ଭୁବନେଶ୍ୱର ଶିଶୁପାଳଗଡ଼ରେ ନିଶାଡିଙ୍କ ଉନ୍ମତକାଣ୍ଡ। ମାରଣାସ୍ତ୍ର ଧରି ଗୋଡାଇ ଗୋଡାଇ ହାଣିଲେ

458

କନକ ବ୍ୟୁରୋ: ଭୁବନେଶ୍ୱର ଶିଶୁପାଳ ଗଡ଼ରେ ନିଶାଡିଙ୍କ ଉନ୍ମତକାଣ୍ଡ । ହାତରେ ମାରଣାସ୍ତ୍ର ଧରି ଗୋଡାଇ ଗୋଡାଇ ହାଣିଲେ । ଘଟଣାରେ ୭ ଜଣ ଆହତ ହୋଇଥିବା ବେଳେ ୧୨ଟି ବାଇକ୍ ଭାଙ୍ଗିଛନ୍ତି । ଶିଶୁପାଳଗଡ଼ ଅଂଚଳର ଏକ ନିଛାଟିଆ ସ୍ଥାନରେ ବସି ୮ ଜଣ ମଦ ପିଉଥିଲେ । ଏହା ପରେ ନିଶାଶକ୍ତ ଅବସ୍ଥାରେ ଗାଁ ଭିତରେ ପଶିଥିଲେ । ଗାଡି ସାଇଡ୍ ମାରିବା ବାହାନାରେ ଜଣେ ଯୁବକଙ୍କୁ ଆକ୍ରମଣ କରିଥିଲେ । ଏହା ପରେ ଖଣ୍ଡା, ଭୁଜାଲି ଧରି ଯାହାକୁ ପାଇଲେ ଗୋଡାଇ ଗୋଡାଇ ହାଣିଲେ । ପ୍ରତିବାଦ କରିବାରୁ ୭ ଜଣ ଯୁବକଙ୍କୁ ଆକ୍ରମଣ କରିଥିଲେ । ଯୁବକଙ୍କ ଉତ୍ପାତ ଦେଖି ଲୋକେ ଆତଙ୍କିତ ହୋଇପଡ଼ିଥିଲେ ।

ଆକ୍ରମଣକାରୀ ଯୁବକଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ଶିଶୁପାଳଗଡ଼ ଅଂଚଳର । ସେ ତାର ସହଯୋଗୀ ଯୁବକଙ୍କୁ ଡକାଇ ଆତଙ୍କ ଖେଳାଇଥିବା କୁହାଯାଉଛି । ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ସ୍ଥାନୀୟ ଅଂଚଳର ଯୁବକ ଶିଶୁପାଳଗଡ଼ ଛକ ନିକଟରେ ଜାତୀୟ ରାଜପଥ ଅବରୋଧ କରିଥିଲେ । ଫଳରେ ଦୀର୍ଘ ସମୟ ଧରି ଟ୍ରାଫିକ୍ ସମସ୍ୟା ଦେଖାଦେଇଥିଲା । ଧଉଳି ଥାନା ଅଧିକାରୀ ଚିତରଞ୍ଜନ ରାଉତ, ଜୋନ୍-୨ ଏସିପି ଗିରିଜା ଶଙ୍କର ଚକ୍ରବର୍ତୀ ପୋଲିସ ଫୋର୍ସ ସହିତ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା ।