ବିହାରରେ ନୂଆ ରୂପରେ ଆସିଲା ନୀତିଶ ସରକାର। ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ।

85

କନକ ବ୍ୟୁରୋ: ଅଷ୍ଟମଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀଭାବେ ଶପଥ ନେଲେ ନୀତିଶ କୁମାର । ରାଜ୍ୟପାଳ ଫଗୁ ଚୌହାନ ନୀତିଶଙ୍କୁ ଗୋପନୀୟତାରେ ଶପଥ ପାଠ କରାଇଛନ୍ତି । ୨୨ ବର୍ଷରେ ମୁଖ୍ୟମନ୍ତ୍ରୀ ଭାବେ ଅଷ୍ଟମ ଥର ଶପଥ ନେଲେ ନୀତୀଶ କୁମାର । ରାଜ୍ୟର ଉପମୁଖ୍ୟମନ୍ତ୍ରୀଭାବେ ତେଜସ୍ୱୀ ଯାଦବ ମଧ୍ୟ ବୁଧବାର ଶପଥ ଗ୍ରହଣ କରିଛନ୍ତି । ଦ୍ୱିତୀୟ ଥର ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି ତେଜସ୍ୱୀ ଯାଦବା ନୀତିଶ କୁମାର କହିଲେ, ଖୁବ୍ ଶୀଘ୍ର ହେବ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ । ମୋଟ ୭ଟି ଦଳର ସହଯୋଗରେ ସେ ନୂଆ ସରକାର ଗଠନ କରିବାକୁ ଯାଉଛନ୍ତି । ସେହିଭଳି ନୂଆ ମନ୍ତ୍ରିମଣ୍ଡଳ ନେଇ ବି ଚର୍ଚ୍ଚା ଆରମ୍ଭ ହୋଇଛି । କୁହାଯାଉଛି ନୀତିଶ କୁମାର ମନ୍ତ୍ରିମଣ୍ଡଳରେ ୩୫ ମନ୍ତ୍ରୀ ସାମିଲ ହୋଇପାରନ୍ତି । ଏଥିମଧ୍ୟରୁ ଜେଡିୟୁ ଓ ଆରଜେଡିର ୧୪ ଲେଖାଁଏ ମନ୍ତ୍ରୀପଦ ମିଳିପାରେ । କଂଗ୍ରେସକୁ ୩, ବାମପନ୍ଥୀ ଦଳଙ୍କୁ ୨ଟି ମନ୍ତ୍ରୀପଦ ମିଳିବା ସମ୍ଭାବନା ରହିଛି । ଜିତନ ରାମ ମାଞ୍ଝିଙ୍କ ହାମକୁ ଗୋଟିଏ ମନ୍ତ୍ରୀପଦ ମିଳିପାରେ । ତେବେ ଏ ନେଇ କୌଣସି ଔପଚାରିକ ଘୋଷଣା ହୋଇନାହିଁ ।

ମଙ୍ଗଳବାର ବେଶ ନାଟକୀୟ ଢଙ୍ଗରେ ନୀତିଶ ନିଜ ସହଯୋଗୀ ଦଳ ବିଜେପି ମେଣ୍ଟରୁ ଓହରିବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ବୁଧବାର ୭ଟି ଦଳ ମହାମେଣ୍ଟ କରି ପୁଣି ଥରେ ବିହାରର ଶାସନ କମାଣ ଧରିଛନ୍ତି । ୨୦୨୦ ମସିହାରେ ବିଜେପି ଓ ନୀତିଶଙ୍କ ଜେଡିୟୁ ଏକାଠି ନିର୍ବାଚନ ଲଢିଥିଲେ ଓ ବିହାରରେ ସରକାର ଗଠନ କରିଥିଲେ । ପ୍ରାୟ ଅଢେଇ ବର୍ଷ ପରେ ଏହି ମେଣ୍ଟ ଭାଙ୍ଗିବା ସହ ସରକାର ଭାଙ୍ଗିଛି । ଏବେ ନୂଆ କରି ନୀତିଶ ମହାମେଣ୍ଟଗଠନ କରିଛନ୍ତି । ଜେଡିୟୁ, ଆରଜେଡି ସହ କଂଗ୍ରେସ, ବାମ ଦଳ ଓ ଜଣେ ସ୍ୱାଧୀନ ବିଧାୟକ ରହିଛନ୍ତି ।

• ୨୦୦ ମସିହାରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ନୀତିଶ
• ୨୦୦୫ ମସିହାରେ ୨ୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ନୀତିଶ
• ୨୦୧୦ରେ ୩ୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ନୀତିଶ
• ୨୦୧୫ ଫେବୃଆରୀରେ ୪ର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ନୀତିଶ
• ୨୦୧୫ ନଭେମ୍ବରରେ ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ନୀତିଶ
• ୨୦୧୭ରେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ନୀତିଶ
• ୨୦୨୦ରେ ସପ୍ତମଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ନୀତିଶ

୫ବର୍ଷ ପୂର୍ବରୁ ନୀତିଶ ଯେଉଁ ଆରଜେଡି ସହ ସର୍ମ୍ପକ ଛିନ୍ନ କରି ବିଜେପିର ହାତ ଧରି ଶାସନ ଚଳାଇଥିଲେ ଏବେ ପୁଣି ସେହି ଆରଜେଡି ସହ ମିଶି ସରକାର ଗଢିବା ପାଇଁ ବିଜେପିର ହାତ ଛାଡିଛନ୍ତି । ତେବେ ସୁଶାସନ ବାବୁଙ୍କ ଏହି ରାଜନୈତିକ ଖେଳ ଏବେ ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି ।