ବିହାର : ପୁଣି ଥରେ ନୀତିଶ ସରକାର । ୭ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ, ବିଜେପି ଖାତାରେ ଦୁଇ ଉପ-ମୁଖ୍ୟମନ୍ତ୍ରୀ ।

198

କନକ ବ୍ୟୁରୋ : ବିହାରରେ ପୁଣି ନୀତିଶ ସରକାର । ୭ମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ କୁମାର । ଏହାସହ ଲଗାତାର ୪ର୍ଥ ଥର ପାଇଁ ଏହି ଆସନରେ ବସିଛନ୍ତି ନୀତିଶ । ମୁଖ୍ୟମନ୍ତ୍ରୀ ଭାବେ ନୀତିିଶଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଲେ ରାଜ୍ୟପାଳ । ବିହାରର ରାଜଭବନରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ଉଭୟ ଜେଡିୟୁ ଓ ବିଜେପିର ବରିଷ୍ଠ ନେତା ସାମିଲ ହୋଇଥିବା ବେଳେ ୧୪ ଜଣ ମନ୍ତ୍ରୀ ପଦର ଶପଥ ନେଇଛନ୍ତି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଜେପି ବିଧାୟକ ଦଳ ନେତା ତାରକିଶୋର ପ୍ରସାଦ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ରେଣୁ ଦେବୀ ମଧ୍ୟ ସମାନ ପଦ ପାଇଁ ଶପଥ ଗ୍ରହଣ କରିଛନ୍ତି । ତେଣୁ ନୀତିଶଙ୍କ ସପ୍ତମ ଇନିଂସରେ ଦୁଇ ଉପ-ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ମିଳିବ ।

ଗୃହମନ୍ତ୍ରୀ ଅମିତ ଶାହା ଏହି ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିବା ବେଳେ ଆରଜେଡି ଓ କଂଗ୍ରେସର କୌଣସି ନେତା ଏହି ଶପଥଗ୍ରହଣ ଉତ୍ସବରେ ସାମିଲ ହୋଇନାହାନ୍ତି । ଚଳିତ ନିର୍ବାଚନରେ ଏନଡିଏ ମେଣ୍ଟ ୧୨୫ ଆସନ ସହ ପୁଣିଥରେ ବିହାରର ବାଦଶାହା ବନିଥିବା ବେଳେ ୧୧୦ ଆସନରେ ବାଜିମାତ୍ କରିଥିଲା ମହାମେଣ୍ଟ । କିନ୍ତୁ ଏହି ସଂଖ୍ୟା ସରକାର ଗଢିବା ପାଇଁ ଯଥେଷ୍ଟ ହୋଇନଥିବା ବେଳେ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ମୁଖ୍ୟମନ୍ତ୍ରୀ ଆସନରେ ବସିବା ସ୍ୱପ୍ନକୁ ମଧ୍ୟ ଭାଙ୍ଗି ଦେଇଥିଲା ।