ସଂସଦରେ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ : ସବୁବର୍ଗର ଲୋକଙ୍କ ଆଶାକୁ ପୂରଣ କରିବାକୁ କରିପାରନ୍ତି ପ୍ରୟାସ

99

କନକ ବ୍ୟୁରୋ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ମୋଦୀ ସରକାରଙ୍କ ଏହାର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ହେବ । ଆସନ୍ତାବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ମାଧ୍ୟମରେ ସରକାର ସବୁବର୍ଗର ଲୋକଙ୍କ ଆଶାକୁ ପୂରଣ କରିବାକୁ ପ୍ରୟାସ କରିପାରନ୍ତି । ବିଶେଷକରି ଗରିବଙ୍କ ପାଇଁ ସାମାଜିକ ଜନକଲ୍ୟାଣକାରୀ ଯୋଜନା ଘୋଷଣା କରିବା ସହିତ ମଧ୍ୟବିତ ବର୍ଗର ଲୋକଙ୍କୁ ଟିକସ ରିହାତି ଦେବାର ସମ୍ଭାବନା ରହିଛି ।

ନିର୍ମଳା ସୀତାରମଣ ତାଙ୍କର ପଞ୍ଚମ ବଜେଟ୍ ଏଭଳି ସମୟରେ ଉପସ୍ଥାପନା କରିବାକୁ ଯାଉଛନ୍ତି, ଯେତେବେଳେ ପ୍ରାୟ ସମଗ୍ର ବିଶ୍ୱ ତା’ର ଅର୍ଥବ୍ୟବସ୍ଥାକୁ ନେଇ ସଂଘର୍ଷ କରୁଛି । ବଜେଟରେ ଆୟକର ସ୍ଲାବ ପରିବର୍ତ୍ତନ ଦାବିକୁ ପ୍ରାଧାନ୍ୟ ଦିଆଯାଇପାରେ । ଏହାଦ୍ୱାରା ମଧ୍ୟବିତଙ୍କୁ ଆଶ୍ୱସ୍ତି ମିଳିପାରେ । ଏହାସହିତ ଗରିବଙ୍କ ଉପରେ ସରକାରୀ ଖର୍ଚ୍ଚ ବଢ଼ାଇବା ସହିତ ଘରୋଇ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ପାଇଁ ପଦକ୍ଷେପ ଘୋଷଣା କରାଯାଇପାରେ ।

ତେବେ ଏସବୁ ଘୋଷଣା କରିବା ଭିତରେ ରାଜକୋଷ ଉପରେ ଯେପରି କୌଣସି ପ୍ରଭାବ ନପଡ଼ିବ, ସେଥିପ୍ରତି ସୀତାରମଣ ନଜର ଦେବେ । ଗତ କିଛି ସଧ୍ୟରେ ମୁଦ୍ରାସ୍ପୀତି କମିବା ଏବଂ ଟିକସ ପରିମାଣ ଅଧିକ ରହିବା ଦ୍ୱାରା ଆଶ୍ୱସ୍ତି ମିଳିପାରେ । କିନ୍ତୁ ସ୍ୱାସ୍ଥ୍ୟ, ଶିକ୍ଷା ଓ ଗ୍ରାମାଞ୍ଚଳ ଅର୍ଥନୀତି ଉପରେ ସେ ବିଶେଷ ଧ୍ୟାନ ଦେଇପାରନ୍ତି । ସାମାଜିକ କ୍ଷେତ୍ରକୁ ଦେଖିଲେ ଅର୍ଥମନ୍ତ୍ରୀ ଗ୍ରାମୀଣ ନିଯୁକ୍ତି, ଫସଲ ବୀମା, ଗ୍ରାମୀଣ ସଡ଼କ ଏବଂ ଗୃହ ନିର୍ମାଣ ଆଦିକୁ ପ୍ରାଧାନ୍ୟ ଦେଇପାରନ୍ତି ।

ସେହିପରି ଆୟକର ଲାଗୁ ସୀମା ଅଢ଼େଇ ଲକ୍ଷ ଟଙ୍କାରୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି, ଷ୍ଟାଣ୍ଡାର୍ଡ ଡିଡକ୍ସନକୁ ୫୦ହଜାର ଟଙ୍କା ପରିବର୍ତ୍ତେ ୧ ଲକ୍ଷ ଟଙ୍କା କରିବା ଏବଂ ସର୍ବୋଚ୍ଚ ଟିକସ ହାରକୁ ୩୦ ପ୍ରତିଶତ ପରିବର୍ତ୍ତେ ୨୫ ପ୍ରତିଶତକୁ ହ୍ରାସ ନେଇ ଆଶା ରଖାଯାଇଛି । ସୂଚନା ଅନୁସାରେ, ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ବୋଧନ ସହ ବଜେଟ ଅଧିବେଶନ ଆରମ୍ଭ ହୋଇଛି । ଅର୍ଥନୈତିକ ସର୍ଭେ ରିପୋର୍ଟରେ ୬.୫ ପ୍ରତିଶତ ଅଭିବୃଦ୍ଧି ସହ ଭାରତକୁ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବେ ଆକଳନ କରାଯାଇଛି ।