କନକ ବ୍ୟୁରୋ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସ୍ୱାମୀ ତଥା ଅର୍ଥଶାସ୍ତ୍ରୀ ପରକଳା ପ୍ରଭାକରଙ୍କୁ ନେଇ ଜାତୀୟ ରାଜନୀତିରେ ହଟଚମଟ । ଏକ ୟୁଟ୍ୟୁବ ଚ୍ୟାନେଲକୁ ସାକ୍ଷାତକାର ଦେଇ ପରକଳା ଯାହା କହିଛନ୍ତି ତାହାକୁ ନେଇ ପୂରା ଦେଶରେ ଚର୍ଚ୍ଚା । ସାକ୍ଷାତକାରରେ ପ୍ରଶ୍ନକର୍ତ୍ତା ପଚାରିଥିଲେ ଯେ, ଯଦି ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ହୁଏ ତେବେ କଣ ହେବ । ଏହାର ଉତ୍ତରରେ ପରକଳା କହିଥିଲେ, ଯଦି ଏଭଳି ହୁଏ ତେବେ ଦେଶରେ ପୁଣିଥରେ ନିର୍ବାଚନ ହେବା ନେଇ ଆଶା ରଖିବେ ନାହିଁ । ପୁଣିଥରେ ବିଜେପି ଯଦି ସରକାର ଗଢେ ତେବେ ଦେଶରେ ନିର୍ବାଚନ ହେବ ନାହିଁ । ଦେଶର ସମ୍ବିଧାନ ସମ୍ପୂର୍ଣ୍ଣ ରୂପେ ବଦଳିଯିବ । ଦେଶର ସମ୍ବିଧାନକୁ ଆପଣ ଜାଣିପାରିବେ ନାହିଁ ।

Advertisment

ପାକିସ୍ତାନ ପଠାଇଦିଅ, ମାର, ହାଣ, କାଟ, କଣ ଖାଇବ, କଣ ଖାଇବନି ବୋଲି ବିଭିନ୍ନ ସ୍ଥାନରେ କୁହାଯାଉଛି । କିନ୍ତୁ ଏହି କଥା ଲାଲକିଲ୍ଲାରୁ ଶୁଣିବାକୁ ମିଳିବ । ଏଭଳି ମନ୍ତବ୍ୟକୁ ଖୁଲମଖୁଲ୍ଲା ଦିଆଯିବ । ଯାହା ସବୁଠୁ ବଡ ବିପଦ । ମଣିପୁରରେ ଏବେ ଯାହା ହେଉଛି, ଅନ୍ୟ ରାଜ୍ୟରେ ସେଭଳି ହେବାର ସମ୍ଭାବନା ନାହିଁ ତାହା ଭାବିବା ଭୁଲ । ଏବେ ମଣିପୁର, ଲଦାଖରେ ଯେଉଁଭଳି ସ୍ଥିତି ଅଛି ଏବଂ ଚାଷୀଙ୍କ ସହ ଯେଉଁଭଳି ବ୍ୟବହାର କରାଯାଇଛି ତାହା ପୂରା ଦେଶରେ ଦେଖିବାକୁ ମିଳିବ । ଯାହାର ଭିଡ଼ିଓ ସେୟାର କରିଛି କଂଗ୍ରେସ ।