ନୀତୀଶଙ୍କ ପାଇଁ ବିହାର ରାଜନୀତିରେ ବଡ଼ ହଲଚଲ: ୧୦ବର୍ଷରେ ୩ଥର ମେଂଟ ଭାଙ୍ଗିସାରିଛନ୍ତି ନୀତୀଶ କୁମାର

141

କନକ ବ୍ୟୁରୋ: ସରଗରମ ବିହାର ରାଜନୀତି । ଘଡିକେ ଛୁଟୁଛି ଘୋଡ଼ା । ସମସ୍ତଙ୍କ ନଜର ଏବେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରେ । ତେବେ ନିର୍ବାଚନ ଆସିଲେ ନୀତୀଶଙ୍କ ମେଂଟ ପରିବର୍ତନ ଏକ ନିୟମିତ ଅଭ୍ୟାସ କହିଲେ କିଛି ଭୁଲ ହେବନି । ପୂର୍ବରୁ ଏମିତି ଅନେକ ନଜିର ରହିଛି । ଯେଉଁଠି ସୁଶାସନ ବାବୁ ହଠାତ ବଡ ଘୋଷଣା କରିଥାନ୍ତି । ପୁଣି ଥରେ ସେମତିି କିଛି ସମ୍ଭାବନା ଦେଇ ଗତି କରୁଛି ବିହାର ରାଜନୀତି । ନଜର ପକାଇବା ନୀତୀଶ କୁମାରଙ୍କ ୧୦ବର୍ଷର ମେଂଟ ଯାତ୍ରା ଉପରେ

ନୀତୀଶଙ୍କ ପ୍ରଥମ ବ୍ରେକଅପ
ଭାଙ୍ଗିଥିଲେ ୧୭ବର୍ଷର ସମ୍ପର୍କ
୨୦୧୩ରେ ବିଜେପି ସହ ୧୭ବର୍ଷର ସମ୍ପର୍କକୁ ପ୍ରଥମ ଥର ପାଇଁ ଭାଙ୍ଗିଥିଲେ ନୀତୀଶ । ସେହି ସମୟରେ ଅଟଳ-ଆଡବାନୀ ଯୁଗ ସରି ସରି ଆସୁଥିବାବେଳେ ମୋଦୀ ଯୁଗର ଆରମ୍ଭ ହେବାକୁ ଥାଏ । ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ବିଜେପି ଘୋଷଣା କରିବା ପରେ ନୀତିଶ ଏହାକୁ ସହଜରେ ଗ୍ରହଣ କରିପାରିନଥିଲେ ଦୀର୍ଘବର୍ଷର ସର୍ମ୍ପକକୁ ଭାଙ୍ଗି ମୁହଁମୋଡି ଦେଇଥିଲେ ନୀତୀଶ । ୨୦୧୪ରେ ବିଜେପି ପ୍ରଚଣ୍ଡ ବହୁମତ ସହ ଶାସନ କ୍ଷମତାକୁ ହାତମୁଠାକୁ ନେଇଥିବାବେଳେ ସେପଟେ ଜେଡିୟୁର ନିରାଶ ଜନକ ପ୍ରଦର୍ଶନ ନୀତୀଶଙ୍କୁ ଶାସନ ଗାଦୀରୁ ହଟାଇଥିଲା ।
୨୦୧୫ ମସିହାରେ ନୀତୀଶ କଂଗ୍ରେସ ଆଡକୁ ଢ଼ଳିବା ସହ ଆରଜେଡି, ଜେଡିୟୁ ଓ କଂଗ୍ରେସ ମହାମେଂଟ କରିଥିଲେ । ବିଧାନସଭା ନିର୍ବାଚନରେ ମେଂଟକୁ ମିଳିଥିଲା ବିପୁଳ ବିଜୟ । ବିଜେପିକୁ ପରାଜିତ କରି କ୍ଲିନ ସୁଇପ ସହ ପୁଣି ବିହାରରେ ସରକାର ଗଢ଼ିବାରେ ସଫଳ ହୋଇଥିଲା ମେଂଟ ।

ନୀତୀଶଙ୍କ ଦ୍ୱିତୀୟ ବ୍ରେକଅପ
ମହାମେଂଟକୁ ଭାଙ୍ଗିଥିଲେ

୨୦୧୭ ମସିହା । ଦୁଇବର୍ଷ ନପୁରୁଣୁ ମହାମେଂଟରେ ଫାଟ ସୃଷ୍ଟି ହୋଇଥିଲା । ବିମୁଦ୍ରାକରଣ ଓ ଜିଏସଟି ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରିଥିଲା ଜେଡିୟୁ । ସେପଟେ ଦୁର୍ନୀତି ମାମଲାରେ ଆରଜେଡି ଫସିବା ମେଂଟ ପାଇଁ ବଡ ସମସ୍ୟା ଆଣିଥିଲା । ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀଙ୍କ ଇସ୍ତଫା ପାଇଁ ନୀତୀଶ ଅଡିବସିବା ଫଳରେ ଉଭୟ ଦଳ ମଧ୍ୟରେ ମତାନ୍ତର ଉପୁଜିଥିଲା । ପରିସ୍ଥିତି ଏଭଳି ହେଲାଯେ ନୀତୀଶ ବାଧ୍ୟ ହୋଇ ଇସ୍ତଫା ଦେଲେ ଓ ମହାମେଂଟର ସରକାର ଭୁଷୁଡିପଡିିଲା । କିନ୍ତୁ ବିଜେପି ସମର୍ଥନରେ ନୀତିଶ ପୁଣି ମୁଖ୍ୟମନ୍ତ୍ରୀ ଚୌକି ଫେରି ପାଇଥିଲେ ।

ନୀତୀଶଙ୍କ ତୃତୀୟ ବ୍ରେକଅପ
ବିଜେପିଠୁ ମୁହଁମୋଡିଥିଲେ

୨୦୨୨ରେ ପୁଣି ଥରେ ବିଜେପିଠୁ ମୁହଁ ମୋଡିଥିଲେ ନୀତୀଶ । ଅଗଷ୍ଟ ୯ ତାରିଖରେ ବିଜେପି-ଜେଡିୟୁ ମେଂଟ ଭାଙ୍ଗିଥିଲା । ପର ଦିନ ଆରଜେଡି ସମର୍ଥନରେ ପୁଣି ନୀତୀଶ ହୋଇଥିଲେ ବିହାର ମୁଖ୍ୟମନ୍ତ୍ରୀ ।

ଏବେ ପ୍ରଶ୍ନ ଉଠୁଛି ଏହା କ’ଣ ନୀତୀଶଙ୍କ ଚତୁର୍ଥ ବ୍ରେକଅପ ହେବାକୁ ଯାଉଛି? କ’ଣ ନିର୍ବାଚନ ପୂର୍ବରୁ ପୁଣି ସାଥୀ ଅଦଳବଦଳ କରିବେ ନୀତୀଶ? ଆରଜେଡି-ଜେଡିୟୁ ମେଂଟକୁ ଦୁଇବର୍ଷ ପୁରିନି । ପୁଣି ଥରେ ଉଭୟ ଦଳ ମଧ୍ୟରେ ତିକ୍ତତା ଚରମସୀମାରେ ପହଁଚିଛି । ଯଦି ଏନଡିଏକୁ ଫେରିବା ପାଇଁ ନୀତୀଶ କିଛି ମାଷ୍ଟରପ୍ଲାନ କରିଛନ୍ତି ତେବେ ଏହା କେତେଦୁର ସଫଳ ହେଉଛି ତା ଉପରେ ମଧ୍ୟ ନଜର ରହିବ । ବାରମ୍ବାର ମେଂଟ ଅଦଳବଦଳ ଯୋଗୁଁ ବିଶ୍ୱାସ ହରାଉଛନ୍ତି ନୀତୀଶ । ଏଭଳି ସ୍ଥିତିରେ ବିଜେପିର ଆଭିମୁଖ୍ୟ କ’ଣ ରହିବ ତା ଉପରେ ମଧ୍ୟ ନଜର ରହିଛି । ଏନଡିଏକୁ ଯଦି ନୀତିଶ ଫେରିବେ ତେବେ ନିଶ୍ଚିତ ଭାବେ ଏହା ଇଣ୍ଡିଆ ମେଂଟ ପାଇଁ ଶକ୍ତ ଧକ୍କା ହେବ ।