କନକ ବ୍ୟୁରୋ : ଆଜି ବିହାର ରାଜନୀତିରେ ବଡ ଧରଣର ଓଲଟପାଲଟ ହୋଇପାରେ । ଆଜି ଜେଡିୟୁ-ଆରଜେଡି ମେଣ୍ଟ ସରକାରରେ ମୁଖ୍ୟମନ୍ତ୍ରୀ ପଦରୁ ନୀତିଶ କୁମାର ଇସ୍ତଫା ଦେବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ମେଣ୍ଟ ସରକାରରୁ ଇସ୍ତଫା ଦେବା ପରେ ନୀତିଶ କୁମାର ବିଜେପି ସହ ମିଶି ପୁଣିଥରେ ସରକାର ଗଢିବା ସହ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । କେବଳ ନୀତିଶ ମେଣ୍ଟ ସରକାରରୁ ଓହରିବେନି ବରଂ କଂଗ୍ରେସର କିଛି ବିଧାୟକଙ୍କୁ ମଧ୍ୟ ନିଜ ସାଥୀରେ ଆଣିବେ ବୋଲି ସୂଚନା ମିଳୁଛି । ଅନ୍ୟପଟେ କଂଗ୍ରେସ ନେତା ପ୍ରେମଚନ୍ଦ୍ର ମିଶ୍ରା କହିଛନ୍ତି, ଆମ ଦଳରେ ସେଭଳି କୌଣସି ସ୍ଥିତି ଉପୁଜିନି । ସମସ୍ତ ବିଧାୟକ ଦଳ ସହ ଅଛନ୍ତି । କିନ୍ତୁ ନୀତିଶ କୁମାର ଏମିତି କରିବେ ତାହା ବିଶ୍ୱାସ ହେଉନାହିଁ ବୋଲି ପ୍ରେମଚନ୍ଦ୍ର କହିଛନ୍ତି ।

ଏଭଳି ସ୍ଥିତି ଭିତରେ ଆରଜେଡି ନେତା ମୃତ୍ୟୁଞ୍ଜୟ ତିୱାରୀ କହିଛନ୍ତି, ଖୁବଶୀଘ୍ର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଯିବ । ଆଗକୁ ଯାହା ବି ପରିସ୍ଥିତି ଆସିବ ତାହାକୁ ସାମ୍ନା କରିବାକୁ ଆମେ ପ୍ରସ୍ତୁତ ବୋଲି ଆରଜେଡି ପକ୍ଷରୁ କୁହାଯାଇଛି । ସେହିଭଳି ଜେଡିୟୁ ସାଂସଦ ସୁନୀଲ କୁମାର ପିଣ୍ଟୁ କହିଛନ୍ତି ବିହାରର ବିକାଶ ପାଇଁ ନୀତିଶ ଓ ମୋଦୀ ଯୋଡିର ଆବଶ୍ୟକତା ରହିଛି । ଆରଜେଡି ସହ ମିଶି ସରକାର ଚଳାଇବା ବହୁତ କଷ୍ଟ । ଯେଉଁଥିପାଇଁ ବିଜେପି ସହ ଜେଡିୟୁ ସରକାର ଗଢିବାକୁ ଯାଉଛି ଏବଂ ଏହା ସ୍ଥାୟୀ ମେଣ୍ଟ ହେବ ।