ବିଦାୟ ରବି ରାୟ ! ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସଂପନ୍ନ ହେଲା ରବି ରାୟଙ୍କ ଶେଷ କୃତ୍ୟ

52

କନକ ବ୍ୟୁରୋ : ନିରବିଗଲେ ରବି । ପଂଚଭୂତରେ ଲୀନ ହେଲା ରବି ରାୟଙ୍କ ମରଶରୀର । ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଆଜି ରବି ରାୟଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଜନ୍ମମାଟି ଭଅଁରାଗଡରେ ଜଳିଛି ଜୁଇ । ସ୍ୱର୍ଗତ ରାୟଙ୍କ ଶେଷ ଦର୍ଶନ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ଜେଡିୟୁ ମୁଖ୍ୟ ଶରଦ ଯାଦବ । ଏହା ସହ ଏହି ଜନନାୟକଙ୍କ ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ ହଜାର ହଜାର ଜନତା । ବହୁ ବିଶିଷ୍ଟ ବ୍ୟକ୍ତି ବି ଶ୍ରଦ୍ଧାଂଜଳି ଜଣାଇଛନ୍ତି । ଏଥିସହ ଏକ ଯୁଗର ଅବସାନ ହୋଇଛି । ସମସ୍ତେ ଦେଖୁଥିଲେ ହେଲେ ନିରବି ଯାଇଥିଲେ ଗରିବଙ୍କ ଏ ଗର୍ବ ।

ଶେଷ ଦର୍ଶନ ପାଇଁ ସ୍ୱର୍ଗତ ରାୟଙ୍କ ମରଶରୀରକୁ ଅଣାଯାଇଥିଲା ଲୋହିଆ ଏକାଡେମୀ । ନିଜେ ଗଢିଥିବା ଏକାଡେମୀରେ ସକାଳୁ ସକାଳୁ ଲାଗିଥିଲା ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଭିଡ । ସବୁ ଦଳର ନେତା, କର୍ମୀ ଓ ହଜାର ହଜାର ଲୋକ । ଶ୍ରଦ୍ଧାଂଜଳି ଜଣାଇବାକୁ ପହଁଚିଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ମନେ ପକାଇଥିଲେ ସଂସଦରେ ରବି ରାୟଙ୍କ ସହ ପ୍ରଥମ ଦିନର ସେ ମୁହୂର୍ତ ।

ସେ ଥିଲେ ଲୋକସଭାର ପ୍ରଥମ ତଥା ଏକମାତ୍ର ଓଡିଆ ବାଚସ୍ପତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ, ବିଶିଷ୍ଟ ଲେଖକ ଓ ସ୍ତମ୍ଭକାର । ସମାଜବାଦୀ ଆନ୍ଦୋଳନର କଣ୍ଣାଧାର । ସଂସଦରେ ଶୂନ୍ୟକାଳର ପ୍ରବର୍ତକ । ବାଚସ୍ପତି ଥିବା ସମୟରେ ଦେଶରେ ପ୍ରଥମ ଥର ସଂସଦୀୟ କାର୍ଯ୍ୟକ୍ରମର ଟେଲିଭିଜନ୍ ପ୍ରସାରଣ ହୋଇଥିଲା । ସଂସଦରେ ସେ ଆରମ୍ଭ କରିଥିଲେ ମାତୃଭାଷାର ପରମ୍ପରା । ଗାନ୍ଧୀବାଦ ବିଚାରକୁ ଆଗେଇ ନେବା ପାଇଁ ସେ ଗଢିଥିଲେ ଲୋହିଆ ଏକାଡେମୀ । ଲୋକଶକ୍ତି ଅଭିଯାନର ସେ ଥିଲେ ଅନ୍ୟତମ ପୁରୋଧା ।

ଛାତ୍ର ନେତାରୁ ବାଚସ୍ପତି । ସ୍ୱାଧୀନତା ସଂଗ୍ରାମର ଜଣେ ଜାଗ୍ରତ ପ୍ରହରୀ । ଦେଶ ପାଇଁ ବାରମ୍ବାର ଜେଲ୍ ଯାଇଛନ୍ତି । ଏଥିସହ ବିଭିନ୍ନ ସଂସଦୀୟ ଦଳର ନେତୃତ୍ୱ ନେଇ ୧୫ ରୁ ଅଧିକ ଦେଶ ବି ଗସ୍ତ କରିଛନ୍ତି । ସ୍ୱର୍ଗତ ରବି ରାୟଙ୍କ ଏଯାତ୍ରା ସତରେ ଅନନ୍ୟ ।