ଧୂପ-ବେଶ ଅଟକିଗଲା, ରତ୍ନ ସିଂହାସନରେ ପଡିଲା ପାଣି । ବାତ୍ୟା ପରେ ବନ୍ଦ ରହିଥିଲା ମହାପ୍ରଭୁଙ୍କ ନୀତି ।

267

କନକ ବ୍ୟୁରୋ : ଯାହା କେବେ ହୋଇନଥିଲା ତାହା ଏଥର କରିଦେଲା ସାମୁଦ୍ରିକ ଝଡ଼ ‘ଫୋନି’ । ୯୯ ମହାବାତ୍ୟା ହେଉ କି ଫାଇଲିନ୍‌, କୌଣସି ସମୟରେ ଠାକୁରଙ୍କ ନୀତି ବନ୍ଦ ହୋଇନଥିଲା । ମାତ୍ର ଏଥର ମଧ୍ୟାହ୍ନ ଧୂପ ସାରି ନୀତି ବନ୍ଦ କରିବାକୁ ବାଧ୍ୟ ହେଲେ ସେବକମାନେ । ମହାପ୍ରଭୁଙ୍କୁ ଛାଡ଼ି ସମସ୍ତେ ପଳାଇଲେ । ମହାପ୍ରଭୁ ଏକା ଏକା ରାତିସାରା ବସିଲେ । ପରଦିନ ସକାଳେ ହେଲା ନୀତି ।

ବାତ୍ୟା ସମୟରେ ଶ୍ରୀମନ୍ଦିର ନୀତି ସମ୍ପର୍କରେ ନୀତି ଅଧିକାରୀ କହିଛନ୍ତି, ବାହାରେ ପ୍ରବଳ ପବନ ଓ ବର୍ଷା ସ‌ତ୍ତ୍ବେ ମହାପ୍ରଭୁଙ୍କ ନୀତିକୁ ସେବକମାନେ ଚଳାଇଥିଲେ । ମଧ୍ୟାହ୍ନ ଧୂପ ଯାଏ ନୀତି ହେଲା । ପରମ୍ପରା ଅନୁଯାୟୀ ଦକ୍ଷିଣୀଘର ଭୋଗ ବି ହେଲା । କିନ୍ତୁ ଏହା ପରେ ଆଉ ନୀତି କରିବା ସମ୍ଭବ ହେଲା ନାହିଁ । ଠାକୁରଙ୍କ ନୀତିକୁ ସେହିଠାରେ ବନ୍ଦ ରଖିଲେ ସେବକମାନେ । ଘନ ଅନ୍ଧାର, ଜରୁରୀକାଳୀନ ଆଲୁଅରେ ମଧ୍ୟାହ୍ନ ଧୂପ ନୀତି ପରେ ଆଉ କିଛି ହୋଇ ପାରିଲାନି । ଦୀପ ଆଲୁ‌ଅରେ ନୀତି କରିବା ସମ୍ଭବ ନ ହେବାରୁ ନୀତି ରହିଗଲା । ସେବକମାନେ ଦେଉଳ ଛାଡ଼ି ଚାଲିଗଲେ । ଏହାପରଠାରୁ ସବୁ ନୀତି ବନ୍ଦ ରହିଲା, ଯାହା ଏକ ବିରଳ ଘଟଣା । ଆଜିଯାଏ ଠାକୁରଙ୍କର ଧୂପ ଓ ବେଶ ଭଳି ନୀତି ବନ୍ଦ ହେବାର ରେକର୍ଡ ନାହିଁ । ହେଲେ ଏଥର ‘ଫୋନି’ ପ୍ରଭାବରେ ଏହା ହେଲା । ତେବେ ପରଦିନ ପୂର୍ବଭଳି ଠାକୁରଙ୍କ ନୀତି ହୋଇଥିବା କହିଛନ୍ତି ଶ୍ରୀମନ୍ଦିର ନୀତି ଅଧିକାରୀ ଆର୍‌ଏନ୍‌ ଦାଶ ।

ବର୍ଷା ବେଳେ ରତ୍ନ ସିଂହାସନ ଉପରେ ପାଣି ପଡ଼ିଥିଲା । ବଡ଼ ଠାକୁରଙ୍କ ବିଗ୍ରହଠାରୁ ମାତ୍ର କିଛି ଦୂରରେ ଥିବା ଥାଳି ଉପରେ ବର୍ଷା ଟପ୍‌ ଟପ୍‌ ହୋଇ ପଡ଼ିଥିଲା । ଏ କଥା ଶ୍ରୀମନ୍ଦିର ପ୍ରଶାସନକୁ ସେବକମାନେ ଜଣାଇବା ପରେ ଅଧିକାରୀମାନେ ତଦାରଖ କରିଥିଲେ । ଯେହେତୁ ଶ୍ରୀଅଙ୍ଗ ସୁରକ୍ଷିତ ଥିଲା, ସେଥି ପାଇଁ ସେମାନେ ରିପୋର୍ଟ କରି ନିରବ ରହିଥିଲେ । ଏ ସମ୍ପର୍କରେ ନୀତି ଅଧିକାରୀ କହିଛନ୍ତି, ବର୍ଷା ରତ୍ନ ସିଂହାସନ ଉପରେ ପଡ଼ିଥିବାର ରିପୋର୍ଟ ଆସିଛି । ତା’ର ତର୍ଜମା କରାଯିବ । ତେବେ ପ୍ରାଥମିକ ସମୀକ୍ଷା ଅନୁଯାୟୀ, ଦୁଇ ମହଲା ବିଶିଷ୍ଟ ଶ୍ରୀମନ୍ଦିରର ତଳ ମହଲାରେ ମହାପ୍ରଭୁ ବିଜେ କରୁଛନ୍ତି । ପ୍ରଥମ ମହଲା ପରେ ଦ୍ବିତୀୟ ମହଲା ରହିଛି । ତା’ ଉପରେ ବାୟୁ ସଞ୍ଚାଳନ ରାସ୍ତା ରହିଛି । ଦେଉଳ କାନ୍ଥ ୧୮ ଫୁଟ୍‌ ମୋଟା । ତେଣୁ ବର୍ଷା ଭେଦ କରିବା ସମ୍ଭବ ନୁହେଁ । ବାୟୁ ସଞ୍ଚାଳନ ରାସ୍ତା ଦେଇ ପାଣି ଆସି ରତ୍ନ ସିଂହାସନ ଉପରେ ପଡ଼ିଥାଇପାରେ । ଏହାର ଯାଞ୍ଚ ପାଇଁ ଏଏସ୍‌ଆଇକୁ ନିର୍ଦ୍ଦେଶ ଦିଆଯାଇଛି । ଯେହେତୁ ପ୍ରବଳ ପବନରେ ବର୍ଷା ଆସି କାନ୍ଥରେ ମାଡ଼ ହେଉଥିଲା, ତେଣୁ ବର୍ଷା ପାଣି କିଛିଟା ପଶିଥାଇପାରେ ବୋଲି ଏଏସ୍‌ଆଇର ଜନୈକ ଅଧିକାରୀ କହିଛନ୍ତି । ତଥାପି ଏହି ସ୍ଥିତିକୁ ଅନୁଧ୍ୟାନ କରାଯିବ ବୋଲି ସେ କହିଛନ୍ତି ।