କନକ ବ୍ୟୁରୋ: ଫାଶୀର ଦୁଇ ଦିନ ଆଗରୁ ଆସିବେ ପବନ ଜହ୍ଲାଦ । ତିହାର ଜେଲରେ ୨୦ ଜାନୁୟାରୀ ସୁଦ୍ଧା ପହଞ୍ଚି ଯିବେ ପବନ ଜହ୍ଲାଦ । ଚଳିତ ମାସ ୨୨ ତାରିଖରେ ନିର୍ଭୟା ସୈତାନଙ୍କୁ ଫାଶୀ ମିଳିବାକୁ ଥିବା ବେଳେ ଫାଶୀର ଦୁଇ ଦିନ ପୂର୍ବରୁ ଜହ୍ଲାଦ ଜେଲରେ ଉପସ୍ଥିତ ରହିବାକୁ ନିଷ୍ପତ୍ତି ନେଇଛନ୍ତି ତିହାର ଜେଲ କର୍ତ୍ତୃପକ୍ଷ । ଆଉ ପବନଙ୍କୁ ୨୦ ତାରିଖ ସୁଦ୍ଧା ତିହାର ଜେଲରେ ପହଞ୍ଚାଇବାକୁ ୟୁପି ସରକାରଙ୍କୁ କହିଛନ୍ତି ତିହାର ଜେଲ ମହାନିର୍ଦ୍ଦେଶାଳୟ ।
ସେପଟେ ଡେଥ ୱାରେଣ୍ଟ ପରେ ଜେଲରେ ଯେଉଁ ସବୁ କାମ କରିବାର ଥିଲା ତାହା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ତିହାର ଜେଲରେ ପୂର୍ବରୁ ଏକା ସାଙ୍ଗରେ ଦୁଇ ଜଣଙ୍କୁ ଫାଶୀ ଦିଆଯାଇଥିବା ବେଳେ ପୂର୍ବରୁ କେବେ ୪ ଜଣଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯାଇନାହିଁ । ତେଣୁ ୨୨ ତାରିଖରେ ଏକାସାଙ୍ଗରେ ୪ ଜଣ ଦୋଷୀଙ୍କୁ ଫାଶୀ ଦେବାକୁ ଥିବା ତାପୂର୍ବରୁ ମୃତ୍ୟୁର କୂଅ, ଫାଶୀଘର ଆଦିକୁ ନୂଆ କରାଯାଇଥିବା ବେଳେ ସେସବୁ ଠିକ ଅଛି କି ନାହିଁ ତାହା ତଦାରଖ କରିବାକୁ ପବନଙ୍କୁ ୨୦ ତାରିଖରେ ଜେଲରେ ପହଞ୍ଚିବାକୁ କୁହାଯାଇଛି ।
ତେବେ ୨୨ରେ ୪ ଜଣଙ୍କୁ ଫାଶୀ ଦେବାକୁ ଥିବା ବେଳେ ଫାଶୀ ଉପରେ ରୋକ ଲଗାଇବାକୁ ଦୋଷୀ ବିନୟ ଶର୍ମା ଆବେଦନ କରିଥିଲା । ଆଉ ଏହା ଶୁଣାଣି ଆସନ୍ତା ୧୪ରେ ହେବ । ତେବେ ନିର୍ଭୟାକୁ ନ୍ୟାୟ ଦେବାକୁ ଗତ ୭ ତାରିଖ ଦିନ ଡେଥ ୱାରେଣ୍ଟ ଶୁଣାଇଥିଲେ କୋର୍ଟ । ଆଉ ମୃତ୍ୟୁର ପରୱାନା ଜାରି ହେବା ପରେ ତିହାର ଜେଲରେ ଚାଲିଛି ପ୍ରସ୍ତୁତି ।