କନକ ବ୍ୟୁରୋ: ସବୁଠୁ ଲୋକପ୍ରିୟ ଟିଭି ସିରିଏଲ ‘ମହାଭାରତ’ ରେ ଶ୍ରୀକୃଷ୍ଣଙ୍କ ଚରିତ୍ର ଅଭିନୟ କରିଥିବା ଭେଟେରାନ୍ ଅଭିନେତାଙ୍କ ଗୁହାରୀ ଏବେ ଚର୍ଚ୍ଚାରେ । ଅଭିନେତା ତଥା ପୂର୍ବତନ ସାଂସଦ ନୀତିଶ ଭରଦ୍ୱାଜ ନିଜ ପତ୍ନୀଙ୍କ ଦ୍ୱାରା ମାନସିକ ନିର୍ଯାତିତ ହେଉଥିବା ଅଭିଯୋଗ କରି ଏଥିରୁ ତାଙ୍କୁ ମୁକୁଳାଇବାକୁ ଭୋପାଳ ପୋଲିସ କମିଶନରଙ୍କୁ ଗୁହାରୀ କରିଛନ୍ତି । ଏନେଇ ସେ ମାମଲା ଦାଏର କରିଛନ୍ତି ।

Advertisment

ସୂଚନା ମୁତାବକ, ନୀତିଶ ଭରଦ୍ୱାଜ ଭୋପାଳ ପୋଲିସ କମିଶନର ହରିନାରାୟଣ ମିଶ୍ରାଙ୍କୁ ମେଲ୍ କରି ଅଭିଯୋଗ ଦାଏର କରିଛନ୍ତି । ନୀତିଶଙ୍କ ଅଭିଯୋଗ ମୁତାବକ, ତାଙ୍କ ପତ୍ନୀ ତାଙ୍କୁ ମାନସିକ ନିର୍ଯାତନା ଦେବା ସହ ନିଜର ଦୁଇ ଜାଆଁଳା ଝିଅଙ୍କୁ ଦେଖା କରିବାକୁ ଦେଉନାହାଁନ୍ତି । ନୀତିଶଙ୍କ ଏହି ଅଭିଯୋଗ ଭିତ୍ତିରେ ଭୋପାଳ ପୋଲିସ ତଦନ୍ତ ଆରମ୍ଭ କରିଛି । ଏହାର ଦାୟିତ୍ୱ ଆଡିସନାଲ ଡିସିପିଙ୍କୁ ଦିଆଯାଇଛି ।

ନୀତିଶ ଜଣେ ଲୋକପ୍ରିୟ ଅଭିନେତା ଓ ରାଜନେତା । ୨୦୦୯ ମାର୍ଚ୍ଚ ୧୪ରେ ସେ ମଧ୍ୟପ୍ରଦେଶ କ୍ୟାଡରର ଆଇଏଏସ୍ ସ୍ମିତାଙ୍କୁ ବିବାହ କରିଥିଲେ । ଏହା ଥିଲା ଦୁହିଁଙ୍କର ଦ୍ୱିତୀୟ ବିବାହ । ନୀତିଶ ଓ ସ୍ମିତାଙ୍କର ଦୁଇ ଜାଆଁଳା ଝିଅ ଅଛନ୍ତି , ଯାହାଙ୍କୁ ଏବେ ୧୧ ବର୍ଷ ହେଲାଣି । କିନ୍ତୁ କ୍ରମଶଃ ଦୁହିଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେବାରୁ ଛାଡପତ୍ର ପାଇଁ ନୀତିଶ ୨୦୧୯ରେ ଫ୍ୟାମିଲି କୋର୍ଟରେ ଆବେଦନ କରିଥିଲେ, ଯାହା ଏବେ ଯାଏଁ ତୁଟିନାହିଁ । ଏହା ମଧ୍ୟରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟ ବିଭିନ୍ନ କଥାକୁ ନେଇ ଅଶାନ୍ତି ସୃଷ୍ଟି ହେଉଥିବା ଜଣାପଡିଛି ।