ଅପରାହ୍ନ ୧୨ଟାରେ ନବୀନ-ନୀତିଶ ଭେଟଘାଟ । ଦେଢ ଘଣ୍ଟା ଧରି ନବୀନ ନିବାସରେ ରହିବେ ନୀତିଶ, କଣ ହେବ ଆଲୋଚନା ତାହା ଉପରେ ସଭିଙ୍କ ନଜର ।

175

କନକ ବ୍ୟୁରୋ : ଆଜି ଓଡ଼ିଶା ଆସୁଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଅପରାହ୍ନ ୧୨ଟାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ନୀତିଶ କୁମାର । ବିହାର ପାଟନାରୁ ନୀତିଶ ବାହାରି  ସାରିଥିବା ବେଳେ ଦିନ ସାଢେ ୧୧ଟାରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବେ । ବିମାନ ବନ୍ଦରରୁ ରାଜ୍ୟ ଅତିଥି ଭବନ ଯିବେ ନୀତିଶ । ସେଠାରୁ ବାହାରି ଅପରାହ୍ନ ୧୨ଟାରେ ନବୀନ ନିବାସରେ ପହଞ୍ଚିବେ ନୀତିଶ । ଏହାପରେ ନବୀନ ନିବାସରେ ଦୀର୍ଘ ଦେଢ ଘଣ୍ଟା ରହିବେ ନୀତିଶ । ଏହି ଦେଢ ଘଣ୍ଟାରେ ଉଭୟ ନେତାଙ୍କ ମଧ୍ୟରେ କବାଟକିଳା ଆଲୋଚନା ହେବ । ତେବେ କେଉଁ ପ୍ରସଙ୍ଗରେ ଉଭୟ ନେତା ଆଲୋଚନା କରିବେ ତାହା ଏଯାଏଁ ସ୍ଥିର ହୋଇନାହିଁ ।

କିନ୍ତୁ ରାଜନୈତିକ ମହଲରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ତୃତୀୟ ସାମ୍ମୁଖ୍ୟ ବାବଦରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇପାରେ । କାରଣ ଏହାପୂର୍ବରୁ ନୀତିଶ ବିଭିନ୍ନ ରାଜ୍ୟର ନେତାଙ୍କୁ ଭେଟି ଏ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । କିନ୍ତୁ ନବୀନ ଏଯାଏଁ କୌଣସି ଫ୍ରଣ୍ଟରେ ଯୋଗ ଦେଇନାହାନ୍ତି । ୨୦୧୯ରେ ମଧ୍ୟ ବିଜେପି ବିରୋଧରେ ଏକ ମୋର୍ଚ୍ଚା ଗଠନ ପାଇଁ  ଯେତେବେଳେ ଜୋର ଦିଆଯାଇଥିଲା ସେତେବେଳେ ନବୀନ ଏଥିରୁ ଦୂରେଇ ରହିଥିଲେ । କିନ୍ତୁ ୨୦୨୪ ନିର୍ବାଚନ ପୂର୍ବରୁ ସବୁ ବିରୋଧୀଙ୍କୁ ଏକଜୁଟ୍ କରୁଛନ୍ତି ନୀତିଶ । ଏଥିପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀ, କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟ ବିରୋଧୀ ଦଳର ନେତାଙ୍କୁ ଭେଟିବା ଜାରି ରଖିଛନ୍ତି । ଅନ୍ୟପଟେ ନବୀନ ଉଭୟ ବିଜେପି ଓ କଂଗ୍ରେସ ଠାରୁ ସମଦୂରତ୍ୱ ବଜାୟ ରଖୁଥିବାରୁ ତୃତୀୟ ସାମ୍ମୁଖ୍ୟରେ ଯୋଗ ଦେବା ପାଇଁ ନବୀନଙ୍କ ସହ ଆଲୋଚନା କରିବାକୁ ବିହାରରୁ ଆସୁଛନ୍ତି ନୀତିଶ । ତେବେ ଉଭୟଙ୍କ ଆଲୋଚନାର ଫଳାଫଳ କଣ ହେବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।