ଅଚଳ ସଂପତିରୁ ସରକାର ସଂଗ୍ରହ କରିବେ ୬ ଲକ୍ଷ କୋଟି । ରେଳ, ବିମାନବନ୍ଦର ଓ କୋଇଲା ଖଣି ଆଦି କ୍ଷେତ୍ର ଚିହ୍ନଟ

193

କନକ ବ୍ୟୁରୋ : ଅଚଳ ସଂପତିରୁ ସରକାର ସଂଗ୍ରହ କରିବେ ୬ ଲକ୍ଷ କୋଟି ଟଙ୍କା । ୨୦୨୫ ସୁଦ୍ଧା ଅଚଳ ସଂପତିରୁ ମୁଦ୍ରା ସଂଗ୍ରହ ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାର । ତେବେ ଏହି ସଂପତିକୁ ବିକ୍ରି କରାଯିବ ନାହିଁ । ଏବଂ ଏହାର ମାଲିକାନା ମଧ୍ୟ ସରକାରଙ୍କ ନିକଟରେ ରହିବ । ବ୍ୟବହାର ହେଉନଥିବା କିମ୍ବା ସ୍ୱଳ୍ପ ବ୍ୟବହାର ହେଉଥିବା ସଂପତିକୁ ଘରୋଇ ସହଭାଗିତାରେ କାମରେ ଲଗାଯିବ । ୪ ବର୍ଷ ମଧ୍ୟରେ ଏହି ସଂପତିରୁ ୬ ଲକ୍ଷ କୋଟି ଟଙ୍କା ଆସିବ, ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ନାସନାଲ ମନିଟାଇଜେସନ୍ ପାଇପଲାଇନ ଅଧୀନରେ ମୁଦ୍ରା ସଂଗ୍ରହ ହେବ । ରେଳ, ବିମାନବନ୍ଦର ଓ କୋଇଲା ଖଣି ଆଦି କ୍ଷେତ୍ରର ଅବ୍ୟବହୃତ ସଂପତି ଚିହ୍ନଟ କରାଯାଇଛି । ମୁଦ୍ରା ସଂଗ୍ରହ ଯୋଜନାରେ ୧୫ଟି ରେଳବାଇ ଷ୍ଟାଡିୟମ, ୨୫ଟି ବିମାନବନ୍ଦର, ୧୬୦ଟି କୋଇଲା ଖଣି ପ୍ରକଳ୍ପ ଚୟନ କରାଯାଇଛି । ଏହାସହ ସଡ଼କ, ବିଜୁଳି ବଂଟନ ଓ ଗ୍ୟାସ ପାଇପ୍ ଲାଇନ ମଧ୍ୟ ରହିଛି । କେଉଁ ସଂପତିରୁ କେତେ ଟଙ୍କା ଆସିପାରିବ, ଏହାକୁ ଚିହ୍ନଟ କରାଯାଇଥିବା କହିଛନ୍ତି ନୀତି ଆୟୋଗ ସିଇଓ ଅମିତାଭ କାନ୍ତ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଅଣବ୍ୟବହୃତ ସଂପତିର ବ୍ୟବହାର ପାଇଁ ସମୟ ଆସିଛି । ମୁଦ୍ରା ସଂଗ୍ରହ ଯୋଜନା ନେଇ ବଜେଟରେ ଘୋଷଣା କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ।