ଅପରାହ୍ନ ୪ ଟାରେ ରାଜ୍ୟପାଳଙ୍କୁ ଭେଟିବେ ନୀତିଶ କୁମାର, ୧୬୦ ବିଧାୟକଙ୍କ ସମର୍ଥନ ଥିବା ପତ୍ର ଯୋଗାଡ କରୁଛି ଜେଡିୟୁ

987

କନକ ବ୍ୟୁରୋ : ବିହାରରେ ଖୁବଶୀଘ୍ର ମହାଗଠବନ୍ଧନ ସରକାର ଗଠନ ହୋଇପାରେ । ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଜେପି ସହ ଥିବା ମେଣ୍ଟ ଭାଙ୍ଗିଲା ବୋଲି ଘୋଷଣା କରିବା ପରେ ଅପରାହ୍ନ ୪ ଟାରେ ସେ ରାଜ୍ୟପାଳଙ୍କୁ ଭେଟିବେ ବୋଲି ଜଣାପଡିଛି । ସେ ରାଜ୍ୟପାଳଙ୍କ ପାଖକୁ ୧୬୦ ଜଣ ବିଧାୟକଙ୍କ ସମର୍ଥନ ଥିବା ଏକ ପତ୍ର ନେଇ ଯିବେ । ଏହି ପତ୍ର ରାଜ୍ୟପାଳଙ୍କୁ ଦେଇ ନୀତିଶ କୁମାର ନୂଆ ସରକାର ଗଠନ ପାଇଁ ଦାବି କରିପାରନ୍ତି ।

ନୀତିଶ କୁମାରଙ୍କ ପାଖରେ ୪୫ ଜଣ ବିଧାୟକ ଥିବା ବେଳେ ଆରଜେଡି ପାଖରେ ରହିଛନ୍ତି ୭୯ ବିଧାୟକ । ଏହାସହ କଂଗ୍ରେସର ୧୯ ଓ ବାମଦଳର ୧୬ ଜଣ ବିଧାୟକ ନୀତିଶଙ୍କୁ ସମର୍ଥନ କରୁଥିବା କଥା କୁହାଯାଉଛି । ସେପଟେ ରାଜ୍ୟର ଜଣେମାତ୍ର ସ୍ୱାଧୀନ ବିଧାୟକ ମଧ୍ୟ ନୀତିଶ କୁମାରଙ୍କୁ ସମର୍ଥନ ଦେଇଛନ୍ତି ।

ସେପଟେ ରାଜ୍ୟର ବଦଳୁଥିବା ସମିକରଣ ମଧ୍ୟରେ ଆଜି ପାଟନା ଠାରେ ବିଜେପିର କୋର କମିଟି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ବିଜେପିର କେନ୍ଦ୍ରୀୟ ନେତା ରାଧାମୋହନ ସିଂ ଯୋଗଦେବେ । କୋର କମିଟି ବୈଠକ ପୂର୍ବରୁ ବିହାର ବିଜେପିର ବିଧାୟକ ଓ ସାଂସଦମାନେ ଉପ ମୁଖ୍ୟମନ୍ତ୍ରୀ ତାରକେଶ୍ୱର ପ୍ରସାଦଙ୍କ ବାସଭବନରେ ଏକ ବୈଠକ କରିଥିଲେ  ।
ଏସବୁ ଭିତରେ ମହାଗଠବନ୍ଧନରେ ଅଂଶିଦାର ଥିବା ଆରଜେଡି, କଂଗ୍ରେସ ଓ ବାମଦଳ ପକ୍ଷରୁ ନିଜ ନିଜର ବିଧାୟକଙ୍କୁ ନେଇ ଅଲଗା ଅଲଗା ବୈଠକ କରିଥିବା ଦେଖିବାକୁ ମିଳିଛି ।