ଭୋଟ୍ ଦେବେନି ପୀଡିତା ନିର୍ଭୟାଙ୍କ ମାତା-ପିତା । କହିଲେ, ମିଳିଲାନି ନ୍ୟାୟ । ‘ମିଛ ପ୍ରତିଶ୍ରୁତି ଶୁଣି ଶୁଣି ଆମେ ଥକିଯାଇଛୁ, ମତଦାନ ପାଇଁ ଇଚ୍ଛା ନାହିଁ ।’

536

କନକ ବ୍ୟୁରୋ : ଦିଲ୍ଲୀରେ ଲୋକସଭା ନିର୍ବାଚନକୁ ନେଇ ପ୍ରଚାର ଜୋରସୋର ଆରମ୍ଭ ହୋଇଥିବା ବେଳେ ନେତାମାନେ ନିଜ ନିଜର ପ୍ରଚାର ପାଇଁ ପ୍ରସ୍ତୁତି ଆରମ୍ଭ କରି ସାରିଛନ୍ତି । ତେବେ ଏ ମଧ୍ୟରେ ୨୦୧୨ରେ ଗଣଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତା ନିର୍ଭୟାଙ୍କ ମାତା-ପିତା ଚଳିତବର୍ଷ ଭୋଟ୍ ଦେବେ ନାହିଁ ବୋଲି କହିଛନ୍ତି । ଦଳ ଉପରେ ସେ ନିରାଶ ଥିବା ସହ ସେମାନଙ୍କ ମିଛ ପ୍ରତିଶ୍ରୁତି ପାଇଁ ସେ ମତଦାନ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

ନିର୍ଭୟାଙ୍କ ମା’ ଆଶା ଦେବୀ ଏବଂ ବାପା ବଦ୍ରୀନାଥ ସିଂହଙ୍କ କହିବା ଅନୁଯାୟୀ, ବିଭିନ୍ନ ଦଳର ନ୍ୟାୟ ଦେବାର ପ୍ରତିଶ୍ରୁତିକୁ ଶୁଣି ଶୁଣି ଆମେ ଥକି ଗଲୁଣି । ଯାହାକୁ ନେଇ ଏବେ ଆମେ ଆଉ କିଛି କରି ପାରିବୁନାହିଁ । ସରକାର ଏ ପର୍ଯ୍ୟନ୍ତ ମହିଳାମାନଙ୍କ ସୁରକ୍ଷା ପାଇଁ ସେଭଳି କୌଣସି ପଦକ୍ଷେପ ନେଇନାହାନ୍ତି । ଆଜି ବି ଅନେକ ସ୍ଥାନରେ ସିସିଟିଭି ଲାଗିନାହିଁ । ଏଭଳି ପରିସ୍ଥିତି ମଧ୍ୟରେ ଆମେ ମତଦାନ ନ କରିବା ପାଇଁ ଚିନ୍ତା କରିଛୁ ବୋଲି କହିଛନ୍ତି ଦମ୍ପତ୍ତି ।

ସୂଚନା ମୁତାବକ, ଡିସେମ୍ବର ୧୬, ୨୦୧୨ ମସିହାରେ ନିଜର ଜଣେ ବନ୍ଧୁଙ୍କ ସହ ନିର୍ଭୟା ଫେରୁଥିବା ବେଳେ ଚଳନ୍ତା ବସରେ ତାଙ୍କ ସହ ଗଣଦୁଷ୍କର୍ମ କରାଯାଇଥିଲା । ଏହା ସହ ତାଙ୍କ ଗୁପ୍ତାଙ୍ଗରେ ମଧ୍ୟ ଲୁହା ରଡ଼ ଭର୍ତ୍ତି କରି ଦିଆ ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଦିଲ୍ଲୀ ଏବଂ ପରେ ସିଙ୍ଗାପୁରକୁ ଚିକିତ୍ସା ପାଇଁ ପଠାଯାଇଥିଲେ ମଧ୍ୟ ସେ ନିଜର ଜୀବନ ଯୁଦ୍ଧରେ ହାରି ଯାଇଥିଲେ ।