ଲୋକସଭାର ପୂର୍ବତନ ବାଚସ୍ପତି ରବି ରାୟଙ୍କ ପୈତୃକ ଗ୍ରାମରେ ଆଜି ଶେଷକୃତ୍ୟ ! ଶେଷଦର୍ଶନ କଲେ ବିହାର ମୁଖ୍ୟମନ୍ତ୍ରୀ

26

କନକ ବ୍ୟୁରୋ : ଲୋକସଭାର ପୂର୍ବତନ ବାଚସ୍ପତି ରବି ରାୟଙ୍କ ଆଜି ହେବ ଶେଷକୃତ୍ୟ । ଭୁବନେଶ୍ୱର ଲୋହିଆ ଏକାଡେମିରେ ଆଜି ତାଙ୍କର ମରଶରୀରର ଶେଷ ଦର୍ଶନ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ । ନିତିଶ କୁମାର ରବି ରାୟଙ୍କ ଶେଷ ଦର୍ଶନ କରିବା ପରେ ତାଙ୍କ ମରଶରୀରକୁ ପୈତୃକ ଗ୍ରାମ ଭଅଁରାଗଡ ନିଆଯାଇଛି । ସେଠାରେ ତାଙ୍କର ଅନ୍ତ୍ୟେଷ୍ଟି କ୍ରିୟା କରାଯିବାର କାର୍ଯକ୍ରମ ରହିଛି । ରବି ରାୟଙ୍କ ବିୟୋଗରେ ରାଜ୍ୟ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି ।

ରବି ରାୟଙ୍କୁ ଶ୍ରଦ୍ଧାଂଜଳି ଜଣାଇ ସାରା ରାଜ୍ୟରେ ଆଜି ଦିନିକିଆ ଶୋକ ପାଳନ କରାଯାଉଛି । ସମସ୍ତ ସରକାରୀ ଅଫିସରେ ପତାକାକୁ ଅର୍ଦ୍ଧନମିତ କରାଯାଇଛି । ରାଜ୍ୟପାଳ ଏସସି ଜମିର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋହିଆ ଏକାଡେମୀରେ ରବି ରାୟଙ୍କ ଶେଷଦର୍ଶନ କରିଛନ୍ତି । ଗତକାଲି ୯୧ ବର୍ଷ ବୟସରେ କଟକ ବଡ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ରବି ରାୟ ।

ଦୀର୍ଘ ଦିନରୁ ସେ ବାର୍ଦ୍ଧକ୍ୟଜନିତ ରୋଗରେ ଚିକିତ୍ସିତ ହେଉଥିଲେ । ଏକମାତ୍ର ଓଡିଆ ଭାବେ ଲୋକସଭା ବାଚସ୍ପତି ଥିବାର ଗୌରବ ରହିଛି ରବି ରାୟଙ୍କ ନାଁରେ । ୪ଥର ଲୋକସଭା ଓ ଥରେ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରିଥିବା ରବି ରାୟ କେନ୍ଦ୍ର ମନ୍ତ୍ରୀ ଭାବେ ବି କାର୍ଯ୍ୟ କରିଛନ୍ତି ।