ବିନା ବିଜେପିରେ ସରକାର ଗଢ଼ିଲେ ନୀତିଶ କୁମାର: ମହାମେଣ୍ଟରେ ସାମିଲ ହୋଇ ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ 

97

କନକ ବ୍ୟୁରୋ: ଅଷ୍ଟମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର । ବିହାର ରାଜ୍ୟପାଳ ଫଗୁ ଚୌହ୍ୱାନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଭାରତ ଇତିହାସରେ ବୋଧହୁଏ ନୀତୀଶ ପ୍ରଥମ ମୁଖ୍ୟମନ୍ତ୍ରୀ ଯିଏ ୨୨ବର୍ଷ ଭିତରେ ୮ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ୮ଥର ଭିତରେ ସେ ପାଂଚ ଥର ମେଂଟ ସହଯୋଗୀଙ୍କ ହାତ ଛାଡିଛନ୍ତି ଓ ଅନ୍ୟ ଦଳ ସହ ମେଂଟ କରି ପୁଣି ସରକାର ଗଠନ କରିଛନ୍ତି । ସବୁଥର କିନ୍ତୁ ନୀତୀଶ ହିଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଆଉ ପ୍ରମାଣିତ କରି ଦେଇଛନ୍ତି ରାଜନୀତିରେ କେହି କାହାର ଶତ୍ରୁ ନୁହଁନ୍ତି । ସମୟ ଅନୁସାରେ ନିଷ୍ପତି ନେବା ଓ ରାଜନୀତିରେ ନିଜକୁ ପ୍ରାସଙ୍ଗିକ ରଖିବା ହେଉଛି ନୀତୀଶ ମଡେଲ ।

ନୀତୀଶଙ୍କ ସହ ଦ୍ୱିତୀୟ ଥର ପାଇଁ ବିହାରର ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି ତେଜସ୍ୱୀ ଯାଦବ । ରାଜ୍ୟପାଳ ତେଜସ୍ୱୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହି ଶପଥ ଗ୍ରହଣ ସମାରୋହରେ ତେଜସ୍ୱୀଙ୍କ ମାଆ ତଥା ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବିଡି ଦେବୀ ଓ ପରିବାରର ଅନ୍ୟ ସଦସ୍ୟ ଉପସ୍ଥିତି ରହିଥିଲେ । ୨୦୨୦ ବିଧାନସଭା ନିର୍ବାଚନରେ ଆରଜେଡି ସବୁଠାରୁ ଅଧିକ ଆସନ ପାଇଥିଲେ ବି ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟାଠାରୁ କମ ଥିବାରୁ ଆସନରେ ବସି ପାରି ନଥିଲେ ତେଜସ୍ୱୀ । କିନ୍ତୁ ନୀତୀଶ ଏନଡିଏର ହାତ ଛାଡିବା, ତାଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ହେବାର ଆଉ ଏକ ସୁଯୋଗ ଆଣି ଦେଇଛି । ଉପମୁଖ୍ୟମନ୍ତ୍ରୀ ହେବା ପରେ ସେ ନୀତୀଶଙ୍କ ପାଦ ଛୁଇଁ ଆର୍ଶୀବାଦ ନେଇଛନ୍ତି । ଆଉ ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ମାସେ ଭିତରେ ବଡ ନିଯୁକ୍ତି ଦେବେ ବୋଲି ଘୋଷଣା କରିଛନ୍ତି ।

ବିହାର ସରକାରର ପରିବର୍ତନ ପରେ ଆରଜେଡି, କଂଗ୍ରେସ, ବାମପନ୍ଥୀ ଓ ଅନ୍ୟ ବିରୋଧୀ ଦଳଙ୍କ ଶିବିରରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି । ବାଣ ଫୁଟାଇ, ପରସ୍ପରକୁ ମିଠା ବାଂଟି ଉତ୍ସବ ମନାଇଛନ୍ତି । .. କିନ୍ତୁ କ୍ଷମତା ହରାଇଥିବା ବିଜେପି ଶିବିରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଭାରତୀୟ ଜନତା ପାର୍ଟିର ନେତା ଓ କର୍ମୀ ବିକ୍ଷୋଭ, ପ୍ରତିବାଦ କରିଛନ୍ତି । ନୀତୀଶ କୁମାର ଜନାଦେଶକୁ ଅପମାନିତ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ।

ମହାମେଂଟରେ ସାମିଲ ହୋଇ ନୀତୀଶ ନୂଆ ସରକାର ଗଠନ କରିବା ପରେ ବିଜେପି କେମିତି ଅପରେସନ ଲୋଟସ ଚଳାଇଥିଲା ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ଜେଡିୟୁ ନେତା । ଲଲନ ସିଂହ କହିଛନ୍ତି, ଜେଡିୟୁକୁ ଦୁର୍ବଳ କରିବା ପାଇଁ ଭିତରେ ଭିତରେ ଷଡଯନ୍ତ୍ର କରୁଥିଲା ବିଜେପି ।

ମଙ୍ଗଳବାର ମାତ୍ର ୨୪ ଘଂଟା ଭିତରେ ବଦଳିଯାଇଥିଲା ବିହାର ରାଜନୀତିର ଚିତ୍ର । ନୀତୀଶ ମଙ୍ଗଳବାର ଅପରାହ୍ଣରେ ଏନଡିଏ ମେଂଟର ବାହାରିଯିବା ସହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ସନ୍ଧ୍ୟାରେ ରାଜ୍ୟପାଳଙ୍କ ନିକଟକୁ ଯାଇ ମହାମେଂଟରେ ସାମିଲ ହୋଇ ନୂଆ ସରକାର ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ । ଆଉ ବୁଧବାର ନେଇଛନ୍ତି ଶପଥ ।