କନକ ବ୍ୟୁରୋ : ରାଜନୀତିରେ ଦୁଇ ପ୍ରତିଦ୍ୱନ୍ଦୀ ନରେନ୍ଦ୍ର ମୋଦୀ- ନୀତୀଶ କୁମାର ପାଖାପାଖି । ଇଣ୍ଡିଆ ଏବଂ ଏନଡିଏ ମେଣ୍ଟର ଏହି ଦୁଇ ନେତା ପାଖାପାଖି ଛିଡା ହୋଇଛନ୍ତି । ଅବସର ଥିଲା ଶନିବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଆୟୋଜିତ ଜି-୨୦ର ନୈଶ ଭୋଜି । ଯେଉଁଥିରେ ଅନେକ ନେତା ଆସିଥିଲେ । ଫଟୋରେ ମହାମହିମଙ୍କ ସହ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛିଡା ହୋଇଛନ୍ତି ।

Advertisment

ଉଭୟ ଏକ ସୌହାର୍ଦ୍ୟପୂର୍ଣ୍ଣ ଆଲୋଚନା କରୁଛନ୍ତି । ଏହି ଭୋଜିରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ । ଫଟୋରେ ଦେଖିପାରୁଥିବେ ମମତା ଓ କେନ୍ଦ୍ରୀୟ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଶୀ, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ତଥା ଜେଏମଏମର ଶୀର୍ଷ ନେତା ହେମନ୍ତ ସୋରେନ ଓ ଅନ୍ୟ ଦୁଇ ଜଣ ଏକାଠି ଛିଡା ହୋଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିହାରରେ ନୀତୀଶ କୁମାର ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ କୁହାଯାଉଛି ପ୍ରଥମ ଥର ପାଇଁ ନୀତୀଶ ଓ ମୋଦୀ ପାଖିପାଖି ଆସିଛନ୍ତି ।

ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିଦାୟୀ ସମ୍ବର୍ଦ୍ଦନା ଓ ଏବେର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବକୁ ଆସିନଥିଲେ ନୀତୀଶ କୁମାର । ଏଥର କିନ୍ତୁ ଆସିଛନ୍ତି । କଂଗ୍ରେସର ବରିଷ୍ଠ ନେତା ତଥା ସଂସଦୀୟ ଦଳର ନେତା ଅଧୀର ରଂଜନ ଚୌଧୁରୀ ମମତା ଜି-୨୦ ରାତ୍ରିଭୋଜନରେ ଯୋଗଦେବାକୁ ନାପସନ୍ଦ କରିଛନ୍ତି । ଏହି ରାତ୍ରୀଭୋଜନକୁ ନଆସିିଥିଲେ କଣ ଅସୁବିଧା ହୋଇଥାନ୍ତା ବୋଲି ସେ ପ୍ରଶ୍ନ କରିଛନ୍ତି । ମମତା ଆସିବା ଦ୍ୱାରା ଏନଡିଏ ପ୍ରତି ତାଙ୍କ ଆଭିମୁଖ୍ୟ ଦୁର୍ବଳ ହେଉଛି ବୋଲି ବୁଝାପଡୁଥିବା କହିଛନ୍ତି ଅଧୀର ରଞ୍ଜନ ।

ତେବେ ଟିଏମସିର ମୁଖପାତ୍ର କହିଛନ୍ତି, ମମତା କେଉଁ ସଭାରେ ଯୋଗଦେବେ ତାହା ଅଧୀର ସ୍ଥିର କରିପାରିବେ ନାହିଁ । ଏହି ରାତ୍ରୀ ଭୋଜନକୁ ଯେଉଁମାନେ ଆସିନଥିଲେ ସେମାନଙ୍କ ମଧ୍ୟରେ ନବୀନ ପଟ୍ଟନାୟକ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍, କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ । ଭୋଜିକୁ ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେଙ୍କୁ ଡକାଯାଇନଥିଲା ।