ନୂଆ ରୂପରେ ଆସିଲା ବିହାରରେ ନୀତିଶ ସରକାର । ୭ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ । ବିଜେପିର ଦୁଇ ନେତା ତାରକିଶୋର ଓ ରେଣୁ ଦେବୀ ହେଲେ ଉପମୁଖ୍ୟମନ୍ତ୍ରୀ

205

କନକ ବ୍ୟୁରୋ : ବିହାରରେ ପୁଣି ଥରେ ନୀତିଶ ରାଜ୍ । ସପ୍ତମ ଥର ଲାଗି ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି କିନ୍ତୁ ନୀତିଶଙ୍କ ଏହି ପାଳି ସହଜ ହେବ ନାହିଁ । ରାଜ୍ୟରେ ବିଜେପି ୭୪ଟି ଆସନ ଅକ୍ତିଆର କରି ବଡ ଭାଇ ଭୂମିକାରେ ରହିଛି । ସେପଟେ ଜେଡିୟୁ ମାତ୍ର ୪୩ଟି ଆସନରେ ସୀମିତ ରହିବା ନୀତିଶଙ୍କ ଅଡୁଆ ବଢାଇପାରେ । ଅପରପକ୍ଷରେ ବିଜେପିର ତାରକିଶୋର ପ୍ରସାଦ ଓ ରେଣୁ ଦେବୀଙ୍କୁ ଉପମୁଖ୍ୟମନ୍ତ୍ରୀ ପଦବୀ, ନୀତିଶଙ୍କ ଭୂମିକାକୁ କରିବ ସଙ୍କୁଚିତ ।

ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ବନିଥିବା ନୀତିଶଙ୍କୁ ଟାଣୁଆ ବିରୋଧୀ ମଧ୍ୟ ଶାନ୍ତିରେ ରହିବାକୁ ଦେବେନାହିଁ । ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ସୁଶାସନ ବାବୁ ଭାବେ ପରିଚିତ ନୀତିଶଙ୍କ ପାଇଁ ସହଜ ହେବନାହିଁ ଏହି ରାସ୍ତା । କୁହାଯାଉଛି
୧. ନୀତିଶଙ୍କ ଉପରେ କଡା ନଜର ରଖିବାକୁ ବିହାରରେ ରହିବେ ଦୁଇ ଉପମୁଖ୍ୟମନ୍ତ୍ରୀ
୨. ସପ୍ତମ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ନୀତିଶଙ୍କ ଭୂମିକା ବେଶ ସଂକୀର୍ଣ୍ଣ ରହିବ
୩. ଏହି ଶପଥ କ’ଣ ଜେଡିୟୁ ପାଇଁ ଅଗ୍ନିପଥ ସଦୃଶ୍ୟ ହେବ କି ?
୪. ନୀତିଶଙ୍କ ସରକାର ରହିବ କିନ୍ତୁ ପାୱାର ବିଜେପିର ରହିବ!
୫. ନୀତିଶଙ୍କ ସହ ଘନିଷ୍ଠତା ସୁଶୀଲ ମୋଦୀଙ୍କୁ ଭାରି ପଡିଲା କି?
୬. ୧୯ଲକ୍ଷ ଚାକିରିର ପ୍ରତିଶ୍ରୁତି କିପରି ପୂରଣ କରିବେ ନୀତିଶ ସରକାର?
୭. ୪୩ଟି ଆସନ ନେଇ ମୁଖ୍ୟମନ୍ତ୍ରୀ ବନିଥିବା ନୀତିଶଙ୍କୁ ଆଗକୁ ଛୋଟ ଛୋଟ ଦଳ ହଇରାଣ କରିବେ କି?

ଆଗକୁ ନୀତିଶ ସରକାରରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହେଲେ ବିଜେପିକୁ ୨୧ଟି ମନ୍ତ୍ରୀ ପଦ ଓ ଜେଡିୟୁକୁ ମୁଖ୍ୟମନ୍ତ୍ରୀ ସମେତ ୧୩ଟି ମନ୍ତ୍ରୀ ପଦ ମିଳିପାରେ । ଯାହାଦ୍ୱାରା ସରକାରରେ ବିଜେପିର ଶକ୍ତି ବୃଦ୍ଧି ପାଇବ । ସେପଟେ ବିହାରରେ ଏକାକି ୭୫ଟି ଆସନ ଅକ୍ତିଆର କରି ସବୁଠୁ ବଡ ଦଳ ଭାବେ ଉଭା ହୋଇଥିବା ଆରଜେଡିର ନେତା ତେଜସ୍ୱୀ ଯାଦବଙ୍କ ସହ ମହାମେଂଟର ବିଧାୟକ ବି ବିଧାନସଭା ଠାରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ ନୀତିଶ ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ ନେଇ ଜବାବ ମାଗି ନୀତିଶ ସୀରକାରଙ୍କ ସମସ୍ୟା ବଢାଇପାରନ୍ତି ।