ଆସନ୍ତା ଶନିବାର ଫାଶୀ ଖୁଣ୍ଟରେ ଝୁଲିବେ କି ନିର୍ଭୟା ଦୋଷୀ !ଜାଣନ୍ତୁ କଣ ରହିଛି ଜେଲ ମାନୁଆଲର ନିୟମ

1,003

କନକ ବ୍ୟୁରୋ : ଦିଲ୍ଲୀ ଜେଲ୍ ମାନୁଆଲ ଅନୁସାରେ ଗୋଟିଏ ମାମଲାରେ ଏକାଧିକ ଦୋଷୀ ଥିଲେ ଏବଂ ଜଣକର ରାଜକ୍ଷମା ଆବେଦନ ଫଇସଲା ହୋଇନଥିଲେ ଅନ୍ୟମାନଙ୍କୁ ମଧ୍ୟ ଫାଶୀ ଦିଆଯାଇପାରିବ ନାହିଁ । ତେଣୁ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କ ଆବେଦର ଶୁଣାଣି ଶେଷ ନହେବା ଯାଏଁ କାହାକୁ ଫାଶି ଦିଆଯିବ ନାହିଁ । ଅନ୍ୟପଟେ ମୁକେଶର ସମସ୍ତ ଆବେଦନର ଶୁଣାଣି ଶେଷ ହୋଇଥିବା ବେଳେ ତାକୁ କାହିଁକି ଫାଶି ଦିଆଯିବ ନାହିଁ । ଏହା ପଛରେ ରହିଛି ୧୯୮୨ ମସିହା ଓ ୨୦୧୪ ମସିହାରେ ସୁପ୍ରିମକୋର୍ଟ ଦେଇଥିବା ଦୁଇଟି ରାୟ । ୧୯୮୨ ମସିହାରେ ହରବଂଶ ସିଂ ବନାମ ଉତରପ୍ରଦେଶ ମାମଲାରେ ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି, କୌଣସି ମାମଲାରେ ଏକାଧିକ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ମିଳିଥିଲେ, ଅଲଗା ଅଲଗା ନୁହେଁ ସମସ୍ତଙ୍କୁ ଏକ ସାଙ୍ଗରେ ଫାଶୀ ଦିଆଯିବ । ୟୁପିର ଏକ ହତ୍ୟାକାଣ୍ଡ ମାମଲାରେ ୩ ଅଭିଯୁକ୍ତ ଜିତ ସିଂ, କଶ୍ମୀରା ସିଂ ଓ ହରବଂଶ ସିଂଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଥିଲେ କୋର୍ଟ ।

ତିନି ଅଭିଯୁକ୍ତ ଅଲଗା ଅଲଗା ରିଭ୍ୟୁ ପିଟିସନ ଦାଖଲ କରିଥିଲେ । ସୁପ୍ରିମକୋର୍ଟ କଶ୍ମୀରା ସିଂର ମୃତ୍ୟୁଦଣ୍ଡକୁ ଆଜୀବନ ଦଣ୍ଡାଦେଶ କରିଥିବା ବେଳେ ଜିତ ଓ ହରବଂଶଙ୍କ ଆବେଦନକୁ ଖାରଜ କରିଦେଇଥିଲେ । ଏହାପରେ ଜିତ ଓ ହରବଂଶ ସିଙ୍କ ପାଇଁ ଫାଶୀ ତାରିଖ ଘୋଷଣା ହୋଇଥିଲା । ହେଲେ ହରବଂଶ ରାଜକ୍ଷମା ଆବେଦନ କରିଥିଲେ ଓ ଜିତଙ୍କୁ ଧାର୍ଯ୍ୟ ତାରିଖରେ ଫାଶି ଦିଆଯାଇଥିଲା । ଅନ୍ୟପଟେ ରାଷ୍ଟ୍ରପତି ରାଜକ୍ଷମା ଆବେଦନକୁ ଖାରଜ କରିବା ପରେ ସୁପ୍ରିମକୋର୍ଟ ଯାଇଥିଲେ ହରବଂଶ. କହିଥିଲେ ଗୋଟିଏ ଅପରାଧ ପାଇଁ ଭିନ୍ନ ଭିନ୍ନ ରାୟ କାହଁକି । ଏହାପରେ କୋର୍ଟ ମାମଲାରେ ଭୁଲ ହୋଇଥିବା ମାନିଥିଲେ, ସେହି ଦିନଠୁ ଜେଲରେ ନିୟମ ରହିଛି, ଗୋଟିଏ ମାମଲାରେ ଏକାଧିକ ଦୋଷୀଙ୍କ ସମସ୍ତ ଆବେଦନର ଫଇସଲା ନ ଆସିବା ଯାଏଁ କାହାକୁ ଫାଶୀ ଦିଆଯାଇପାରିବ ନାହିଁ । ସେହିପରି ୨୦୧୪ରେ ଶତ୍ରୁଘ୍ନ ଚୌହ୍ୱାନ ମାମଲାରେ ଏକ ଐତିହାସିକ ରାୟ ଶୁଣାଇଥିଲେ ସୁପ୍ରିମକୋର୍ଟ । ମୃତ୍ୟୁଦଣ୍ଡ ପାଇବାକୁ ଥିବା ଦୋଷୀର ରାଜକ୍ଷମା ଆବେଦନ ଖାରଜ ପରେ ୧୪ ଦିନ ପୂର୍ବରୁ ଫାଶୀ ଦିଆଯାଇ ପାରିବ ନାହିଁ । ଏଥିସହ ଖଣ୍ଡପୀଠ କହିଥିଲେ କିଛି ନିର୍ଦ୍ଧିଷ୍ଟ ପରିସର ଭିତରେ ଦୋଷୀ ରାଜକ୍ଷମା ଖାରଜ ନେଇ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିପାରିବ ।