କନକ ବ୍ୟୁରୋ : ଇଣ୍ଡିଆ ମେଣ୍ଟକୁ ନେଇ ଏବେ ବଡ ଖବର ସାମ୍ନାକୁ ଆସିଛି । ସୂତ୍ର ସୂଚନା ମୁତାବକ ବିହାରର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତିଶ କୁମାର ଇଣ୍ଡିଆ ମେଣ୍ଟର ସଂଯୋଜକ ହୋଇପାରନ୍ତି । ନୀତିଶକୁମାରଙ୍କ କାର୍ଯ୍ୟଶୈଳୀ ଦେଖି କଂଗ୍ରେସ ଭୟଭିତ ହୋଇପଡିଥିବା ଭଳି ଲାଗୁଛି । ଦିଲ୍ଲୀରେ ଜେଡିୟୁ ବୈଠକରେ ନୀତିଶକୁମାର କଂଗ୍ରେସ ଉପରେ ଯେଭଳି ଆକ୍ରମଣାତ୍ମକ ବୟାନ ଦେଇଥିଲେ ତା ପରେ କଂଗ୍ରେସ ଭୟଭିତ ହୋଇପଡିଥିବା ଭଳି ଲାଗୁଛି ।
ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଜେଡିୟୁ ବୈଠକରେ ନୀତିଶ କୁମାର କହିଥିଲେ କି, କଂଗ୍ରେସ ଜେଡିୟୁ ଦ୍ୱାରା କରାଯାଇଥିବା କାର୍ଯ୍ୟର ଚର୍ଚ୍ଚା କରୁନାହିଁ, ହେଲେ ବିଜେପି ଜେଡିୟୁ କାର୍ଯ୍ୟକୁ ନିଜ କାର୍ଯ୍ୟ ସହ ଯୋଡି ଦେଉଛି । ଏହା ପୂର୍ବରୁ ବି ବିଧାନସଭା ନିର୍ବାଚନ କ୍ରମରେ ନୀତିଶ କୁମାର କହିଥିଲେ କି କଂଗ୍ରେସ ଇଣ୍ଡିଆ ମେଣ୍ଟ ଅପେକ୍ଷା ବିଧାନସଭା ର୍ନିର୍ବାଚନ ଉପରେ ଅଧିକ ଫୋକସ କରୁଛି ।
ନୀତିଶ କୁମାରଙ୍କୁ ମେଣ୍ଟର ସଂଯୋଜକ କରିବା ପଛରେ ମଧ୍ୟ ଅନେକ କାରଣ ରହିଛି । ପ୍ରଥମେ ସେ ବିରୋଧୀଦଳମାନଙ୍କ ଏକଜୁଟ୍ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଗତବର୍ଷ ସେ ଭିନ୍ନ ଭିନ୍ନ ରାଜ୍ୟ ଗସ୍ତ କରି ବିରୋଧୀଦଳର ନେତାମାନଙ୍କୁ ଏକାଠି କରିଥିଲେ । ଏଣୁ ନୀତିଶ କୁମାରଙ୍କୁ ଇଣ୍ଡିଆ ମେଣ୍ଟର ସୂତ୍ରଧର ବୋଲି ମଧ୍ୟ କୁହାଯାଇପାରିବ । ୨୦୨୩ ଜୁନ ମାସରେ ସେ ୧୫ଟି ଅଣ ବିଜେପି ଦଳଙ୍କୁ ଗୋଟିଏ ମଞ୍ଚରେ ବସାଇବାରେ ସକ୍ଷମ ହୋଇଥିଲେ ।
ଦିଲ୍ଲୀରେ ହୋଇଥିବା ଇଣ୍ଡଆ ମେଣ୍ଟ ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ଚେହେରା ଭାବେ ମଲ୍ଲିକାର୍ଜୁନ ଖଡଗେଙ୍କ ନାମ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସମର୍ଥନ କରିଥିଲେ । ଏହାପରେ ନୀତିଶକୁମାର ନାରାଜ ହୋଇଥିବାର ଦେଖିବାକୁ ମିଳିଥିଲା ।