ଯଦି ପୁଅ ରାଜନୀତିରେ ଆସିବାକୁ ଚାହିଁବ ତାହେଲେ ପ୍ରଥମେ କାନ୍ଥରେ ପୋଷ୍ଟର ମାରିବ । ରାଜନୀତିରେ ବଂଶବାଦକୁ ନେଇ ବଡ ବୟାନ ରଖିଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ।

296

କନକ ବ୍ୟୁରୋ : ପରିବାରବାଦ ରାଜନୀତିକୁ ନେଇ ଦେଶରେ ଅନେକ ସମୟରେ ତୁମ୍ବି ତୋଫାନ ଦେଖିବାକୁ ମିଳେ । ଉଭୟ ଶାସକ ଓ ବିରୋଧୀ ପରସ୍ପରକୁ ଏ ପ୍ରସଙ୍ଗରେ ଟାର୍ଗେଟ କରନ୍ତି । ଏପରିକି ଅନେକ ନେତା ମଧ୍ୟ ନିଜ ସନ୍ତାନ ମାନଙ୍କୁ ରାଜନୀତିରେ ଆଗକୁ ବଢିବାକୁ ପ୍ରୋତ୍ସାହିତ କରନ୍ତି । ଆଉ ଏଥିପାଇଁ ନିଜେ ଲଢୁଥିବା ଆସନରେ ଉତ୍ତରାଧିକାରୀ ଭାବେ ନିଜ ସନ୍ତାନ ମାନଙ୍କୁ ସାମ୍ନାକୁ ଆଣନ୍ତି । କିନ୍ତୁ ଏ କ୍ଷେତ୍ରରେ ବ୍ୟତିକ୍ରମ ସାଜିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ । ନାଗପୁରରେ ଏକ ଜନସଭାକୁ ସମ୍ବୋଧିତ କରି ନୀତିନ ଗଡକରୀ ପରିବାରବାଦକୁ ନେଇ ବଡ ବୟାନ ଦେଇଛନ୍ତି । ନୀତିନ କହିଛନ୍ତି, ମୋର କୌଣସି ସନ୍ତାନ ରାଜନୀତିରେ ନାହାନ୍ତି । ଏପରିକି ମୁଁ ମୋ ପିଲାଙ୍କୁ କହିଛି ଯେ, ଯଦି ରାଜନୀତିରେ ଆସିବାକୁ ଚାହୁଁଛ ତାହେଲେ ପ୍ରଥମେ କାନ୍ଥରେ ପୋଷ୍ଟର ମାର ଏବଂ ତୃଣମୂଳସ୍ତରରେ କାମ କର । କାରଣ ମୋ ରାଜନୈତିକ ସାମ୍ରାଜ୍ୟ ଉପରେ ବିଜେପି କର୍ମୀଙ୍କର ହକ୍ ରହିଛି ।

ଏହାସହ ନୀତିନ ଗଡକରୀ, ମୁଁ ଜାତିବାଦକୁ ଶେଷ କରିବାକୁ ନିଷ୍ପତ୍ତି ନେଇଛି । ପୂରା ନାଗପୁର ମୋର ପରିବାର । ମୁଁ ଜାତିବାଦରେ ବିଶ୍ୱାସ କରେନି କି ସାମ୍ପ୍ରଦାୟିକତା ସୃଷ୍ଟି କରେନି । ସବକା ସାଥ, ସବକା ବିକାଶ, ସବକା ପ୍ରୟାସର ମନ୍ତ୍ର ନେଇ କାମ କରିବି । ବିଶ୍ୱାସ ଅଛି ଚଳିତ ନିର୍ବାଚନରେ ୫ ଲକ୍ଷରୁ ଅଧିକ ଭୋଟରେ ଜିତିବି । ମୋତେ ଏତେ ଭଲପାଇବା ଦେଇଥିବା କାରଣରୁ ମୁଁ କାମ କରିପାରୁଛି । ସମସ୍ତଙ୍କ ଭଲପାଇବା ଓ ଆଶୀର୍ବାଦ କାରଣରୁ ମୁଁ ଏଭଳି ଏକ ସ୍ଥାନରେ ଛିଡା ହୋଇଛି । ଏହାର ଶ୍ରେୟ ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଯାଉଛି ।