ହସ୍ପିଟାଲରେ ରକ୍ତ ଜୁଡୁବୁଡୁ ନିର୍ଭୟାଙ୍କୁ ଦେଖି ମୁଁ ସ୍ତବ୍ଧ ହୋଇଯାଇଥିଲି… ଯୌନରାକ୍ଷସଙ୍କ ଶିକାର ପରେ ନିର୍ଭୟାଙ୍କୁ ପ୍ରଥମ ଚିକିତ୍ସା କରିଥିବା ଡାକ୍ତର କହିଲେ ହସ୍ପିଟାଲ ଭିତରର ହୃଦୟଥରା କାହାଣୀ…

11,754

କନକ ବ୍ୟୁରୋ: ଜାନୁୟାରୀ ୨୨ରେ ମିଳିବ ନିର୍ଭୟା ଦୋଷୀଙ୍କୁ ଫାଶୀ । ନିର୍ଭୟା ସହ କୁକର୍ମ କରିଥିବା ୪ ସୈତାନ ଝୁଲିବେ ଫାଶୀ ଖୁଣ୍ଟରେ । ଦିଲ୍ଲୀ ପଟିଆଲା କୋର୍ଟ ଗତକାଲି ଏଭଳି ରାୟ ଶୁଣାଇବା ପରେ ଏବେ ନିର୍ଭୟା ସୈତାନଙ୍କ ଫାଶୀ ଉପରେ ରହିଛି ସାରା ଦେଶର ନଜର ।

ଆଉ ଠିକ ଏତିକି ବେଳେ ସାମ୍ନାକୁ ଆସିଛି ନିର୍ଭୟାଙ୍କୁ ନେଇ ଏକ ସମ୍ବେଦନଶୀଳ କାହାଣୀ । ନିର୍ଭୟାଙ୍କୁ ଯେଉଁଦିନ ଗଣଦୁଷ୍କର୍ମ କରାଯାଇଥିଲା ସେଦିନ କେମିତି ଥିଲା ଡାକ୍ତରଖାନାର ଚିତ୍ର ? ସେଦିନ ରାତିର ସେ ଛାତିଥରା କାହାଣୀ ବଖାଣିଛନ୍ତି ନିର୍ଭୟାଙ୍କୁ ପ୍ରଥମେ ଚିକିତ୍ସା କରିଥିବା ଡାକ୍ତର ବିପୁଲ କଣ୍ଡୱାଲ ।

 

ସେଦିନର ଲୋମଟଙ୍କୁରା ଘଟଣାକୁ ମନେପକାଇ ଡାକ୍ତର କହିଛନ୍ତି, ନିର୍ଭୟାଙ୍କୁ ଯେତେବେଳେ ସଫଦରଗଞ୍ଜ ହସ୍ପିଟାଲକୁ ଅଣା ଯାଇଥିଲା ସେତେବେଳେ ଏମରଜେନ୍ସି ଓ୍ଵାର୍ଡରେ ମୋର ରାତି ଡିୟୁଟି ପଡ଼ିଥିଲା। ଏହି ସମୟରେ ଏକ ଆମ୍ବୁଲାନ୍ସ କ୍ଷୀପ୍ର ବେଗରେ ଆସି ହସ୍ପିଟାଲ ଗେଟ ପାଖରେ ଅଟକିଥିଲା। ଆମ୍ବୁଲାନ୍ସ ଭିତରୁ ନିର୍ଭୟାଙ୍କୁ ବାହାର କରି ଷ୍ଟ୍ରେଚର ଯୋଗେ ଏମରଜେନ୍ସି ଓ୍ଵାର୍ଡରେ ଭର୍ତ୍ତି କରାଯାଇଥିଲା।

ଆଉ ଏମରଜେନ୍ସି ଓ୍ଵାର୍ଡରେ ଭର୍ତ୍ତି ହେବା ସଙ୍ଗେସଙ୍ଗେ ଚିକିତ୍ସା ପାଇଁ ମୁଁ ତୁରନ୍ତ ନିର୍ଭୟାଙ୍କ ପାଖକୁ ଦୌଡ଼ି ଯାଇଥିଲି, କିନ୍ତୁ ତାଙ୍କ ଅବସ୍ଥା ଦେଖି ମୋର ହାତଗୋଡ ସେଠାରେ ଥରିବାକୁ ଲାଗିଥିଲା। କେମିତି ଚିକିତ୍ସା କରିବି କିଛି ବୁଝି ପାରି ନଥିଲି। ଡାକ୍ତରୀ ଜୀବନରେ ଅନେକ ରୋଗୀଙ୍କୁ, ଆହତଙ୍କୁ, ଗୁରୁତରଙ୍କୁ ସାମ୍ନା କରିଛି କିନ୍ତୁ ନିର୍ଭୟାଙ୍କ ଶରୀରର ଅବସ୍ଥା ଦେଖି ମୁଁ ପୂରାପୂରି ସ୍ଥାଣୁ ପାଲଟି ଯାଇଥିଲି।

ନିର୍ଭୟାଙ୍କ ଶରୀରରୁ ପ୍ରବଳ ରକ୍ତସ୍ରାବ ହେଉଥିଲା । ଯେତେ ଚେଷ୍ଟା କଲେ ମଧ୍ୟ ରକ୍ତ ବୋହିବା ଅଟକି ପାରୁ ନଥିଲା। କାରଣ ତାଙ୍କ ଶରୀର ଭିତରେ ଗଭୀର ଭାବେ ଆଘାତ ଲାଗିଥିଲା। ରକ୍ତକୁ ରୋକିବା ପାଇଁ ବଡ ଅସ୍ତ୍ରୋପଚାରର ଆବଶ୍ୟକ ରହିଥିଲା। ଅନେକ ଚେଷ୍ଟା ପରେ ବି କୌଣସି ସୁଧାର ନ ଆସିବାରୁ ତାଙ୍କୁ ବିଦେଶ ସ୍ଥାନାନ୍ତର କରିବାକୁ ସ୍ଥିର କରା ଯାଇଥିଲା। କିନ୍ତୁ ଶେଷରେ ତାଙ୍କର ମୃତ୍ୟୁ ହୋଇଥିଲା। ନିର୍ଭୟାଙ୍କ ମୃତ୍ୟୁ ଖବର ଶୁଣି ମୁଁ ଅନେକ ଦିନ ପର୍ୟ୍ୟନ୍ତ ସ୍ୱାଭାବିକ ହୋଇ ପାରି ନଥିଲି। କୋର୍ଟ ୪ ଦୁଷ୍କର୍ମକାରୀଙ୍କ ‘ମୃତ୍ୟୁ ପରଓ୍ଵାନା’ରେ ଚୂଡ଼ାନ୍ତ ମୋହର ଲଗାଇବା ପରେ ନିର୍ଭୟାଙ୍କୁ ବଞ୍ଚାଇ ନ ପାରିବାରୁ ୭ବର୍ଷ ହେବ ଯେଉଁ ବୋଝ ଥିଲା ତାହା ହାଲୁକା ହୋଇଯାଇଛି ବୋଲି ଡାକ୍ତର କହନ୍ତି।

ତେବେ ୨୦୧୨ରେ ରାଜଧାନୀ ନୂଆଦିଲ୍ଲୀର ଏକ ଚଳନ୍ତା ବସ ମଧ୍ୟରେ ପାରାମୋଡିକାଲ ଛାତ୍ରୀ ନିର୍ଭୟାଙ୍କୁ ପବନ ଗୁପ୍ତା, ବିନୟ ଶର୍ମା, ଅକ୍ଷୟ ଠାକୁର, ମୁକେଶ ସିଂହ ଓ ରାମ ସିଂହ ନିର୍ମମ ଭାବେ ଗଣଦୁଷ୍କର୍ମ କରି ରାଜଧାନୀର ରାଜରାସ୍ତା ଉପରେ ଫିଙ୍ଗି ଦେଇଥିଲେ। ଏକ ଫାଷ୍ଟଟ୍ରାକ କୋର୍ଟରେ ଏହି ମାମଲାର ବିଚାର ହେବା ପରେ ବିଚାରପତି ଏହି ୫ ଜଣଙ୍କୁ ଅପରାଧୀ ଘୋଷିତ କରି ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ, ଯାହା ପରେ ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମକୋର୍ଟ କାଏମ ରଖିଥିଲେ। ତେବେ, ତିହାର ଜେଲରେ ଥିବା ଏହି ୫ ଜଣ ଅପରାଧୀଙ୍କ ମଧ୍ୟରୁ ରାମ ସିଂହ ଗତ ୨୦୧୩ ମାର୍ଚ୍ଚ ମାସରେ ଆତ୍ମହତ୍ୟା କରିଦେବା ପରେ ଏବେ ଅନ୍ୟ ୪ ଅପରାଧୀ ଏବେ ତିହାର ଜେଲରେ ରହିଛନ୍ତି।