ଟ୍ରେନରେ ଅଙ୍ଗନୱାଡି ! ନବରଙ୍ଗପୁରର ମଡେଲ ଅଙ୍ଗନୱାଡିକୁ ପ୍ରଶଂସାରେ ପୋତି ପକାଇଲେ ନୀତି ଆୟୋଗ ।

1,151

କନକ ବ୍ୟୁରୋ: ନବରଙ୍ଗପୁରକୁ ନୀତି ଆୟୋଗର ପ୍ରଶଂସା । ଦେଶର ଆଗାମୀ କୁନି କୁନି ଭବିଷ୍ୟତ ମାନଙ୍କ ପାଇଁ ସ୍ୱାଭାବିକ ବାତାବରଣରେ ଶିକ୍ଷା ପ୍ରଦାନ ଏବଂ ଏକ ସ୍ୱତନ୍ତ୍ର ମଡେଲ୍ ଅଙ୍ଗନୱାଡି ନିର୍ମାଣ କରିବା ନେଇ ନବରଙ୍ଗପୁରକୁ ଶତମୂଖ ପ୍ରଶଂସା କରିଛନ୍ତି ନୀତି ଆୟୋଗ । ଏପରିକି ନୀତି ଆୟୋଗ ନିଜ ଅଫିସିଆଲ ଟ୍ୱିଟର ପେଜରେ ପୋଷ୍ଟ ଜରିଆରେ ଏହାକୁ ଉଲ୍ଲେଖ କରିଥିବା ଦେଖିବାକୁ ମିଳିଛି ।

ସୂଚନା ମୁତାବକ ନବରଙ୍ଗପୁରର ଝରିଗାଁ ବ୍ଲକ ଅଧିନରେ ଥିବା ଟ୍ରଟିଗୁଡ଼ା ଠାରେ ନିର୍ମିତ ମଡେଲ ଅଙ୍ଗନୱାଡିକୁ ପ୍ରଶଂସା କରିଛନ୍ତି ନୀତି ଆୟୋଗ । ବ୍ଲକ ଉନ୍ନୟନ ଅଧିକାରୀଙ୍କ ନେତୃତ୍ୱରେ ନିର୍ମିତ ହୋଇଛି ଏହି ମଡେଲ ଅଙ୍ଗନୱାଡି । ଏପରିକି ଏହା ଶିକ୍ଷା ପ୍ରଦାନ କ୍ଷେତ୍ରରେ ଆଗମୀ କୁନି କୁନି ଭବିଷ୍ୟତଙ୍କୁ ଉତ୍ସାହ ଯୋଗାଇବ । ଏବଂ ପାଠ ପଢ଼ିବା କ୍ଷେତ୍ରରେ ସେମାନଙ୍କୁ ଉତ୍ସାହିତ କରିବ ।

ଅନ୍ୟପଟେ ନିର୍ମାଣ ହୋଇଥିବା ଏହି ମଡେଲ ଅଙ୍ଗନୱାଡିର ରୂପରେଖ ଏକ ଟ୍ରେନ୍ ସଦୃଶ୍ୟ ଭଳି ନଜର ଆସୁଛି । ଆଉ ଯାହାର ନାଁ ମଧ୍ୟ ଟ୍ରଟିଗୁଡ଼ା ଏକ୍ସପ୍ରେସ୍ ରଖାଯାଇଥିବା ଦେଖିବାକୁ ମିଳିଛି । ତେବେ ଏଭଳି ନୂତନ ଚିନ୍ତାଧାରାକୁ କାର୍ଯ୍ୟରେ ପରିଣତ କରିବା ହେତୁ ଓଡ଼ିଶାକୁ ପ୍ରଶଂସା କରିଛନ୍ତି ନୀତି ଆୟୋଗ । ଅନ୍ୟପଟେ ସୋସିଆଲ ମିଡ଼ିଆରେ ମଧ୍ୟ ଏନେଇ ଭୂରିଭୂରି ପ୍ରଶଂସା କରୁଛନ୍ତି ୟୁଜର ।