ପାରା ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ । ହାଇଜମ୍ପରେ ଭାରତୀୟ ଖେଳାଳି ନିଷାଦ କୁମାର ଜିତିଲେ ରୌପ୍ୟ ।

98

କନକ ବ୍ୟୁରୋ: ଟୋକିଓରେ ଚାଲିଥିବା ପାରା ଅଲିମ୍ପିକ୍ସରେ ଭାରତକୁ ମିଳିଛି ଆଉ ଏକ ପଦକ । ହାଇଜମ୍ପରେ ଭାରତୀୟ ଖେଳାଳି ନିଷାଦ କୁମାର ରୌପ୍ୟ ପଦକ ଜିତିବା ସହ ପାରା ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ଏବେସୁଦ୍ଧା ୨ରେ ପହଞ୍ଚିଛି । ତେବେ ଆଜି ମ୍ୟାଚରେ ନିଷାଦ ଦମଦାର ପ୍ରଦର୍ଶନ କରିଥିଲେ । ହେଲେ ସ୍ୱର୍ଣ୍ଣପଦକ ଜିତିବାକୁ ବିଫଳ ହୋଇଥିଲେ ମଧ୍ୟ ସେ ଦେଶ ପାଇଁ ରୌପ୍ୟ ପଦକ ହାସଲ କରିଛନ୍ତି । ତାଙ୍କର ଏହି ବିଜୟ ପରେ ଏବେ ସାରା ଦେଶରୁ ତାଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟିଛି ।

ଆଜିର ଇଭେଣ୍ଟରେ ନିଷାଦ ୨.୦୬ ମିଟରର ହାଇଜମ୍ପ ମାରିଥିଲେ । ଯାହା ଫଳରେ ସେ ରୌପ୍ୟ ପଦକ ହାସଲ କରିଛନ୍ତି । ଖାଲି ସେତିକି ନୁହେଁ, ଏଥିସହ ସେ ଏସିଆନ୍ ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି । ଅନ୍ୟପଟେ ଏହି ଇଭେଣ୍ଟରେ ୟୁଏସଏର ଖେଳାଳି ଟାଉନସେଣ୍ଡ ଓ ଦାଲାଲ ୱାଇଜ୍ ଯଥାକ୍ରମେ ସ୍ୱର୍ଣ୍ଣ ଓ ବ୍ରୋଞ୍ଜ ମେଡାଲ ଜିତିଛନ୍ତି । ଏହାପୂର୍ବରୁ ଭାରତୀୟ ଖେଳାଳି ଭାବିନା ପାରାଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରିଥିଲେ । ଚୀନର ଖେଳାଳିଙ୍କଠାରୁ ଫାଇନାଲରେ ପରାସ୍ତ ହେବା ସହିତ ଭାବିନା ରୌପ୍ୟ ପଦକ ହାସଲ କରିଥିଲେ । ଭାବିନାଙ୍କ ପରେ ନିଷାଦ ଦ୍ୱିତୀୟ ଖେଳାଳି ଭାବେ ଚଳିତ ପାରାଅଲିମ୍ପିକ୍ସରେ ପଦକ ହାସଲ କରିଛନ୍ତି ।