କନକ ବ୍ୟୁରୋ: ବିକଶିତ ଓଡିଶାର ସ୍ୱପ୍ନକୁ ସାକାର କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ନୀତି ଆୟୋଗ ଆଗେଇ ଆସିଛି। ଆଜି ଲୋକସେବା ଭବନରେ ନୀତି ଆୟୋଗର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ବି.ଭି.ଆର୍ ସୁବ୍ରମନିୟମ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଓଡିଶା ପାଇଁ ଏକ ଭିଜନ ଡକ୍ୟୁମେଣ୍ଟ ୨୦୩୬ ଏବଂ ଭିଜନ ଡକ୍ୟୁମେଣ୍ଟ-୨୦୪୭ ପ୍ରସ୍ତୁତ କରିବା ସମ୍ପର୍କରେ ଆଲୋଚନା କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶାର ବିଭିନ୍ନ କ୍ଷେତ୍ରରେ ବିକାଶର ବ୍ୟାପକ ସମ୍ଭାବନା ରହିଛି। ସମ୍ଭାବନାକୁ ସଫଳତାରେ ପରିଣତ କରିବା ଓ ଉପଯୁକ୍ତ କାର୍ଯ୍ୟାନ୍ୱୟନ ଦ୍ୱାରା ବିକାଶର ଲକ୍ଷ୍ୟ ହାସଲ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ବୋଲି ସେ କହିଥିଲେ।
ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତରେ ଓଡିଶା ଏକ ଗ୍ରୋଥ ଇଞ୍ଜିନ୍ ହେବାର ଲକ୍ଷ୍ୟ ରଖିଛି ବୋଲି ସେ କହିଥିଲେ। ଏହା ପୂର୍ବରୁ ୨୦୩୬ରେ ସ୍ୱତନ୍ତ୍ର ଓଡିଶା ଗଠନର ୧୦୦ ବର୍ଷ ପୂରଣ ହେଉଛି । ତେଣୁ ୨୦୩୬ ଓ ୨୦୪୭କୁ ଲକ୍ଷ୍ୟ ରଖି ଦୁଇଟି ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବା ପାଇଁ ସେ ପ୍ରସ୍ତାବ ଦେଇଥିଲେ। ସେ କହିଥିଲେ ଯେ ବର୍ତ୍ତମାନ ଓଡିଶାର ଅର୍ଥନୀତିର ଆକାର ୧୦୦ ବିଲିଅନ୍ ଡଲାରୁ ଅଧିକ ଅଛି। ୨୦୩୬ ସୁଦ୍ଧା ୫୦୦ ବିଲିଅନ୍ ଡଲାର ଓ ୨୦୪୭ ସୁଦ୍ଧା ୧.୫୦ ଟ୍ରିଲିଅନ୍ ଡଲାର ଅର୍ଥନୀତି ହାସଲ କରିବା ପାଇଁ ଓଡିଶା ଲକ୍ଷ୍ୟ ରଖିଛି ବୋଲି ସେ କହିଥିଲେ।
ନୀତି ଆୟୋଗର ସି.ଇ.ଓ ସୁବ୍ରମନିୟମ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ଓଡିଶାର ବିକାଶ ଉପରେ ସ୍ୱତନ୍ତ୍ର ଧ୍ୟାନ ରହିଛି। ୨୦୪୭ର ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ ସବୁ ରାଜ୍ୟର ବିକାଶ ଦରକାର। ଓଡିଶା କ୍ଷେତ୍ରରେ ୨୦୩୬ ଓ ୨୦୪୭କୁ ଲକ୍ଷ୍ୟ ରଖି ଦୁଇଟି ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବା ପାଇଁ ନୀତି ଆୟୋଗ ପୂର୍ଣ୍ଣ ସହଯୋଗ ଯୋଗାଇଦେବ ବୋଲି ସେ କହିଥିଲେ।
ଆଲୋଚନାରୁ ନିଷ୍ପତ୍ତି ହୋଇଥିଲା ଯେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଷ୍ଟିୟରିଂ କମିଟି ଗଠନ କରାଯିବ। ନୀତି ଆୟୋଗ ସହଯୋଗରେ ଆସନ୍ତା ୩ ମାସ ମଧ୍ୟରେ ଓଡିଶା ପାଇଁ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯିବ ବୋଲି ଜଣା ଯାଇଛି। ଏହି ଡକୁମେଣ୍ଟ ପ୍ରସ୍ତୁତ କରିବା ପାଇଁ ରାଜ୍ୟବ୍ୟାପୀ ବିଭିନ୍ନ ବର୍ଗର ଲୋକଙ୍କ ଠାରୁ ମତାମତ ମଧ୍ୟ ଗ୍ରହଣ କରାଯିବ। ଭିଜନ ଡକ୍ୟୁମେଣ୍ଟର କାର୍ଯ୍ୟାନ୍ବୟନ ପାଇଁ ସ୍ୱତନ୍ତ୍ର ଆକ୍ସନ ପ୍ଲାନ୍ ମଧ୍ୟ ପ୍ରସ୍ତୁତ କରାଯିବ।
ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପୂର୍ବରୁ ନୀତି ଆୟୋଗର ସିଇଓ ଏବଂ ଅଧିକାରୀମାନେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ତଥା ସମସ୍ତ ବିଭାଗର ସଚିବ ମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ। ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ପ୍ରମୁଖ ଉପସ୍ଥିତ ଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/08/WhatsApp-Image-2024-08-06-at-7.20.12-PM-1.jpeg)