କନକ ବ୍ୟୁରୋ : ଦେଶରେ ବର୍ତମାନ ନିର୍ବାଚନ ମାହୋଲ ରହିଛି । ଉତରପ୍ରଦେଶ, ପଞ୍ଜାବ, ଉତରାଖଣ୍ଡ ସମେତ ୫ଟି ରାଜ୍ୟରେ ଚଳିତ ମାସରେ ଭୋଟ ହେବ । ଏହାରି ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଦିନ ୧୧ଟାରେ ଲୋକସଭାରେ ବଜେଟ ଆଗତ କରିବେ । ଏହି ବଜେଟରେ ଛୋଟ କୃଷକଙ୍କୁ ବଡ ଉପହାର ଦେଇପାରନ୍ତି ମୋଦି ସରକାର । ଏହାଛଡା କରୋନା ମହାମାରୀ ଯୋଗୁଁ ପ୍ରଭାବିତ ହୋଇଥିବା ଅର୍ଥନୀତିକୁ ଗତି ଦେବା ପାଇଁ ବଡ ଘୋଷଣା ବି ହୋଇପାରେ । ନିର୍ମଳା ସୀତାରମଣ ଲଗାତାର ଚତୁର୍ଥ ଥର ଲାଗି ଲୋକସଭାରେ ବଜେଟ ଉପସ୍ଥାପନ କରିବେ ।

Advertisment

ବଜେଟ୍ ଉପସ୍ଥାପନ ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି । ତେବେ ଏଥର ବଜେଟରେ ସାଧାରଣ ନାଗରିକ ଓ ମଧ୍ୟମ ଶ୍ରେଣୀଙ୍କ ପାଇଁ କଣ ଘୋଷଣା ହେବ ସେ ଉପରେ ସମସ୍ତଙ୍କ ନଜର ରହିଛି । ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେଉଥିବାକୁ ସାଧାରଣ ଲୋକଙ୍କୁ ସୁହାଇଲ ଭଳି କିଛି ଘୋଷଣା ବି ବଜେଟରେ ହୋଇପାରେ । ଏହାଛଡା କେଉଁ ଜିନିଷ ଶସ୍ତା ହେବ ଓ କେଉଁ ଜିନିଷ ମହଙ୍ଗା ହେବ ସେ ଉପରେ ସାଧାରଣ ଲୋକଙ୍କ ନଜର ରହିଛି । ଦରବୃଦ୍ଧି, କୃଷିକ୍ଷେତ୍ର, ଆତ୍ମନିର୍ଭର ଭାରତ, ପ୍ରତିରକ୍ଷା ଓ ଆୟକର ସ୍ଲାବ ଉପରେ କି ଘୋଷଣା ହେଉଛି ସାରା ଦେଶର ନଜର ରହିଛି ।

କରୋନା କାଳର ବଜେଟ୍ :  ଏଥର ନୂଆ କ’ଣ ?

- କରୋନା ଯୋଗୁଁ ହୋଇନାହିଁ ପାରମ୍ପରିକ ହଲୱା ସେରିମନି
- ହଲୱା ବଦଳରେ ବଜେଟ୍ ପ୍ରସ୍ତୁତକାରୀ ଅଧିକାରୀଙ୍କୁ ବଂଟା ଯାଇଛି ମିଠା
- ଏଥର ମଧ୍ୟ ପେପରଲେସ୍ ହେବ କେନ୍ଦ୍ର ସରକାରଙ୍କ ବଜେଟ୍
- କରୋନା ଯୋଗୁଁ ଗତବର୍ଷ ଠାରୁ ଛପା ଯାଉନାହିଁ ବଜେଟ୍ ପୁସ୍ତିକା
- ୟୁନିୟନ ବଜେଟ୍ ଆପ୍ରେ ସାଂସଦ ମାନଙ୍କୁ ମିଳିବ ବଜେଟ୍
- ପୂର୍ବରୁ ବଜେଟ୍ ବ୍ରିଫକେସ ବହି ଖାତା ହୋଇଥିଲା ଏବେ ଆପ୍
- କରୋନା ଯୋଗୁଁ ଅଲଗା ଅଲଗା ସମୟରେ ଚାଲିବ ସଂସଦର ଉଭୟ ଗୃହ
- ୨ ଘଂଟାରୁ ଅଧିକ ହୋଇପାରେ ନିର୍ମଳାଙ୍କ ବଜେଟ୍ ଅଭିଭାଷଣ
- ୨୦୨୦ରେ ନିର୍ମଳାଙ୍କ ବଜେଟ୍ ଭାଷଣ ଥିଲା ସର୍ବାଧିକ ୧୬୨ ମିନିଟ୍