କନକ ବ୍ୟୁରୋ : ଲୋକସଭା ନିିର୍ବାଚନ ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବଡ଼ ଚାଲ ଖେଳିଛନ୍ତି । ନିର୍ବାଚନୀ ମଇଦାନରେ ଶ୍ରୀରାମଙ୍କ ବଦଳରେ ମାଆ ସୀତାଙ୍କୁ ପ୍ରସଙ୍ଗ କରିଦେଇଛନ୍ତି । ଯାହା ହିନ୍ଦୁତ୍ୱ କାର୍ଡ ଖେଳୁଥିବା ବିଜେପିକୁ ଦେଇଛି ଶକ୍ତି ଧକ୍କା । ଆଉ କିଛି ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅଯୋଧ୍ୟାରେ ବିଶାଳ ଶ୍ରୀରାମ ମନ୍ଦିର ଉଦ୍ଘାଟନ ସହ ଶ୍ରୀରାମ ଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଠିକ୍ ଏତିକିବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ନୂଆ ଚାଲ୍ ଖେଳିଛନ୍ତି । ବିହାର ସୀତାମଢ଼ି ସ୍ଥିତ ଦେବୀ ସୀତାଙ୍କ ଜନ୍ମଭୂମୀରେ ଜାନିକ ମନ୍ଦିର ପୁନଃନିର୍ମାଣ ନେଇ ଶୀଳାନ୍ୟାସ କରିଛନ୍ତି ନୀତୀଶ । ଯାହାକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇ ଗଲାଣି । ଆଗାମୀ ଲୋକସଭା ନିର୍ବାଚନରେ ପ୍ରଭୁ ଶ୍ରୀରାମଙ୍କୁ ମାଆ ସୀତା ଟକ୍କର ଦେବେ ବୋଲି କୁହାଯାଉଛି । ଗତ ୧୩ ତାରିଖରେ ସୀତାମଢ଼ି ସ୍ଥିତ ପୁନୋରାଧାମ ମନ୍ଦିରର ବିକାଶ ନେଇ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଏହାଶହ ପୁନୋରାଧାମ ମନ୍ଦିରର ବିକାଶ ମୂଳକ କାର୍ଯ୍ୟକୁ ଯଥାଶୀଘ୍ର ଶେଷ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ।

Advertisment

ଗତ ୧୩ ତାରିଖରେ ସୀତାମଢି ସ୍ଥିତ ଦେବୀ ସୀତାଙ୍କ ଜନ୍ମଭୂମୀରେ ଜାନକୀ ମନ୍ଦିରର ପୁନଃ ବିକାଶ ନେଇ ୭୨ କୋଟିରୁ ଅଧିକ ଟଙ୍କା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ । ସେ କହିଛନ୍ତି, ଅଯୋଧ୍ୟା ଶ୍ରୀରାମ ମନ୍ଦିର ବିହାର ଲୋକଙ୍କ ପାଇଁ ଦୂର ହେବ । ବିହାରବାସୀ ଓ ବାହାରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଜାନକୀ ମନ୍ଦିରକୁ ପୁନଃ ସ୍ଥାପନା କରାଯିବ । ମୁଖ୍ୟ ମନ୍ଦିରକୁ ବିକାଶ କରାଯିବ । ପରିକ୍ରମା ପଥ, ଜାନକୀ ମହୋତ୍ସବ ମଇଦାନ, ପାର୍କିଂ ସମେତ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ୟ ସବୁ ସୁବିଧା ସୁଯୋଗ ଉପରେ ଗୁରୁତ୍ୱ ଦିଆଯିବ ।

ଦେବୀ ସୀତାଙ୍କ ମନ୍ଦିର ବିକାଶ କରିବା ପାଇଁ ନୀତୀଶଙ୍କ ଘୋଷଣା ପରେ ବିଜେପି ଜେଡିୟୁକୁ ଆକ୍ଷେପ କରିବାର କୌଣସି ମଉକା ଛାଡୁନାହିଁ । ବିଜେପି ଭଳି ଜେଡିୟୁ ବି ହିନ୍ଦୁତ୍ୱକୁ ମାଧ୍ୟମ କରି ନିର୍ବାଚନୀ ମଇଦାନକୁ ଓହ୍ଲାଉଥିବା ଦଳ ପକ୍ଷରୁ କୁହାଯାଇଛି । କେବଳ ସେତିକି ନୁହେଁ ବିଜେପି କହିଛି, ବିହାରରେ ବର୍ଷ ବର୍ଷ ଧରି ଲାଲୁ ଓ ନୀତୀଶଙ୍କ ସରକାର ରହି ଆସିଛି । ପୂର୍ବରୁ ତ କେବେ କାହିଁ ଜାନକୀ ମନ୍ଦିର କଥା କାହାର ମନେ ପଡି଼ ନଥିଲା । ହେଲେ କେନ୍ଦ୍ର ସରକାର ଶ୍ରୀରାମ ମନ୍ଦିରକୁ ପ୍ରଧାନ୍ୟ ଦେବା ପରେ ନୀତୀଶ କୁମାରଙ୍କୁ ହଠାତ୍ ମାତା ସୀତାଙ୍କ କଥା ମନେ ପଡିଗଲା । ଏହାର ଜବାବ୍ରେ ଜେଡିୟୁ କହିଛି, ମୋଦୀ ସରକାର ଶ୍ରୀରାମ ମନ୍ଦିରକୁ ଯେତିକି ଗୁରୁତ୍ୱ ଦେଉଛନ୍ତି, ସେତିକି ଦେଶର ଅନ୍ୟ ପ୍ରାନ୍ତରେ ଥିବା ଧର୍ମପୀଠ ଗୁଡିକୁ ଦେବା ଉଚିତ୍ । ଶ୍ରୀରାମଙ୍କ ପାଇଁ ଏତେ ଆୟୋଜନ, ମାତା ସୀତାଙ୍କୁ ଅଣଦେଖା କାହିଁକି? ବୋଲି ପ୍ରଶ୍ନ କରିଛି ଜେଡିୟୁ ।

ଲୋକସଭା ନିର୍ବାଚନକୁ ଆଉ ମାତ୍ର ୬ ମାସ ବାକି ରହିଥିବାବେଳେ, ଏବେ ହିନ୍ଦୁତ୍ୱକୁ ପ୍ରମୁଖ ପ୍ରସଙ୍ଗ କରିଛି ବିଜେପି ଓ ଜେଡିୟୁ । ଯାହା ଏବେ ରାଜନୈତିକ ମାହୋଲକୁ ଆହୁରି ସରଗରମ କରିଛି ।