କନକ ବ୍ୟୁରୋ : ଫେବ୍ରୁଆରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ । କରୋନା ମହାମାରୀ ସମୟରେ ବଜେଟ୍ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ବଜେଟ୍ ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଟିମରେ ୫ ଜଣ ଅନୁଭବୀ ଏବଂ ଦକ୍ଷତା ସମ୍ପର୍ଣ୍ଣ ଆଇଏଏଏସ୍ ଅଧିକାରୀ ଅଛନ୍ତିି । ତେବେ ନିର୍ମଳାଙ୍କ ଏହି ଟିମରେ ଅଛନ୍ତି ୧୯୮୭ ବ୍ୟାଚର ଓଡ଼ିଶା କ୍ୟାଡରର ଦୁଇ ଆଇଏଏସ୍ ଅଧିକାରୀ ।

Advertisment

ନିବେଶ ଏବଂ ସାର୍ବଜନୀନ ସମ୍ପତି ପରିଚାଳନା ବିଭାଗର ସଚିବ ତୁହିନିକାନ୍ତ ପାଣ୍ଡେ ଏବଂ ଫିନାନସିଆଲ ସର୍ଭିସେସ ବିଭାଗର ସଚିବ ଦେବାଶିଷ ପଣ୍ଡା ଏବେ ନିର୍ମଳାଙ୍କ ଟିମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛନ୍ତି । ୨୦୧୯ରୁ ଏହି ପଦବୀରେ ରହିଥିବା ତୁହିନକାନ୍ତ ପାଣ୍ଡେ ଏୟାର ଇଣ୍ଡିଆର ଘରୋଇକରଣରେ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି । ତାଙ୍କ ପାଖରେ ୧୭ଟି ଗୁରୁତ୍ୱପୂର୍ଣ୍ଣ ସଂସ୍ଥାର ପୁଞ୍ଜି ପତ୍ୟାହାର ଦାୟିତ୍ୱ ରହିଛି । ଯେଉଁଥିରେ ଭାରତୀୟ ଜୀବନ ବୀମାର ମେଗା ଲିଷ୍ଟ ରହିଛି । କ୍ରମାଗତ ତୃତୀୟ ଥର ପାଇଁ ତୁହିନିକାନ୍ତ ବଜେଟ୍ ଟିମରେ ସାମିଲ ହୋଇଛନ୍ତି ।

ସେହିପରି ବଜେଟରେ ଅର୍ଥମନ୍ତ୍ରୀଙ୍କ ଆର୍ଥିକ ସେବା ସମ୍ପର୍କିତ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବାର ସମ୍ଭବାନା ରହିଛି । ଯାହାକୁ କାର୍ଯ୍ୟକାରୀ କରିବାର ଦାୟୀତ୍ୱ ଦେବାଶିଷ ପଣ୍ଡାଙ୍କର ରହିବ । ବଜେଟରେ ସାମାଜିକ ଯୋଜନା ଗୁଡିକର କ୍ରିୟାନ୍ୱୟନ କରିବାରେ ତାଙ୍କର ଭୂମିକା ରହିଛି । ଏଥିସହ ଆର୍ଥିକ ସେବା କ୍ଷେତ୍ରକୁ ସୁଦୃଢ ତଥା ବ୍ୟବସ୍ଥିତ କରିବା ପାଇଁ ଶ୍ରୀ ପଣ୍ଡା ରିଜର୍ଭ ବ୍ୟାଙ୍କ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାର ଗୁରୁ ଦାୟୀତ୍ୱ ରହିବ । ତେବେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଏହି ୫ ଜଣିଆ ଟିମରେ ଅର୍ଥ ସଚିବ ଟିଭି ମୋମନାଥନ, ରାଜସ୍ୱ ସଚିବ ତରୁଣ ବଜାଜ, ଆର୍ଥିକ ବ୍ୟାପାର ସଚିବ ଅଜୟ ସେଠୀ ସାମିଲ ଅଛନ୍ତି ।