ବହୁ ଦିନ ପରେ ଭେଟାଭେଟି ହେଲେ ଦୁଇ ବନ୍ଧୁ । ଦୁହେଁ ଦୁହିଁଙ୍କୁ ଦେଲେ ଉପହାର ।

383

କନକ ବ୍ୟୁରୋ: ନବୀନ ନିବାସରେ ଭେଟଘାଟ, ଭୋଜନ ଆଉ ତାପରେ ଉପହାର ଦିଆନିଆ । ଯେତେବେଳେ ନିଜର ଘନିଷ୍ଠ ବନ୍ଧୁ ଆଉ ପୁରୁଣା ସହଯୋଗୀ ଏତେଦିନ ପରେ ଦୁହେଁ ଦୁହିଁଙ୍କୁ ଭେଟିଛନ୍ତି ସେତେବେଳେ ବା ଦୁଇ ସାଙ୍ଗ କେମିତି ନିଜକୁ ଅଟକାଇ ପାରିବେ । ବେଶ୍ ଅନେକ ସମୟ ନିଜ ଭିତରେ କଥା ହୋଇଛନ୍ତି, ଆଲୋଚନା କରିଛନ୍ତି । ଆଉ ତାପରେ ନବୀନଙ୍କ ହାତ ଧରି ନୀତିଶ ନବୀନ ନିବାସ ସାମ୍ନାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ।

ନବୀନ ନିବାସ ଭିତରେ ଆଲୋଚନା ପରେ ଦୁଇ ମୁଖ୍ୟମନ୍ତ୍ରୀ ଏକାଠି ବସି ମଧ୍ୟାହ୍ନ ଭୋଜନ ମଧ୍ୟ କରିଛନ୍ତି । ଏଥିସହ ନବୀନଙ୍କୁ ନୀତିଶ ଏକ ଶାଲ ଉପହାର ଦେଇଛନ୍ତି । ନବୀନ ବି ନିଜ ବନ୍ଧୁ ନୀତିଶଙ୍କୁ ଉପହାର ପ୍ରଦାନ କରିଛନ୍ତି । ସବୁଠାରୁ ବଡ କଥା ହେଉଛି ବନ୍ଧୁତାର ଧର୍ମ ପାଳନ କରିବା ସହ ବିହାରର ଜନତାଙ୍କ ପାଇଁ ଏକ ଖୁସି ଖବର ଓଡିଶାରୁ ଦେଇଛନ୍ତି ନବୀନ । ପୁରୀରେ ବିହାର ଭବନ କରିବାକୁ ଜମି ଦେବା ନେଇ ଘୋଷଣା କରିଛନ୍ତି ନବୀନ । ବିହାରରୁ ଆସୁଥିବା ଶ୍ରଦ୍ଧାଳୁ, ଯାତ୍ରୀ, ପର୍ଯ୍ୟଟକଙ୍କ ରହଣି ପାଇଁ ମାଗଣାରେ ଦେଢ ଏକର ଜମି ଦେବେ ରାଜ୍ୟ ସରକାର ।

ମିଳିତ ସାମ୍ବାଦିକ ସମ୍ମିଳନୀରେ ନୀତିଶ କହିଥିଲେ, ମୁଁ ଓଡିଶାକୁ ଅନେକ ଥର ଆସେ । ନବୀନଙ୍କ ସହ ମୋର ସମ୍ପର୍କ ବହୁ ପୁରୁଣା । କରୋନା ପାଇଁ ଆସିହୋଇ ନଥିଲା । ତେବେ ନୂଆ ସାମୁଖ୍ୟକୁ ନେଇ ଯେଉଁ ସବୁ ଆଲୋଚନା ହେଉଥିଲା, ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ନବୀନ – ନୀତୀଶ । ନୀତିଶ କହିଛନ୍ତି ଆମ ସମ୍ପର୍କ ଏତେ ଘନିଷ୍ଠ ଯେ, ରାଜନୀତି ବାବଦରେ କଥା ହେବାକୁ ସମୟ ନାହିଁ ।