ଏକ୍ସପ୍ରେସ ୱେରେ ୧୭୦ କି.ମି ବେଗରେ ଗାଡି ଚଳାଇଲେ ଗଡକରୀ, ଯଦି ଆପଣ ଭାଙ୍ଗିଥାନ୍ତେ ନିୟମ ତେବେ ?

197

କନକ ବ୍ୟୁରୋ : କେନ୍ଦ୍ର ପରିବହନ ଓ ରାଜମାର୍ଗ ମନ୍ତ୍ରୀ ପ୍ରଥମେ ହେଲିକପ୍ଟରରୁ ଉହ୍ଲାଇଲେ, ତା ପରେ କାର୍ନିବାଲ ଗାଡିର ଡ୍ରାଇଭର ସିଟରେ ବସିଲେ ଓ ରାଜମାର୍ଗରେ ୧୫୦ କିଲୋମିଟର ପ୍ରତି ଘଂଟା ବେଗରେ ଗାଡି ଚଳାଇଲେ । ଏଭଳି ଦୃଶ୍ୟ ଦେଖିବାକୁ ମିଳଥିଲା ମଧ୍ୟପ୍ରଦେଶରେ । ମଧ୍ୟପ୍ରଦେଶରେ ନିର୍ମାଣ ହୋଇଥିବା ଦିଲ୍ଲୀ –ମୁମ୍ବାଇ ଏକ୍ସପ୍ରେସ ୱେରେ ଏଭଳି ଘଟଣା ଦେଖି ଲୋକ ଚକିତ ହୋଇପଡିଥିଲେ ।

ସୂଚନା ଥାଉକି ସେପ୍ଟେମ୍ବର ୧୬ ତାରିଖରେ ଶତଲାମ ଜିଲ୍ଲା ଜାବରା ତହସିଲ ଠାରେ ଏକ ଜନସଭାକୁ ସମ୍ବୋଧିତ କରିବାକୁ ପହଂଚିଥିଲେ କେନ୍ଦ୍ର ରାଜମାର୍ଗମନ୍ତ୍ରୀ ନିତୀନ ଗଡକରୀ । ସେଠାରେ ପହଂଚିବା ପରେ ସେ ସଦ୍ୟ ନିର୍ମାଣ ସରିଥିବା ରାଜମାର୍ଗ ଦେଖିବାକୁ ପହଂଚିଯାଇଥିଲେ । ସେଠାରେ ଶ୍ରମିକମାନେ କାମ କରୁଥିବା ବେଳେ ଠିକାଦାର ବି ଉପସ୍ଥିତ ଥିଲେ । ଗଡକରୀ ସେଠାରେ ଚାଲିଥିବା କାମ ବାବଦରେ ପଚାରି ବୁଝିବା ସହ ରାସ୍ତାକାମ ଠିକ ହୋଇଛି କି ନାହିଁ ନିଜେ ତଦାରଖ କରିଥିଲେ । ଏହି କ୍ରମରେ ପାଖରେ ଥିବା ଠିକାଦାରଙ୍କ କାର୍ନିବାଲ ଗାଡିର ଡ୍ରାଇଭର ସିଟରେ ନିଜେ ବସିଥିଲେ ଗଡକରୀ । ଏହାପରେ ନିଜେ ଗାଡି ଚାଳନା କରି ଗାଡିର ଘଂଟାପ୍ରତି ବେଗ ୧୭୦ ପର୍ଯ୍ୟନ୍ତ ପହଂଚାଇ ଦେଇଥିଲେ ।

ହେଲେ ଏଠି କଥା ଉଠୁଛି ରାସ୍ତାର କ୍ୱାଲିଟି ଚେକ କରିବାକୁ ଜଣେ ରାଜମାର୍ଗ ମନ୍ତ୍ରୀ କିଭଳି ଭାବେ ରାଜମାର୍ଗ ନିୟମ ଉଲଙ୍ଘନ କଲେ । ଯଦି ଜଣେ ସାଧାରଣ ଲୋକ ଏହି ନିୟମ ଭଙ୍ଗକରେ ତେବେ ରାଜମାର୍ଗ ସୁରକ୍ଷା ନିମୟ ମୁତାବକ ତାଙ୍କ ଉପରେ ସର୍ବନିମ୍ନ ୨୦୦୦ ଟଙ୍କା ଜରିମାନା ଲାଗିଥାନ୍ତ । ହେଲେ ଜଣେ କେନ୍ଦ୍ରମନ୍ତ୍ରୀ ପୁଣି ସେହି ବିଭାଗର ମନ୍ତ୍ରୀ ହୋଇ ନିଜେ ପ୍ରସ୍ତୁତ କରିଥିବା ନିୟମ ଭାଙ୍ଗିବା ଅପରାଧରେ ତାଙ୍କ ଉପରେ ଜରିମାନା ଲାଗିବ କି ?

କହିରଖୁ କି ୯୮ ହଜାର କୋଟି ଟଙ୍କା ବିନିମୟରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେର ନିର୍ମାଣ କାମ ଚାଲିଛି । ପ୍ରଥମଥର ପାଇଁ ଦେଶରେ ୧୩୮୦ କିଲୋମିଟର ଲମ୍ବ ରାସ୍ତା ନିର୍ମାଣ ଚାଲିଛି । ଏହି ରାଜମାର୍ଗ ଦେଶର ୬ ଟି ରାଜ୍ୟକୁ ସଂଯୋଗ କରିବାକୁ ଯାଉଛି । ଦିଲ୍ଲୀ, ହରିଆଣା, ରାଜସ୍ଥାନ, ମଧ୍ୟ ପ୍ରଦେଶ, ଗୁଜୁରାଟ ଓ ମହାରାଷ୍ଟ୍ର ଦେଇ ଏହି ରାଜମାର୍ଗ ଯାଉଛି । ଏହି ରାସ୍ତା ନିର୍ମାଣ କାମ ୨୦୨୩ ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି ।