କନକ ବ୍ୟୁରୋ : ପ୍ରତିବର୍ଷ ଭଳି ୨୦୨୧ର ଶେଷ ଦିନରେ ମଧ୍ୟ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜର ମୋଟ ସମ୍ପତ୍ତି ସାର୍ବଜନୀନ କରିଛନ୍ତି । ଆଉ ନୀତିଶ ଘୋଷଣା କରିଥିବା ନିଜ ସମ୍ପତ୍ତି ଠାରୁ ତାଙ୍କ ପୁଅଙ୍କ ସମ୍ପତ୍ତି ଅଧିକ ରହିଛି । ଅଥାର୍ତ ବାପାଙ୍କ ଠାରୁ ପୁଅ ସମ୍ପତ୍ତି ମଧ୍ୟ ବେଶ ଅଧିକ ରହିଛି ।

Advertisment

ବାପା ନୀତିଶଙ୍କ ଠାରୁ ଅଧିକ ସମ୍ପତ୍ତିର ମାଲିକ ହେବା ପଛର ମୁଖ୍ୟ କାରଣ ହେଉଛି ପୁଅ ନିଶାନ୍ତଙ୍କ ନାଁରେ ଥିବା ପୈତୃକ ସମ୍ପତ୍ତି । ଆଉ ନିଶାନ୍ତଙ୍କୁ ଏହି ସମ୍ପତ୍ତି ଦିବଙ୍ଗତ ମା’ଙ୍କ ପାଖରୁ ମିଳିଛି । ନିଶାନ୍ତଙ୍କ ମା’ ପୂର୍ବରୁ ଜଣେ ଶିକ୍ଷୟତ୍ରୀ ଥିବା ବେଳେ ଏବେ ତାଙ୍କର ଦେହାନ୍ତ ହୋଇସାରିଛି । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଯେଉଁ ସମ୍ପତ୍ତି ତାଲିକା ଘୋଷଣା କରାଯାଇଛି ସେଥିରେ ତାଙ୍କ ପାଖରେ ନଗଦ ୪୨,୭୬୩ ଟଙ୍କା ରହିଥିବା ବେଳେ ପୁଅ ନିଶାନ୍ତଙ୍କ ପାଖରେ ନଗଦ ୫୬୦୦୦ ଟଙ୍କା ରହିଛି ।

ଏସବୁ ବାଦ୍ ନିଶାନ୍ତଙ୍କ ପାଖରେ ବିଭିନ୍ନ ବ୍ୟାଙ୍କ ଖାତାରେ ପାଖାପାଖି ୧ କୋଟି ୬୪ ଲକ୍ଷ ଟଙ୍କା ଜମା ରାଶି ରହିଛି । ସେହିଭଳି ବାପା ନୀତିଶ କୁମାରଙ୍କ ପାଖରେ ୧୬.୫୧ ଲକ୍ଷ ଟଙ୍କାର ସ୍ଥାବର ଏବଂ ୫୮ ଲକ୍ଷ ୮୫ ହଜାର ଟଙ୍କାର ଅସ୍ଥ୍ାବର ସମ୍ପତ୍ତି ରହିଛି । ଅନ୍ୟପଟେ ପୁଅ ନିଶାନ୍ତଙ୍କ ପାଖରେ ଏକ କୋଟି ୯୮ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି ।

ଏହାଛଡା ନୀତିଶ କୁମାରଙ୍କ ଘୋଷଣା ଅନୁଯାୟୀ, ତାଙ୍କ ପାଖରେ ଦିଲ୍ଲୀର ଦ୍ୱାରକାରେ ଏକ ଫ୍ଲାଟ ରହିଥିବା ବେଳେ ପୁଅ ନିଶାନ୍ତଙ୍କ ପାଖରେ ବିହାରର ବିଭିନ୍ନ ସ୍ଥାନରେ ଚାଷ ଜମି ଓ ବାସପଯୋଗୀ ଜମି ରହିଛି । ନୀତିଶଙ୍କ ପାଖରେ ୧୩ଟି ଗାଇ ଓ ୯ଟି ବାଛୁରୀ ରହିଛନ୍ତି । ଯାହାର ମୂଲ୍ୟ ୧ ଲକ୍ଷ ୪୫ ହଜାର ଟଙ୍କା ରହିଛି । ଗତ କିଛି ବର୍ଷ ହେବ ସରକାରଙ୍କ ସମସ୍ତ ମନ୍ତ୍ରୀ ବର୍ଷ ଶେଷରେ ନିଜର ସମ୍ପତ୍ତି ସାର୍ବଜନୀନ କରିବାକୁ ନୀତିଶ ନିର୍ଦ୍ଦେଶ ଦେଇଥିଲେ ।