ନିର୍ଭୟା ଦୋଷୀ କହିଲା ପୁରାଣ-ପ୍ରଦୂଷଣର କଥା: ବିଷାକ୍ତ ପାଣି-ପବନ ପାଇଁ ମରୁଛନ୍ତି ଲୋକେ, ଫାଶୀ ଦଣ୍ଡ କଣ ପାଇଁ…?

ଦିଲ୍ଲୀରେ ଲୋକେ ପ୍ରଦୁଷିତ ପାଣି, ପବନ ପିଇ ନିଇତି ମରୁଛନ୍ତି । ବାୟୁ ପ୍ରଦୂଷଣ ସାଙ୍ଘାତିକ ରୂପ ନେଉଛି । ଯାହା ମୃତ୍ୟୁ ଠାରୁ କମ ନୁହେଁ, ତେଣୁ ଫାଶୀର ଆବଶ୍ୟକତା କଣ ପାଇଁ ?

8,524

କନକ ବ୍ୟୁରୋ: ଫାଶୀ ପୂର୍ବରୁ ନିର୍ଭୟା ଦୋଷୀର ପୁନଃର୍ବିଚାର ଆବେଦନ । ଫାଶୀରୁ ବର୍ତ୍ତିବାକୁ ସୁପ୍ରିମକୋର୍ଟରେ ମାମଲାର ପୁନଃର୍ବିଚାର ପାଇଁ ଆବେଦନ କଲା ଦୋଷୀ ଅକ୍ଷୟ କୁମାର ସିଂହ । ପୂର୍ବରୁ ଉକ୍ତ ମାମଲାରେ ଅନ୍ୟ ୩ ଦୋଷୀ ଆବେଦନ କରି ନିରାଶ ହେବା ପରେ ଏବେ ସୁପ୍ରିମକୋର୍ଟରେ ଏହି ଆବେଦନ କରିଛି ଦୋଷୀ ଅକ୍ଷୟ । ତେବେ ନିଜ ଆବେଦନ ପତ୍ରରେ ଦିଲ୍ଲୀର ପାଣି ପବନ କଥା ଲେଖିବା ସହ ପୁରାଣ ଇତିହାସର କଥା ମଧ୍ୟ ଲେଖିଛି ନିର୍ଭୟା ସୈତାନ ଅକ୍ଷୟ ।

ତେବେ ଫାଶୀରୁ ବଞ୍ଚିବାକୁ ଅକ୍ଷୟ ଆଳ ଦେଖାଇ ରାଜଧାନୀ ଦିଲ୍ଲୀର ପ୍ରଦୁଷଣ କଥା ଉଲ୍ଲେଖ କରିଛି । ଦିଲ୍ଲୀରେ ଲୋକେ ପ୍ରଦୁଷିତ ପାଣି, ପବନ ପିଇ ନିଇତି ମରୁଛନ୍ତି । ବାୟୁ ପ୍ରଦୂଷଣ ସାଙ୍ଘାତିକ ରୂପ ନେଉଛି । ଯାହା ମୃତ୍ୟୁ ଠାରୁ କମ ନୁହେଁ, ତେଣୁ ଫାଶୀର ଆବଶ୍ୟକତା କଣ ପାଇଁ ? ବୋଲି ଆବେଦନ ପତ୍ରରେ ପ୍ରଶ୍ନ କରିଛି ଅକ୍ଷୟ ।

ଖାଲି ପ୍ରଦୂଷଣ କଥା ନୁହେଁ ପୁରାଣ, ଉପନିଷଦ କଥା ବି କହିଛି ଦୋଷୀ ଅକ୍ଷୟ । ପୂର୍ବରୁ ଲୋକଙ୍କ ଆୟୁଷ ଅଧିକ ରହୁଥିଲା ଯାହା ସେ ଗ୍ରନ୍ଥ ପୁରାଣରେ ଲେଖାଥିବା ଶୁଣିଛି । ସତ୍ୟ ଯୁଗରେ ଲୋକେ ଶହ ଶହ ବର୍ଷ ବଞ୍ଚୁଥିଲେ ଆଉ ତ୍ରେତୟାରେ ହଜାର ହଜାର ବର୍ଷ ବଞ୍ଚୁଥିଲେ ମାତ୍ର ଏବେ କଳି ଯୁଗରେ ଲୋକେ ୫୦ରୁ ୬୦ ବର୍ଷ ପର୍ଯ୍ୟନ୍ତ ବି ବଞ୍ଚି ପାରୁନାହାନ୍ତି । ତେଣୁ ଫାଶୀର କଣ ଦରକାର, ଫାଶୀ ପାଇବା ପର୍ଯ୍ୟନ୍ତ ଲୋକେ ବଞ୍ଚିଲେ ତ ତାଙ୍କୁ ଫାଶୀ ଦିଆଯିବ । ଲୋକେ ତ କମ ବୟସରୁ ମରି ଯାଉଛନ୍ତି ତେଣୁ ଫାଶୀର ଆବଶ୍ୟକତା ନାହିଁ ବୋଲି ଦୋଷୀ ଅକ୍ଷୟ ନିଜ ଆବେଦନ ପତ୍ରରେ ଲେଖିଛି ।

ତେବେ ଆଜି ସୁପ୍ରିମକୋର୍ଟରେ ନିର୍ଭୟା ମାମଲାର ପୁନଃର୍ବିଚାର ପାଇଁ ଆବେଦନ କରି ଏଭଳି ଉଲ୍ଲେଖ କରି କହିଛି ଦୋଷୀ ଅକ୍ଷୟ । ସେପଟେ ଅକ୍ଷୟଙ୍କ ପୂର୍ବରୁ ସୁପ୍ରିମକୋର୍ଟ ଅନ୍ୟ ଦୋଷୀ ବିନୟ, ପବନ ଓ ମୁକେଶଙ୍କ ପୁନଃର୍ବିଚାର ଆବେଦନକୁ ଖାରଜ କରିଛନ୍ତି । ନିର୍ଭୟା ଭଳି ଅତି ଅମାନୁଷିକ ମାମଲାରେ କୋର୍ଟ ସମସ୍ତ ଦୋଷୀଙ୍କୁ ଫାଶୀରେ ଝୁଲିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ପୁନଃର୍ବିଚାର ଆବେଦନକୁ ଖାରଜ କରିଥିଲେ ।