୩୫ ଦିନ ପରେ ବିହାରରୁ ହଟିଲା ଲକଡାଉନ୍ , ନାଇଟ୍ କର୍ଫ୍ୟୁ ବଳବତ୍ତର

141

କନକ ବ୍ୟୁରୋ : ବିହାରରେ କରୋନା ସଂକ୍ରମଣକୁ ରୋକିବା ଉର୍ଦ୍ଦେଶ୍ୟରେ ୩୫ ଦିନ ଧରି ଲାଗିଥିବା ଲକଡାଉନ୍ ହଟାଇ ଦିଆଯାଇଛି । ଏନେଇ ମଙ୍ଗଳବାର ଦିନ ରାଜ୍ୟ କ୍ରାଇସେସ୍ ମ୍ୟାନେଜମେଣ୍ଟ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା   । ରାଜ୍ୟରେ କମୁ୍ଥିବା ସଂକ୍ରମଣକୁ ନଜରରେ ରଖି ମଙ୍ଗଳବାର ଦିନ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଲକଡାଉନ୍ ହଟାଇବା ପ୍ରସ୍ତାବ ଉପରେ ମୋହର ଲାଗିଥିଲା । ରାଜ୍ୟସରକାର ରାଜ୍ୟରେ ଲକଡାଉନ ହଟାଇ ଦେଇଥିଲେ ବି ନାଇଟ୍ କର୍ଫ୍ୟୁ ସମେତ ଆଉକିଛି କଟକଣା ବଳବତ୍ତର ରଖିଛନ୍ତି ।

ସରକାର ଲଗାଇବାକୁ ଥିବା ନୂଆ କଟକଣାକୁ ନେଇ ତୁରନ୍ତ ଘୋଷଣା ହେବ । ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି କି, ଲକଡାଉନ୍ ଫଳରେ କରୋନା ସଂକ୍ରମଣ ହ୍ରାସ ପାଇଛି । ହେଲେ ସମ୍ପୂର୍ଣ୍ଣ ସଂକ୍ରମଣ କମିନଥିବାରୁ ସନ୍ଧ୍ୟା ୭ ଟାରୁ ସକାଳ ୫ ଟା ଯାଏ ନାଇଟ୍ କର୍ଫ୍ୟୁ ଜାରି ରହିବ । ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ସରକାରୀ ଓ ଘରୋଇ ଅଫିସ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଖୋଲା ରହିବ । ଦୋକାନ ସନ୍ଧ୍ୟା ୫ ଟା ଯାଏଁ ଖୋଲା ଯାଇ ପାରିବ । ଅନଲାଇନ ଶିକ୍ଷାଦାନ ଚାଲୁ ରହିବ । ଏହାସହ ବ୍ୟକ୍ତିଗତ ଗାଡି ଚଳା ଚଳ କରିପାରିବ । ଏଭଳି କଟକଣା ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଲାଗୁ କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଭିଡ ନକରିବାକୁ ଲୋକମାନଙ୍କୁ ଅନୁରୋଧ କରିଛନ୍ତି । ସୂଚନା ଥାଉକି ବିହାରରେ ମୋଟ ୩୫ ଦିନ ଲକଡାଉନ୍ ଲାଗି ରହିଲା । ଏହାରି ମଧ୍ୟରେ ରାଜ୍ୟରେ ସଂକ୍ରମଣର ସ୍ଥିତିକୁ ଦେଖି ରାଜ୍ୟ ସରକାର ୪ ଥର ଲକଡାଉନ୍ ବୃଦ୍ଧି କରିଥିଲେ ।

ମୁଖ୍ୟମନ୍ତ୍ରୀ ନିତୀଶ କୁମାର ମନ୍ତ୍ରୀ ଓ ଉଚ୍ଚ ପଦାଧିକାରୀଙ୍କ ସହ ବିଚାର ବିମର୍ଷ ପରେ ଏଭଳି ଘୋଷଣା କରିଛନ୍ତି । ବିହାରରେ ଲକଡାଉନ ଲଗାଯିବା ପରେ ଦ୍ରୁତଗତିରେ ସଂକ୍ରମଣ ହ୍ରାସ ପାଇଥିବା ଦେଖିବାକୁ ମିଳିଥିଲା ।