ଇସ୍ତଫା ଦେବା ଖବରକୁ ନୀତେଶ ଗଙ୍ଗଦେବଙ୍କ ଖଣ୍ଡନ । ଫେସବୁକ୍ ଆଇଡି ହ୍ୟାକ୍ ହେଇଥିବା ନେଇ ଦେଲେ ସୂଚନା ।

659

କନକ ବ୍ୟୁରୋ: ହ୍ୟାକ୍ ହେଲା ସମ୍ବଲପୁର ବିଜେପି ସାଂସଦଙ୍କ ଫେସବୁକ୍ ଆଇଡି । ବିଜେପିରୁ ଇସ୍ତଫା ଦେବା ଖବରକୁ ଖଣ୍ଡନ କଲେ ନୀତେଶ ଗଙ୍ଗଦେବ । ସୋମବାର ସମ୍ବଲପୁର ବିଜେପି ସାଂସଦ ନୀତେଶ ଗଙ୍ଗଦେବ ବିଜେପିରୁ ଇସ୍ତଫା ଦେବା ନେଇ ସୋସିଆଲ୍ ମିଡିଆରେ ପୋଷ୍ଟ ସେୟାର କରିଥିଲେ । ହେଲେ ଏନେଇ କନକ ନ୍ୟୁଜ୍ ପ୍ରତିନିଧି ତାଙ୍କ ସହ ଯୋଗାଯୋଗ କରିବାରୁ, ସେ ତାଙ୍କ ଫେସବୁକ୍ ଆଇଡି ହ୍ୟାକ୍ ହେଇଯାଇଥିବା ନେଇ ସୂଚନା ଦେଇଛନ୍ତି ।

ଅନ୍ୟପଟେ ନୀତେଶ ଗଙ୍ଗଦେବ କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ସେ ବିଜେପିରେ ଅଛନ୍ତି ଆଉ ରହିବେ ମଧ୍ୟ । ଆବଶ୍ୟକ ପଡିଲେ ସେ ଦେବଗଡ ଯାଇ ମଧ୍ୟ ବିଜେପି ପାଇଁ ପ୍ରଚାର କରିବେ । ଯେଉଁଠି କି ତାଙ୍କ ଧର୍ମପତ୍ନୀ ବିଜେଡିରୁ ବିଧାୟିକ ପ୍ରାର୍ଥୀ ହେଇଛନ୍ତି ।

ସୂଚନାଯୋଗ୍ୟ ଯେ, ସମ୍ବଲପୁରରୁ ବିଜେପି ସାଂସଦ ଅଛନ୍ତି ନୀତେଶ ଗଙ୍ଗଦେବ । ହେଲେ ଏଥର କିନ୍ତୁ ବିଜେପି ତାଙ୍କୁ ଟିକେଟ୍ ଦେଇନି । ତାଙ୍କ ବଦଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରରୁ ପ୍ରାର୍ଥୀ ହୋଇଛନ୍ତି । ଅନ୍ୟପଟେ ନୀତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ ଦେବୀ କିନ୍ତୁ କିଛି ଦିନ ତଳେ ବିଜେଡିରେ ବିଦ୍ଧିବଦ୍ଧ ଭାବେ ସାମିଲ ହେଇଛନ୍ତି । ଖାଲି ସେତିକି ନୁହେଁ, ନୀତେଶଙ୍କ ପତ୍ନୀଙ୍କୁ ବିଜେଡି ଦେବଗଡ ବିଧାନସଭା ଆସନରୁ ପ୍ରାର୍ଥୀ ମଧ୍ୟ ଘୋଷଣା କରିଥିଲା ।