ଇଣ୍ଡିଆ ମେଣ୍ଟରେ ରହିଥିଲେ ନୀତିଶ କୁମାର ପ୍ରଧାନମନ୍ତ୍ରୀ ହୋଇଥାନ୍ତେ । ବିହାର ରାଜନୀତିକୁ ନେଇ ବଡ ବୟାନ ଦେଲେ ଅଖିଳେଶ ଯାଦବ ।

139

କନକ ବ୍ୟୁରୋ : ବିହାରରେ ରାଜନୈତିକ ଝଡ ଉଠିଥିବା ବେଳେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ବଡ ବୟାନ ଦେଇଛନ୍ତି । ଅଖିଳେଶ କହିଛନ୍ତି, ନୀତିଶ କୁମାର ଇଣ୍ଡିଆ ମେଣ୍ଟରେ ରହିଥିଲେ ପ୍ରଧାନମନ୍ତ୍ରୀ ହୋଇପାରିଥାନ୍ତେ । କାରଣ ନୀତିଶଙ୍କୁ ମେଣ୍ଟରେ ସଂଯୋଜକ କିମ୍ବା ଅନ୍ୟ ବଡ ପଦ ପଦବୀ ମିଳିଥାନ୍ତା । ଏହାସହ ଅଖିଳେଶ କହିଛନ୍ତି, ଏବେ କଂଗ୍ରେସ ଦଳକୁ ଆଗକୁ ଆସିବା ଉଚିତ୍ । ଇଣ୍ଡିଆ ମେଣ୍ଟ ଓ ନୀତିଶ କୁମାରଙ୍କୁ ନେଇ କଂଗ୍ରେସ ଯେଉଁ ତତ୍ପରତା ଦେଖାଇବା କଥା ତାହା ଏବେ ପର୍ଯ୍ୟନ୍ତ ଦେଖାଇ ନାହିଁ । ନୀତିଶ କୁମାରଙ୍କ ସହ କଂଗ୍ରେସ ଆଲୋଚନା କରିବା ଆବଶ୍ୟକ ଥିଲା । ଏବେ ମଧ୍ୟ ମୁଁ ଚାହୁଁଛି, ନୀତିଶ କୁମାର ଇଣ୍ଡିଆ ମେଣ୍ଟରେ ରୁହନ୍ତୁ । କାରଣ ନୀତିଶଙ୍କ ଉଦ୍ୟମରେ ହିଁ ଇଣ୍ଡିଆ ମେଣ୍ଟ ଗଠନ ହୋଇଥିଲା ।

ସେହିଭଳି ଆଗାମୀ ନିର୍ବାଚନରେ ରାହୁଲଙ୍କ ସହ ପ୍ରଚାର କରିବା ପ୍ରଶ୍ନରେ ଅଖିଳେଶ କହିଛନ୍ତି, ଏବେ ଏହାର ଆକଳନ କରିବା ଠିକ୍ ହେବନି । ସମୟ କହିବ, ରାହୁଲଙ୍କ ସହ ପ୍ରଚାର କରିବି କି ନାହିଁ । କିନ୍ତୁ ପ୍ରଧାନମନ୍ତ୍ରୀ ପଦ ରେସରେ ମୁଁ ନାହିଁ । ଯେଉଁଠି ଆଞ୍ଚଳିକ ଦଳ ଶକ୍ତିଶାଳୀ ଅଛନ୍ତି ସେଠାରେ ସେମାନଙ୍କୁ ଗୁରୁତ୍ୱ ଦେବା କଥା । ସେହିଭଳି ରାମମନ୍ଦିରକୁ ନେଇ ଅଖିଳେଶ କହିଛନ୍ତି, ରାମମନ୍ଦିରକୁ ନେଇ ବିଜେପି ରାଜନୀତି କରୁଛି । ଏହି ପ୍ରସଙ୍ଗ ଉଠାଇ ନିର୍ବାଚନରେ ଲାଭ ଉଠାଇବାକୁ ବିଜେପି ପ୍ରୟାସ କରୁଥିବା କହିଛନ୍ତି ଅଖିଳେଶ ।

ନୀତିଶ କୁମାର ଖୁବଶୀଘ୍ର ଆରଜେଡି ସହ ଥିବା ମେଣ୍ଟ ସରକାରରୁ ଓହରିଯିବେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ନୀତିଶ ଏନଡିଏ ସହ ମିଶି ବିହାରରେ ସରକାର ଗଢିବାକୁ ମନସ୍ଥିର କରିଥିବା ସୂଚନା ମିଳୁଛି । ଏପରିକି କେଉଁ ମୁହୂର୍ତ୍ତରେ ବି ବିହାରରେ ସରକାର ଭାଙ୍ଗିପାରେ ।