ଆଜି ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ କୁମାର: ଅପରାହ୍ନ ସାଢେ ୪ଟାରେ ରାଜ୍ୟପାଳ ଦେବେ ଶପଥ; ଏଥର ବିହାର ଦେଖିପାରେ ୨ ଉପମୁଖ୍ୟମନ୍ତ୍ରୀ

ତାରକିଶୋର ଓ ରେଣୁ ଦେବୀଙ୍କୁ ମିଳିପାରେ ପଦ । କେନ୍ଦ୍ର ମନ୍ତ୍ରୀ ହୋଇପାରନ୍ତି ସୁଶୀଲ ମୋଦି

149

କନକ ବ୍ୟୁରୋ: ଆଜି ବିହାରରେ ସପ୍ତମ ଥର ଲାଗି ଶପଥ ଗ୍ରହଣ କରିବେ ନୀତିଶ କୁମାର । ଆଜି ଅପରାହ୍ନ ୪ଟା ୩୦ ମିନିଟରେ ନୀତିଶ ନେବେ ଶପଥ । ଲଗାତାର ଚତୁର୍ଥ ଏବଂ ରାଜନୈତିକ କ୍ୟାରିୟରରେ ସପ୍ତମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ହେବେ ନୀତିଶ କୁମାର । ଏନଡିଏ ବିଧାୟକ ଦଳ ବୈଠକରେ ନୀତିଶଙ୍କ ନାଁରେ ମୋହର ବାଜିଛି । ତେବେ ସବୁଠାରୁ ବଡ କଥା ହେଉଛି ୟୁପି ଫର୍ମୁଲାରେ ବିହାର ପାଇବାକୁ ଯାଉଛି ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ । ମେଂଟ ସରକାରର ଅନ୍ୟତମ କୁଶଳ ବିନ୍ଧାଣୀ ସୁଶୀଲ କୁମାର ମୋଦୀଙ୍କୁ ବାଦ୍ ଦେଇ ଦୁଇ ନୂଆ ଚେହେରାଙ୍କୁ ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେବାକୁ ଯାଉଛି ଏନଡିଏ ।

ନୀତୀଶ ସରକାରରେ ବିଜେପିର ବିଧାୟକ ତାରକିଶୋର ପ୍ରସାଦ ଓ ରେଣୁ ଦେବୀଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିବା ସଂଭାବନା ରହିଛି । ତାରକିଶୋର ପ୍ରସାଦଙ୍କୁ ବିଜେପି ବିଧାୟକ ଦଳ ନେତା ଏବଂ ରେଣୁ ଦେବୀଙ୍କୁ ଉପନେତା ଭାବେ ଚୟନ କରାଯାଇଛି । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂଙ୍କ ଉପସ୍ଥିତିରେ ପାଟନାରେ ଏନଡିଏ ବିଧାୟକ ଦଳ ବୈଠକରେ ଏହି ନିଷ୍ପତି ହୋଇଛି । ବୈଠକ ପରେ ନୀତିଶ କୁମାର ରାଜଭବନ ଯାଇ ସରକାର ଗଠନ ଲାଗି ରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି ।

ଆଜି ଅପରାହ୍ଣ ସାଢେ ୪ଟାରେ ବିହାରର ନୂଆ ସରକାର ଶପଥ ଗ୍ରହଣ କାର୍ଯ୍ୟକ୍ରମ ରହିଛି । ବିହାରରେ ନିର୍ବାଚନରେ ଏନଡିଏକୁ ୧୨୫ ଆସନ ମିଳିଛି । ଏଥିରୁ ବିଜେପିକୁ ୭୪ , ଜେଡିୟୁକୁ ୪୩ ଆସନ ମିଳିଛି । ଏହି ହିସାବରେ ବିଜେପିକୁ ଉପମୁଖ୍ୟମନ୍ତ୍ରୀ ଗାଦି ଯାଉଥିବା ବେଳେ ବାଚସ୍ପତି ପଦ ଉପରେ ଜେଡିୟୁ ରଖିଛି ଆଖି । ତେବେ ମନ୍ତ୍ରିମଣ୍ଡଳରେ ବିଜେପିର ଅଧିକ ସଦସ୍ୟ ରହିବା ଆଶା କରାଯାଉଛି । ବିଧାନସଭାର ସଂଖ୍ୟା ଅନୁସାରେ ରାଜ୍ୟରେ ସର୍ବାଧକ ୩୬ ଜଣ ମନ୍ତ୍ରୀ ଶପଥ ନେଇପାରିବେ ।