ଓଡ଼ିଶାର ସରକାରୀ ଶିକ୍ଷାନୁଷ୍ଠାନରେ ନୈରାଶ୍ୟଜନକ ପ୍ରଦର୍ଶନ

ଦେଶର ଶ୍ରେଷ୍ଠ ୧୦୦ ଶିକ୍ଷାନୁଷ୍ଠାନ ମଧ୍ୟରେ ରାଜ୍ୟରେ ମାତ୍ର ୪; ବିଶ୍ୱବିଦ୍ୟାଳୟ ବର୍ଗରେ ୮୭ ତମ ସ୍ଥାନରେ ଉକ୍ରଳ ୟୁନିଭରସିଟି

152

କନକ ବ୍ୟୁରୋ : ରାଜ୍ୟରେ ସରକାରୀ ଶିକ୍ଷାନୁଷ୍ଠାନର ନୌରଶ୍ୟଜନକ ପ୍ରଦର୍ଶନ ଜାରି ରହିଛି । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ ଫ୍ରେମୱର୍କ ମାନ୍ୟତା ତାଲିକାରେ ରାଜ୍ୟର ସରକାରୀ ଶିକ୍ଷାନୁଷ୍ଠାନର ପ୍ରଦର୍ଶନ ଆଦୌ ସନ୍ତୋଷଜନକ ରହିନାହିଁ । କୌଣସି ଗୋଟିଏ ବି ସରକାରୀ ଶିକ୍ଷାନୁଷ୍ଠାନ ଶ୍ରେଷ୍ଠ ଶହେ ତାଲିକାରେ ସାମିଲ ହୋଇପାରିନାହିଁ । ଶ୍ରେଷ୍ଠ ଶହେ ତାଲିକାରେ ରାଜ୍ୟର କେବଳ ୪ଟି ଶିକ୍ଷାନୁଷ୍ଠାନ ରହିଛି । ସରକାରୀ ଶିକ୍ଷାନୁଷ୍ଠାନ ମଧ୍ୟରେ ଉକ୍ରଳ ବିଶ୍ୱବିଦ୍ୟାଳୟ ରହିଛି । ବିଶ୍ୱବିଦ୍ୟାଳୟ ବର୍ଗରେ ଉତ୍କଳ ବିଶ୍ୱବିଦ୍ୟାଳୟ ୮୭ ତମ ସ୍ଥାନରେ ରହିଛି । ରାଜ୍ୟରେ ସରକାରୀ ଶିକ୍ଷାନୁଷ୍ଠାନ ଗୁଡିକର ଭିତିଭୂମି ସଜାଡିବା ପାଇଁ ସରକାର ଅନେକ ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ରାଙ୍କିଙ୍ଗରେ ସରକାରଙ୍କ ଗୋଟିଏ ବି ଶିକ୍ଷାନୁଷ୍ଠାନ ସ୍ଥାନ ନପାଇବା ଚିନ୍ତା ବଢାଇଛି ।

ଗତବର୍ଷ ତୁଳନାରେ ଉନ୍ନତ ପ୍ରଦର୍ଶନ କରି ୩୯ତମ ସ୍ଥାନରେ ପହଞ୍ଚିଥିବା ବେଳେ ଏନ୍‌ଆଇଟି ରାଉରକେଲା ୪୧ତମ ଓ ଆଇଆଇଟି ଭୁବନେଶ୍ବର ୫୮ତମ ସ୍ଥାନରେ ରହିଛି । ଉତ୍କଳ ବିଶ୍ବବିଦ୍ୟାଳୟ ୧୦୧ରୁ ୧୫୦ ଶିକ୍ଷାନୁଷ୍ଠାନ ମଧ୍ୟରେ ରହିଥିବା ବେଳେ ସିଭି ରମଣ ଗ୍ଲୋବାଲ ୟୁନିଭରସିଟି, ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଭିସୁଟ୍‌ ବୁର୍ଲା ୧୫୧ରୁ ୨୦୦ ସ୍ଥାନ ମଧ୍ୟରେ ରହିଛନ୍ତି । ଅନ୍ୟପକ୍ଷରେ ଦେଶର ବିଶ୍ବବିଦ୍ୟାଳୟଗୁଡ଼ିକୁ ନେଇ ପ୍ରସ୍ତୁତ ହୋଇଥିବା ‘ଶ୍ରେଷ୍ଠ ଶହେ ବିଶ୍ବବିଦ୍ୟାଳୟ’ ବର୍ଗରେ ଓଡ଼ିଶାରୁ ୩ଟି ବିଶ୍ବବିଦ୍ୟାଳୟ ସ୍ଥାନ ପାଇଛନ୍ତି । ସୋଆ ୨୦ତମ ସ୍ଥାନରେ ରହିଥିବା ବେଳେ କିଟ୍‌ ୨୧ ଏବଂ ଉତ୍କଳ ବିଶ୍ବବିଦ୍ୟାଳୟ ୮୭ତମ ସ୍ଥାନରେ ରହିଛି। ଉତ୍କଳ ବିଶ୍ବବିଦ୍ୟାଳୟ ଗତବର୍ଷ ତୁଳନାରେ ଏଥର ଉନ୍ନତ ପ୍ରଦର୍ଶନ କରି ୯ଟି ସ୍ଥାନ ଉପରକୁ ଉଠିଛି । ଭିସୁଟ୍‌ ଏହି ବର୍ଗରେ ୧୦୧ରୁ ୧୫୦ ରୢାଙ୍କ୍‌ରେ ରହିଥିବା ବେଳେ ସିଭି ରମଣ ଗ୍ଲୋବାଲ ୟୁନିଭରସିଟି, ସେଞ୍ଚୁରିଆନ୍‌ ବିଶ୍ବବିଦ୍ୟାଳୟ ଓ ଜାଭିଅର ବିଶ୍ବବିଦ୍ୟାଳୟ ୧୫୧ରୁ ୨୦୦ ରୢାଙ୍କ୍‌ ମଧ୍ୟରେ ରହିଛନ୍ତି ।

ସେହିପରି ଇଞ୍ଜିନିୟରି˚ କଲେଜ ବର୍ଗରେ ଦେଶର ଶ୍ରେଷ୍ଠ ଦୁଇ ଶହ ମଧ୍ୟରେ ଓଡ଼ିଶାରୁ ୯ଟି ଶିକ୍ଷାନୁଷ୍ଠାନ ସ୍ଥାନ ପାଇଛନ୍ତି । ଏନ୍‌ଆଇଟି ରାଉରକେଲା ୨୦ତମ ସ୍ଥାନ ବଜାୟ ରଖିଛି। ଆଇଆଇଟି ଭୁବନେଶ୍ବର ୨୮, ସୋଆ ୩୨, କିଟ୍‌ ୩୯, ସିଭିରମଣ ୧୦୦ତମ ସ୍ଥାନରେ ରହିଛି। ଭିସୁଟ୍‌ ୧୧୬ତମ ସ୍ଥାନକୁ ଉନ୍ନୀତ ହୋଇଥିବା ବେଳେ ଭୁବନେଶ୍ବରସ୍ଥିତ ସିଲିଅନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ୧୬୩, ସେଞ୍ଚୁରିଆନ୍‌ ବିଶ୍ବବିଦ୍ୟାଳୟ ୧୮୫, ଆଇଆଇଆଇଟି ଭୁବନେଶ୍ବର ୧୯୦ତମ ସ୍ଥାନରେ ରହିଛି । ଜିଆଇଟିଏ ୨୫୧ରୁ ୩୦୦ତମ ରୢାଙ୍କ୍‌ ମଧ୍ୟରେ ରହିଥିବା ଜଣାପଡ଼ିଛି । ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନ ବର୍ଗରେ ଓଡ଼ିଶାରୁ ୩ଟି ଶିକ୍ଷାନୁଷ୍ଠାନ ଶ୍ରେଷ୍ଠ ଶହେ ତାଲିକାରେ ରହିଛନ୍ତି । କିଟ୍‌ ୩୧ତମ ସ୍ଥାନରେ ଥିବା ବେଳେ ଜାଭିଅର ବିଶ୍ବବିଦ୍ୟାଳୟ ୩୨, ଆଇଆଇଏମ୍‌, ସମ୍ବଲପୁର ୬୧, ଆଇଏମ୍‌ଆଇ ଭୁବନେଶ୍ବର ୬୨ତମ ସ୍ଥାନରେ ରହିଛି ।

ମେଡିକାଲ କଲେଜ ବର୍ଗରେ ଶ୍ରେଷ୍ଠ ୫୦ ଶିକ୍ଷାନୁଷ୍ଠାନ ମଧ୍ୟରେ ସୋଆ ୨୧ତମ ସ୍ଥାନକୁ ଉନ୍ନତି କରିଥିବା ବେଳେ ଭୁବନେଶ୍ବର ଏମ୍‌ସ ୩୧, କିଟ୍‌ ୩୬, ଏସ୍‌ସିବି ମେଡିକାଲ କଲେଜ ୩୯ତମ ସ୍ଥାନରେ ରହିଛି। ଆଇନ ଶିକ୍ଷାନୁଷ୍ଠାନ ବର୍ଗରେ ଶ୍ରେଷ୍ଠ ୩୦ ମଧ୍ୟରେ କିଟ୍‌ ବିଶ୍ବବିଦ୍ୟାଳୟ ୧୦ ଓ ନ୍ୟାସନାଲ ଲ’ ୟୁନିଭରସିଟି ୧୮ତମ ସ୍ଥାନରେ ରହିଛି । ଡେଣ୍ଟାଲ କଲେଜ ବର୍ଗରେ ଦେଶର ଶ୍ରେଷ୍ଠ ୩୦ ଶିକ୍ଷାନୁଷ୍ଠାନ ମଧ୍ୟରେ ସୋଆ ୧୪ ଓ କିଟ୍‌ ୧୭ତମ ସ୍ଥାନରେ ରହିଛି। ଫାର୍ମାସି ଓ ଆର୍କିଟେକ୍‌ ଶିକ୍ଷାନୁଷ୍ଠାନ ବର୍ଗରେ ଓଡ଼ିଶାରୁ କୌଣସି ବି ଗୋଟିଏ ବି ଶିକ୍ଷାନୁଷ୍ଠାନ ତାଲିକାରେ ନ ଥିବା ଦେଖିବାକୁ ମିଳିଛି । ସେହିପରି ଗବେଷଣା ବର୍ଗରେ ବି ରାଜ୍ୟ ସରକାରଙ୍କ କୌଣସି ଶିକ୍ଷାନୁଷ୍ଠାନ ସ୍ଥାନ ପାଇ ନାହାନ୍ତି। ତେବେ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ଏନ୍‌ଆଇଟି ରାଉରକେଲା ୩୧ତମ ସ୍ଥାନରେ ଥିବା ବେଳେ ଆଇଆଇଟି ଭୁବନେଶ୍ବର ୪୩ତମ ସ୍ଥାନରେ ରହିଛି ।