଗାମୀ ଲୋକସଭା ନିର୍ବାଚନରେ ମୋଦୀ ସରକାରଙ୍କୁ ହରାଇବା ପାଇଁ ‘ବିରୋଧୀଙ୍କୁ ଯୋଡ଼’ ଅଭିଯାନର ଅଂଶସ୍ୱରୂପ ବିରୋଧୀ ଦଳର ନେତାମାନଙ୍କୁ ଭେଟୁଛନ୍ତି । ଏହି କ୍ରମରେ ବୁଧବାର ନୀତୀଶ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଭେଟିଥିଲେ । ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ସାକ୍ଷାତ କରିଥିଲେ ନୀତୀଶ । ଆଗକୁ ମଧ୍ୟ ନୀତୀଶଙ୍କ ଏହି ଭେଟଘାଟ ଜାରି ରହିବ ବୋଲି ଜଣାପଡ଼ିଛି ।